ହେଲମେଟ ନଥାଇ ପେଟ୍ରୋଲ ଦେବା ମହଙ୍ଗା ପଡିଲା: ଯୋଗାଣ ବିଭାଗ ପେଟ୍ରୋଲ ପମ୍ପକୁ ସିଲ କଲା

ମାଲକାନଗିରି: ହେଲମେଟ ନଥାଇ ପେଟ୍ରୋଲ ଦେବା ମହଙ୍ଗା ପଡିଲା। ହେଲମେଟ ନଥିଲେ ପେଟ୍ରୋଲ ପମ୍ପଗୁଡିକରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ସରକାର ଏବଂ ଜିଲ୍ଲା ପ୍ରଶାସନର ନିର୍ଦେଶ ରହିଛି। ଏନେଇ ମାଲକାନଗିରି ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପଗୁଡିକରେ ଏ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଅନ୍ୟ କିଛି ପେଟ୍ରୋଲ ପମ୍ପରେ ଅଣଦେଖା କରୁଥିବାରୁ ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଆଜି ଚଢ଼ାଉ କରାଯାଇଛି।

ଜିଲ୍ଲାପାଳ ୱାଇ.ବିଜୟଙ୍କ ନିର୍ଦେଶକ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ପତ୍ୟକ୍ଷ ତତ୍ୱାବଧାନରେ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ହୋତାଙ୍କ ନେତୃତ୍ୱରେ ଚଢ଼ାଉ ହେଇଥିଲା। ସୁକମା ରାସ୍ତାରେ ରହିଥିବା ଏକ ପେଟ୍ରୋଲ ପମ୍ପରେ ବିନା ହେଲମେଟରେ ପେଟ୍ରୋଲ ଦିଆଯାଉ ଥିବା ବେଳେ ଯୋଗାଣ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। କର୍ମଚାରୀମାନେ ତୁରନ୍ତ ସେଠାରେ ପେଟ୍ରୋଲ ପମ୍ପକୁ ସିଲ କରିଥିଲେ।

ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ ପ୍ରକାଶ କହିଛନ୍ତି ଯେ, ସରକାରଙ୍କ ନିୟକକୁ ଅଣଦେଖା ଏବଂ ବେଖାତିର କରିଥିବାରୁ ସେହି ପେଟ୍ରୋଲ ପମ୍ପକୁ ସିଲ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ ଚଢ଼ାଉ କାରଯିବ। ପ୍ରତ୍ୟେକ ବାଇକ ଚାଳକ ହେଲମେଟ ପରିଧାନ ବାଧ୍ୟତାମୂଳକ ଥିବା ବେଳେ ଲୋକେ ଏହି ନିୟମକୁ ବେଖାତିର କରୁଛନ୍ତି। ତେଣୁ ପେଟ୍ରୋଲ ପମ୍ପଗୁଡ଼ିକରେ ବାଇକ ଆରୋହୀମାନେ ହେଲମେଟ ପିନ୍ଧି ନଥିଲେ ସେମାନଙ୍କୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି ନର୍ଦେଶ ରହିଛି । ଏହାଦ୍ୱାରା ଲୋକେ ବାଧ୍ୟତାମୂଳକ ହେଲମେଟ ପିନ୍ଧିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର