ଜୟପୁର: ପବିତ୍ର ଯୋଡା ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଏହି ଦିନ ରାଜ୍ୟର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ବରରେ ଜଳଲାଗି କରିବା ପାଇଁ ବୋଲବମ ମାନସିକ ବ୍ରତଧାରୀ କାଉଡିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅବିଭକ୍ତ କୋରାପୁଟ ଜିଲା ସମେତ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ସୋନପୁର, ଗଂଜାମ, ଆନ୍ଧ୍ର, ଛତିଶଗଡ,ତେଲେଙ୍ଗାନା ଆଦି ଅଂଚଳରୁ ଶହ ଶହ କାଉଡିଆମାନେ ଜଳଲାଗି କରିବାକୁ ଆସୁଛନ୍ତି। ଗତକାଲି ଅପରାହ୍ନ ଓ ଆଜି ଭୋର ଚାରିଟାରୁ ଶତାଧିକ ଶ୍ରଦ୍ଧାଳୁ ବ୍ରତଧାରୀମାନେ ଜୟପୁର ବ୍ଲକର ପାତ୍ରପୁଟ ବ୍ରିଜର ଉଭୟ ପାର୍ଶ୍ବରେ କୋଲାବ ନଦୀରେ ଓହ୍ଲାଇ ଗାଧୋଇବା ସହ ଏଠାରୁ କାଉଡିରେ ପାଣି ଉଠାଇ ପୂଜା ଅର୍ଚ୍ଚନା କରି ଗୁପ୍ତେଶ୍ବର ଅଭିମୁଖେ ଚାଲି ଚାଲି ବାହାରିଥିଲେ। ଏପରିକି ବହୁ ମହିଳା, ଛୋଟ ଛୋଟ ଝିଅ ବି ଗେରୁଆ ବସ୍ତ୍ର ପିନ୍ଧି ଏହି କାଉଡି ଯାତ୍ରାରେ ସାମିଲ ହୋଇଥିଲେ। ପାତ୍ରପୁଟ ବ୍ରିଜ୍ ନିକଟରେ ଦେବୋତ୍ତର ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ସାମାନ୍ୟତମ ଲାଇଟ୍, ବ୍ୟାରିକେଡ୍ କିମ୍ବା ପାଣି କାଉଡି ରଖିବା ପାଇଁ ବି କିଛି ସୁବ୍ୟବସ୍ଥା କରି ନଥିବାରୁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଯଦିଓ କାଉଡିଆମାନଙ୍କୁ ସେବା ଯୋଗାଇବାକୁ ଆସିଥିବା ସ୍ବେଚ୍ଛାସେବୀମାନେ ମୋବାଇଲ୍ ଲାଇଟରେ ସବୁ କାମ କରୁଥିବା ଦେଖିବାକୁ ମିଳିଥିଲା। ଗତ ପ୍ରଥମ ସପ୍ତାହରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖି ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ପାତ୍ରପୁଟ ବ୍ରିଜ୍ ନିକଟରେ ଏସବୁ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ରହିଥିବା ଶ୍ରଦ୍ଧାଳୁ ଭକ୍ତମାନେ କହିଛନ୍ତି। ଗୁପ୍ତେଶ୍ବର ପର୍ଯ୍ୟନ୍ତ ରାସ୍ତା କାମ ସରିଥିବାବେଳେ ମନ୍ଦିର ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମେଟାଲ ଓ ଚିପସ୍ ଗୁଡିକ ବାହାରି ପଡ଼ିଥିବାରୁ ଖାଲି ପାଦରେ ଭକ୍ତମାନେ ଚାଲି ଚାଲି ଯିବା ପାଇଁ ସମସ୍ୟା ସୃଷ୍ଟି ହେଉଛି ବୋଲି ବହୁ ଭକ୍ତ କହିଛନ୍ତି। ସେଭଳି ରାମଗିରୀରୁ ଗୁପ୍ତେଶ୍ବର ପର୍ଯ୍ୟନ୍ତ ଜୟପୁରର ଶାବରୀ ଅନୁଷ୍ଠାନ ପକ୍ଷରୁ ଗଛଗୁଡିକରେ କିରୋସିନୀ ଡିବିରୀ ଲାଇଟ୍ ଲଗାଇ କାଉଡିଆଙ୍କୁ ବାଟ କଡାଉଛନ୍ତି। ଅପରପକ୍ଷରେ ବହୁ ବେସରକାରୀ ସଂଗଠନ, ଡ୍ରାଇଭର ମହାସଂଘ, ଅଗ୍ରୱାଲ ବନ୍ଧୁ ଓ ବିଏସଏଫ୍ ପକ୍ଷରୁ ଭକ୍ତଙ୍କୁ ସେବା, ଫଳ, ଅନ୍ନ ପ୍ରସାଦ, ପାନୀୟ ଜଳ, ଔଷଧ ଆଦି ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ତୁରନ୍ତ ପାତ୍ରପୁଟ ବ୍ରିଜ୍ ନିକଟରେ ଭକ୍ତଙ୍କ ମୌଳିକ ଆବଶ୍ୟକତା ପୁରଣ କରୁ ବୋଲି ଦାବି ହୋଇଛି।