ତାଲିକାରେ ଅଛି ନାଁ, ଆବାସ ଯୋଜାନାରେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ମିଳୁନି ଘର

ବାଲେଶ୍ୱର: ଆବାସ ଯୋଜନାରେ ସରକାର ଗୃହହୀନଙ୍କୁ ସରକାର ମାଗଣାରେ ଘର ଦେଉଛନ୍ତି। କିନ୍ତୁ ଏହି ଯୋଜାନାରୁ ଲାଭ ପାଇବା ପାଇଁ କିଛି ଲୋକଙ୍କୁ ଅନେକ ଥର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଛି। ସବୁଠାରୁ ଦୁଃଖର କଥା ହେଲା ଯେ, ତାଲିାକରେ ନାଁ ଥାଇ ମଧ୍ୟ ଘର ନମିଳିବା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତର ସାନଅସ୍ତି ଗ୍ରାମର ସାଏନା ବିବି(୬୦)ଙ୍କ କ୍ଷେତ୍ରରେ ଆବାସ ଯୋଜନାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି।

ସ୍ୱାମୀ ପରିତ୍ୟକ୍ତା ସାଏନା ଅତ୍ୟନ୍ତ ଗରିବ ଶ୍ରେଣୀର। ପ୍ରାୟ ୨୦ ବର୍ଷ ପୂର୍ବରୁ ସ୍ୱାମୀ ତାଙ୍କ ହାତ ଛାଡ଼ିଦେବା ପରେ ମୁଣ୍ଡ ଗୁଂଜିବାକୁ ଜାଗା ମିଳିଲାନାହିଁ। ଗ୍ରାମର ଏକ ସ୍ଥାନରେ ଘରଟିଏ କରି ବହୁ ଦୁଃଖକଷ୍ଟରେ ଏଣେତେଣେ ମୂଲ ଲାଗି ୨ ଝିଅଙ୍କୁ ବାହାଘର କରାଇଲେ ଏବଂ ଏବେ ପାଖରେ ଏକମାତ୍ର ପୁଅ ସାହାରା ହୋଇ ରହିଛି। ସାଏନା ବହୁ ନେହୁରା ହେବା ପରେ ବସ୍ତା ତହସିଲ ପକ୍ଷରୁ ତାଙ୍କୁ ୨ଡେସିମିଲ ଜମିପଟ୍ଟା ମିଳିଥିଲା। ମାତ୍ର ଆବାସ ଯୋଜନାରେ ପକ୍କାଘର ଟିଏ ପାଇଁ ତାଲିକାକୁ ଦୀର୍ଘବର୍ଷ ହେଲା ନାଁ ଉଠିଥିଲେ ବି ତାଙ୍କୁ ମିଳୁନଥିବା ସେ ଅଭିଯୋଗ କରିଛନ୍ତି।

ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ଗଣ୍ଡା ଗଣ୍ଡା ଯୋଜନା ମଧ୍ୟ ହୋଇଛି। ହେଲେ ଦୁଭାର୍ଗ୍ୟ ଯେ ବିଭାଗୀୟ ଅଧିକାରୀଙ୍କ ଉପଯୁକ୍ତ ସମନ୍ଵୟ ଅଭାବରୁ ତାହା ସଫଳ ହୋଇପାରୁନାହିଁ। ଦଶନ୍ଧି ଦଶନ୍ଧି ଧରି ଅପେକ୍ଷା କରିଥିଲେ ବି ପକ୍କାଘର ସେତ ଯେମିତି ସ୍ୱପ୍ନ ପାଲଟିଛି।

ଏନେଇ ରଘୁନାଥପୁର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବସ୍ତା ବିଡିଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ବାର ଜଣାଇଥିଲେ ବି ତାଙ୍କ କଥା କେହି ଶୁଣିନାହାନ୍ତି। ବହୁବାର ସେମାନଙ୍କ ନିକଟକୁ ଯାଇ ଯାଇ ନୟାନ୍ତ ହେଲେଣି। ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି। ସାପ, ବେଙ୍ଗ ଓ ବିଛାମାନଙ୍କର ଏହି ଘର ବାସସ୍ଥାନ ବି ପାଲଟିଲାଣି।

ଆଜି ସାଏନା ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିଲେ। ମାତ୍ର ଜିଲ୍ଲାପାଳ କରୋନା ପାଇଁ କାହାକୁ ନ ଭେଟି ଅଭିଯୋଗ ବାକ୍ସ ବସାଇଥିବାରୁ ସାଏନା ତାଙ୍କ ଦରଖାସ୍ତ ସେଥିରେ ପକାଇଥିଲେ। ନିଜ କୋହ ସମ୍ଭାଳି ନପାରି ସେ କହିଛନ୍ତି, ନା ମୋତେ ଘର ଖଣ୍ଡିଏ ମିଳିଛି ଓ ନା ଭତ୍ତା। ସରକାର ଗରିବ ଲୋକଙ୍କ ପାଇଁ କେତେକ’ଣ ଯୋଜନା କରିଛନ୍ତି। ମୁଁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଉ କେତେ ବାର ଆସିବି? ସତରେ କ’ଣ ଆମ ଦୁଃଖ ସରକାର ଓ ପ୍ରଶାସକଙ୍କ କାନରେ ବାଜିବନାହିଁ? ତେବେ ସାଏନାଙ୍କ ଦୁଃଖ ଜିଲ୍ଲା ପ୍ରଶାସନ ସତରେ କେବେ ବୁଝିବ ତାହା ସମୟ କହିବ।

ସମ୍ବନ୍ଧିତ ଖବର