ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା ପୌର ପରିଷଦର ଉନ୍ନୟନ ପାଇଁ ଆସୁଥିବା ଖର୍ଚ୍ଚ ଠିକଣା ସମୟରେ ଖର୍ଚ୍ଚ ହୋଇ ପାରୁ ନାହିଁ। ଜବରଦଖଲ ଉଚ୍ଛେଦ, ଉଠାଦୋକାନୀଙ୍କୁ ଥଇଥାନ, ନର୍ଦ୍ଦମା ନିଷ୍କାସନ ପାଇଁ ନାଳ ନିର୍ମାଣ କେବଳ ବୈଠକର ଆଲୋଚନାରେ ସୀମିତ ରହି ଯାଉଛି। ଗୋଟିଏ ପଟେ ସହରର ଉନ୍ନତି ପାଇଁ ପୌର ପରିଷଦର ଅପରାଗତାକୁ ଜନସାଧାରଣ ଦାୟି କରୁଥିବା ବେଳେ ପୌର ପରିଷଦ ରାଜସ୍ବ ଅଭାବ ଓ ଆଦାୟରେ ଲୋକଙ୍କ ଅସହଯୋଗ ଆଡ଼କୁ ଅଙ୍ଗୁଳି ଉଠାଇଛି। ପରିଷଦର ସ୍ବରାଜସ୍ବ ମଧ୍ୟରେ ଲାଇସେନ୍ସ ଫିସ୍ ଅନ୍ୟତମ।
ବିଧାୟକ, ସାଂସଦ ହାତପାଣ୍ଠୀ, ଅର୍ଥ କମିଶନ ଅନୁଦାନ ଆଦି ବ୍ୟତୀତ ଏହି ଲାଇସେନ୍ସ ଫିସ୍ ପରିଷଦର ରାଜସ୍ବ ବୃଦ୍ଧି ଓ ଯୋଜନାର ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଖୋର୍ଦ୍ଧା ପୌର ପରିଷଦ ୪ ପ୍ରକାର ଲାଇସେନ୍ସ ଫିସ୍ ଆଦାୟ କରିଥାଏ। ୨୦୨୧-୨୨ ପୌର ପରିଷଦର ଅଡିଟ୍ ରିପୋର୍ଟ ଅନୁସାରେ, ମୋଟ ୧୯ଲକ୍ଷ ୭୪ ହଜାର ୮୪୭ଟଙ୍କା ଲାଇସେନ୍ସ ଫିସ୍ ଆଦାୟ କରାଯାଇଥିଲା। ୨୦୨୦-୨୧ରେ ଏହା ୧୨ଲକ୍ଷ ୫୩ ହଜାର ୬୫୮ ଟଙ୍କା ରହିଥିଲା। ୨୦୨୧-୨୨ରେ ହୋର୍ଡିଂ, ମୋବାଇଲ୍ ଟାୱାର ଆଦି ବାବଦକୁ ଲାଇସେନ୍ସ ଫିସ୍ ୩୫ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ବାଣ ଆଦି ଜ୍ବଳନଶୀଳ ପଦାର୍ଥ, ରସାୟନ ପଦାର୍ଥ ଆଦି ବାବଦକୁ ୧୩ଲକ୍ଷ ୬୮ହଜାର ୭ଶହ ଟଙ୍କା ଆଦାୟ ହୋଇଥିଲା। ପୌର ପରିଷଦ ଡାକବଙ୍ଗଳା, ପଡ଼ିଆ ଆଦିରେ ଯାତ୍ରା, ମେଳା ଆଦି ବାବଦକୁ ଟଙ୍କା ଟିଏ ମଧ୍ୟ ଆଦାୟ ହୋଇଥିବା ବେଳେ ବ୍ୟବସାୟ ଲାଇସେନ୍ସ ଫିସ୍ ୫ଲକ୍ଷ ୭୧ ହଜାର ୪୭ ଟଙ୍କା ଆଦାୟ ହୋଇଥିଲା। ତେବେ ପୌର ପରିଷଦ ପକ୍ଷରୁ ମିଳିଥିବା ସୂଚନାରେ, ଖୋର୍ଦ୍ଧା ସହରରେ ନୂଆ ବସଷ୍ଟାଣ୍ଡ ଓ ଆଖପାଖ ଅଞ୍ଚଳରେ ୨୪୮ଟି ସ୍ଥାୟୀ ଦୋକାନ, ପୁରୁଣା ବସ୍ଷ୍ଟାଣ୍ଡ ଠାରେ ୪୫ଟି, ଅନ୍ୟ ସ୍ଥାନରେ ୭୧ଟି ସ୍ଥାୟୀ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକ ଠାରୁ ସର୍ବନିମ୍ନ ୫୦୦ଟଙ୍କାରୁ ୩ହଜାର ଟଙ୍କା ମାସିକ ଭଡ଼ା ଆଦାୟ ହୋଇଥାଏ।
କିନ୍ତୁ ଅନେକ ଦୋକାନ ନିଜର ରାଜନୈତିକ ସମ୍ପର୍କ, ପ୍ରତିପତ୍ତି ଆଢ଼ୁଆଳରେ ଭଡ଼ା ଦେଉନାହାନ୍ତି। ୧୦ଟି ମାସିକ ୧୫ ହଜାର ଟଙ୍କା ଭଡ଼ା ଦେଉଥିବା ଦୋକାନ ୨୦୧୫ ଅଗଷ୍ଟ ମାସରୁ ଭଡ଼ା ଦେଇ ନାହାନ୍ତି। ସେହଭଳି ସିସୋର ମାମଲାରେ ଦୋକାନ ଭଡ଼ା ବାବଦକୁ ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବକୟା ରହିଛି। ନୂଆ ବସଷ୍ଟାଣ୍ଡ ନିକଟରେ ଥିବା କେତେକ ଦୋକାନ ଭଡ଼ାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ସେଠାରୁ ମଧ୍ୟ ୮-୧୦ ଲକ୍ଷ ଟଙ୍କା ଆଦାୟ ନହୋଇ ପଡ଼ି ରହିଛି। ସେମାନଙ୍କ ଦେଖାଦେଖି ସହରରେ ଥିବା ପ୍ରାୟ ୬ଶହ ଉଠାଦୋକାନୀ ମଧ୍ୟ ଲାଇସେନ୍ସ ଫିସ୍ ଦେଉ ନାହାନ୍ତି। କରୋନା ସଂକ୍ରମଣ କାଳ ୨୦୨୦-୨୧ ଠାରୁ ସହରରେ ରାସ୍ତାକଡ଼, ନାଳ, ସରକାରୀ ଜାଗା ଆଦି ଜବରଦଖଲ କରି ଦୋକାନ ନିର୍ମାଣ କରିଥିବା ବେଳେ ସେମାନଙ୍କ ଠାରୁ କୌଣସି ଫିସ୍ ଆଦାୟ କରାଯାଉ ନାହିଁ କି ଜବରଦଖଲ ଉଚ୍ଛେଦ କରାଯାଉ ନାହିଁ। ନିକଟରେ ପୌର ପରିଷଦ ପକ୍ଷରୁ ଦୀର୍ଘ ଦଶନ୍ଧୀ ଧରି ଚାଲି ଆସିଥିବା ଦୈନିକ ୩ ଟଙ୍କା ଓ ୫ ଟଙ୍କା ଲାଇସେନ୍ସ ଫିସ୍ର ୨୦ ଓ ୩୫ଟଙ୍କା ବୃଦ୍ଧିକୁ ମଧ୍ୟ ଉଠାଦୋକାନୀ ମାନେ ବିରୋଧ କରିଛନ୍ତି। ଅନେକ ଲୋକ ସରକାରୀ ଜମି ଜବରଦଖଲ କରି ପ୍ରଥମେ ଅସ୍ଥାୟୀ ଘର ଓ ପରେ ପକ୍କା ଘର କରି ବ୍ୟବସାୟ କରୁଛନ୍ତି। ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହେବା ବେଳେ ସେମାନେ ଲାଇସେନ୍ସ ଫିସ୍ର ଆଳ ଦେଖାଇ ନିଜକୁ ଥଇଥାନ ଓ ସ୍ଥାୟୀ ଦୋକାନ ଗୃହର ଦାବି କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ପରିଷଦ ଜବରଦଖଲ କରି ବ୍ୟବସାୟ କରୁଥିବା ଲୋକଙ୍କ ଠାରୁ କୌଣସି ବ୍ୟବସାୟିକ ଫିସ୍ ଆଦାୟ କରିବା ପ୍ରାୟତଃ ବନ୍ଦ କରି ଦେଇଛି।