କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳା ଅଭିଯୋଗରୁ ମହାକାଳପଡ଼ା ଅ˚ଚଳର ଜଣେ ପ୍ରସୂତିଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକାଳ ମୃତ୍ୟୁ ଘଟଣାକୁ ସପ୍ତାହ ବିତିଗଲାଣି। କିନ୍ତୁ ଏଯାଏ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତଦନ୍ତକୁ ଆଳ କରି ବିଭାଗୀୟ କର୍ତୃପକ୍ଷ ସମୟ ଗଡ଼ାଇ ଚାଲିଥିବାରୁ ବିଭିନ୍ନ ମହଲରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଲାଣି। ଚିକିତ୍ସା କ୍ଷେତ୍ରରେ କିଭଳି ଆଉ କେତେ ଅବହେଳା ହୋଇଥିଲେ ଦାୟିତ୍ବରେ ଖିଲାପ କରିଥିବା ଡାକ୍ତର, ନର୍ସଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ହୋଇଥା’ନ୍ତା? ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସାଢେ଼ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର-ପ୍ରତିଟି ଜୀବନ ମୋ’ ପାଇଁ ମୂଲ୍ୟବାନ’। ଏଠି କିନ୍ତୁ ଜିଲ୍ଲା ହସ୍ପିଟାଲ୍ରେ ଉନ୍ନତ ଭିତ୍ତିଭୂମି ସା˚ଗକୁ ଡ୍ୟୁଟିରେ ଡାକ୍ତର, ନର୍ସ ଥାଇ ବି ଚିକିତ୍ସାରେ ଘୋର ଅବହେଳା ଯୋଗୁ ପ୍ରସୂତି ରିଦ୍ଧି ରାୟଙ୍କ ଶିଶୁ କନ୍ୟା ଜନ୍ମ ଦେବାର କିଛି ଘଣ୍ଟା ଭିତରେ ଜୀବନ ଚାଲିଗଲା। ପିଲା ପ୍ରସବ ପାଇଁ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ବିରୋଧରେ ସାମ୍ନାକୁ ଆସିଲା। ଜାତୀୟ ମାନବାଧିକାର କମିସନଙ୍କ ପାଖେ ମାମଲା ବି ରୁଜୁ ହେଲା। ମୋଟାମୋଟି ପ୍ରସୂତି ବିଭାଗର ହାତଗଣତି କିଛି ଡାକ୍ତର ଓ ନର୍ସଙ୍କ ଲାଞ୍ଚଖୋର ମନୋବୃତ୍ତି ପାଇଁ ସାରା ରାଜ୍ୟରେ ଜିଲ୍ଲା ହସ୍ପିଟାଲ୍ ବଦନାମ ହେବା ସହିତ ଦୁର୍ନାମ ମୁଣ୍ତାଇଲା। ଏହାସତ୍ତ୍ବେ ଯଦି କାର୍ଯ୍ୟାନୁଷ୍ଠାନ ହେବ ନାହିଁ, ତଦନ୍ତ ନାଁରେ ସମୟ ଗଡ଼ାଇ ଚାଲିବେ; ତା’ ହେଲେ ଧରିନେବାକୁ ପଡ଼ିବ ଯେ କର୍ତୃପକ୍ଷ କେଉଁଠି ନା କେଉଁଠି ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି?
ଅଭିଯୋଗକାରୀ ମୃତ ମହିଳାଙ୍କ ଦେଡ଼ଶୁର ଜମ୍ବୁ ମେରାଇନ ଥାନା ଖରିନାସୀ ଗ୍ରାମର କଲ୍ୟାଣ ରାୟ ଦୃଢ଼ତାର ସହିତ କହି ଆସୁଛନ୍ତି ଯେ ପିଲା ପ୍ରସବ ପାଇଁ ତିନି ହଜାର ଟଙ୍କା ଲାଞ୍ଚ ଯେଉଁ ଦିଦି ନେଇଛନ୍ତି, ତାଙ୍କୁ ଦେଖିଲେ ପରିବାର ଲୋକ ଚିହ୍ନିଦେବେ। ଘଟଣା ଦିନ ଅର୍ଥାତ୍ ଗତ ୧୫ତାରିଖ ରାତିରେ ଗୁରୁତର ରିଦ୍ଧିଙ୍କ ଚିକିତ୍ସା ପାଇଁ କେତେଥର କାହା କାହା ପାଖରେ ନେହୁରା ହେଇଛନ୍ତି ଏବ˚ କିଏ ସେମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି ତାହା ବି ଜଣାଇଦେବେ। କିନ୍ତୁ ବିଡ଼ମ୍ବନା ଯେ ଘଟଣାକୁ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ବି ଏଯାଏ ମୃତକଙ୍କ ପରିବାର ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି. କେ. ପ୍ରହରାଜ କହିଛନ୍ତି ଯେ ଘଟଣାକୁ ଅତି ଗୁରୁତ୍ବର ସହିତ ନିଆଯାଇଛି। ସବୁ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇଛି। କମିଟି ଘଟଣାର ତଦନ୍ତ ଚଳାଇଛି। ଘଟଣାଦିନ ଯେଉଁମାନେ ଡ୍ୟୁଟିରେ ଥିଲେ, ସେମାନଙ୍କୁ କୈଫିୟତ୍ ତଲବ କରାଯାଇଛି। ପ୍ରସୂତି ବିଭାଗର ଡାକ୍ତର ରାଜେଶ କରଣ, ଓଟି ଇନଚାର୍ଜ ନର୍ସ ବିଜୟଲକ୍ଷ୍ମୀ ସ୍ବାଇଁ, ଆଉ ଜଣେ ନର୍ସ ଓ ସୁଇପର୍ ପ୍ରମୁଖଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହେବା ସହିତ ୪୮ଘଣ୍ଟା ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା। ସମସ୍ତେ ଉତ୍ତରରେ ଚିକିତ୍ସାରେ ଅବହେଳା ଓ ଲାଞ୍ଚ ନେବା ଘଟଣାକୁ ଅସ୍ବୀକାର କରିବା ପରେ ଏବେ ଜଣ ଜଣ କରି ସମସ୍ତଙ୍କ ତଦନ୍ତ କମିଟି ବୟାନ ରେକର୍ଡ କରୁଛି। ମୃତକଙ୍କ ପରିବାରର ଶୁଦ୍ଧିକ୍ରିୟା ସରିବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ପୂର୍ବକ ସେମାନଙ୍କ ବୟାନ ରେକର୍ଡ କରାଯିବ ବୋଲି ଡାକ୍ତର ପ୍ରହରାଜ କହିଛନ୍ତି।
କିନ୍ତୁ ଯେଉଁ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଯେଉଁ ଦିଦି ଉପରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ରହିଛି, ତାଙ୍କୁ କାହିଁକି ଏଯାଏ ଓଟି ଦାୟିତ୍ବରେ ରଖାଯାଇଛି? ତଦନ୍ତ ଶେଷ ହେବା ଯାଏ ସେମାନଙ୍କୁ ସେହି ବିଭାଗରୁ ଦାୟିତ୍ବମୁକ୍ତ କାହିଁକି କରାଯାଉନି? ପ୍ରସୂତି ବିଭାଗରେ ‘ହାତଖର୍ଚ୍ଚ’ ନାଁରେ ଦୀର୍ଘ ବର୍ଷ ହେବ ଯେଉଁ ଲାଞ୍ଚ କାରବାର ଚାଲିଆସିଥିବା ଅଭିଯୋଗ ହେଉଛି, ତାହା କିଛି ନିର୍ଦ୍ଦିଷ୍ଟ ନର୍ସ ମାନଙ୍କ ଜରିଆରେ ହେଉଛି। ସେହି ମାନେ ହିଁ ଏହି କାରବାରର ମୁଖ୍ୟ କାର୍ପଟଦାର ଏବ˚ ଖୁସିରେ ଖର୍ଚ୍ଚ ଦିଅ କହି ଆଟେଣ୍ତାଣ୍ଟ୍ଙ୍କଠୁ ଟଙ୍କା ଆଦାୟ କରୁଥିବା କୁହାଯାଉଛି। ଯେଉଁମାନେ ଦାବି ମୁତାବକ ଦେଉନାହାନ୍ତି, ସେମାନଙ୍କ ଚିକିତ୍ସାରେ ବିଳମ୍ବ ଓ ଅବହେଳା ସହିତ ନାନାପ୍ରକାର ହଇରାଣ ହରକତ କରାଯାଉଛି, ଯାହା ମୃତ ରିଦ୍ଧି ରାୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଅଭିଯୋଗକରୀ କଲ୍ୟାଣ ରାୟ ଅଭିଯୋଗ କରିଥିଲେ ଯେ ପିଲା ପ୍ରସବ ପାଇଁ ତାଙ୍କୁ ୧୦ହଜାର ଟଙ୍କା ମାଗିଥିଲେ। ୮ହଜାର ଟଙ୍କାରେ କଥା ଛିଡ଼ିଥିଲା। ପିଲା ଜନ୍ମ ପରେ ଓଟିରୁ ଜଣେ ଦିଦି ଆସି ଦୁଇ ହଜାର ଟଙ୍କା ଏବ˚ ଓଟି ବାହାରକୁ ପିଲାକୁ ଆଣିବା ପରେ ଆଉ ଜଣେ ଦିଦି ହଜାରେ ଟଙ୍କା ନେଇଥିଲେ।
ବାକି ୫ହଜାର ଟଙ୍କା ଡାକ୍ତର ଓ ୫ଶହ ଟଙ୍କା ସଫେଇ କର୍ମଚାରୀ ନେବେ ବୋଲି ଦିଦି ମାଗିଥିଲେ। କିନ୍ତୁ ପରେ ଦିଆଯିବ ବୋଲି କହିବା ପରେ ଦିଦି ଆମ ଉପରେ ଭୀଷଣ ବିରକ୍ତ ପ୍ରକାଶ କରିଥିଲେ। ଏହାପରେ ରାତିରେ ଅବସ୍ଥା ଯେତେବେଳେ ଗୁରୁତର ହେବାକୁ ଲାଗିଲା, ସେତେବେଳେ କେହି ଆମ କଥା ଶୁଣିଲେ ନାହିଁ। ଓଲଟା ବାରମ୍ବାର ଡାକିବାରୁ ଦିଦିମାନେ ଦୁର୍ବ୍ୟବହାର କଲେ ବୋଲି କଲ୍ୟାଣ ଅଭିଯୋଗ କରିଛନ୍ତି। ଏଡିଏମ୍ଓ କହିଛନ୍ତି ଯେ ଶୁଦ୍ଧିକ୍ରିୟା ପରେ ମୃତକଙ୍କ ପରିବାରକୁ ଡକାଯିବ। ତଦନ୍ତ କମିଟି ସେମାନଙ୍କ ବୟାନ ରେକର୍ଡ କରିବ। କିନ୍ତୁ ଲାଞ୍ଚ ଦେଇଥିବା ଦିଦିଙ୍କୁ ଦେଖିଲେ ଚିହ୍ନିଦେବେ ବୋଲି ଯେଉଁ ବଡ଼ କଥା ସେ କହିଛନ୍ତି, ତାହାର ପ୍ରମାଣ ପାଇବା ପାଇଁ ତଦନ୍ତ କମିଟି ସ˚ପୃକ୍ତ ଦିଦିଙ୍କୁ ଏମାନଙ୍କୁ ସାମ୍ନାକୁ ଆଣି ମୁହାଁମୁହିଁ କରିବ ତ? ତାହା ଏବେ ପ୍ରଶ୍ନର ବିଷୟ ହୋଇଛି।