ଜୟପୁର: ଜିଲ୍ଲାରେ ଜଳସ୍ରୋତର ଅଭାବ ନଥିଲେ ସୁଦ୍ଧା ଚାଷ କରିବା ପାଇଁ ଜଳସେଚନ ବ୍ୟବସ୍ଥା ନୈରାଶ୍ୟଜନକ ରହିଛି । ଜିଲ୍ଲାରେ ୩୮ପ୍ରତିଶତ ଜମି ବର୍ତ୍ତମାନ ବିଭିନ୍ନ ଜଳସେଚନ ପ୍ରକଳ୍ପ ଦ୍ବାରା ଜଳସେଚିତ ହୋଇପାରୁଛି। ସିଂହଭାଗ ଚାଷୀ ନଦୀ, ନାଳ, ଏବଂ ଅନ୍ୟ ଜଳଉତ୍ସ କିମ୍ବା ବର୍ଷା ପାଣି ଉପରେ ଚାଷ ପାଇଁ ସଂପୁର୍ଣ୍ଣ ନିର୍ଭର ହେବାକୁ ପଡ଼ୁଛି।

Advertisment

କୋରାପୁଟ ଜିଲ୍ଲାର ୩ଲକ୍ଷ ଏକ ହଜାର ୫୦୦ହେକ୍ଟର ଜମିକୁ ଚାଷ ଜମି ଅଂଚଳ ଭାବେ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୮୫ହଜାର ୫୪୦ହେକ୍ଟର ଜମି ଉଚ୍ଚସ୍ତରୀୟ , ୭୮ହଜାର ୫୩୦ହେକ୍ଟର ମଧ୍ୟମ, ୩୩ହଜାର ୪୮୦ହେକ୍ଟର ନିମ୍ନ ଏଭଳି ୨ଲକ୍ଷ ୯୭ହଜାର ୫୫୦ହେକ୍ଟର ଜମି ଚାଷ କରାଯାଉଛି ବୋଲି ଚିହ୍ନଟ କରାଯାଇଛି। ଖରିଫରେ ୧ଲକ୍ଷ ୨୦ହଜାର ୦୬୯ହେକ୍ଟର ଓ ରବିରେ ୭୧ହଜାର ୧୩୦ହେକ୍ଟରରେ ଜମିକୁ ବିଭିନ୍ନ ଜଳଉତ୍ସରୁ ପାଣି ମାଡୁଛି। ଏଥିରେ ଉପରକୋଲାବ, ତେଲିଙ୍ଗିରୀ ସହ ୨୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୩୫୩୪ଟି ଉଠାଜଳସେଚନ ପ୍ରକଳ୍ପ, ୩୮ଟି କ୍ଷୁଦ୍ର ଜଳସେଚନ ଭଣ୍ଡାର, ୨୮୦୪ଟି ନଳକୁଅ, ୨୪୪୧ଟି ଗଭୀରନଳକୁଅ, ୩୪୬୭ଟି ବିଭିନ୍ନ ସ୍ରୋତରୁ ପାଣି ନେଇ ବର୍ଷା ପାଣି ସହଯୋଗରେ ଚାଷୀ ମାନେ ଚାଷ କରୁଛନ୍ତି। ଜିଲ୍ଲାରେ ଯେତିକି ପରିମାଣର ବିଭିନ୍ନ ଚାଷ ହେଉଛି ବିଭିନ୍ନ ସ୍ରୋତରୁ ପାଣି ଯୋଗାଣ ହେଲେ ବି ତାହା ମାତ୍ର ୩୮ପ୍ରତିଶତ ଜମି ହିଁ ଫସଲ ଋତୁରେ ଜଳସେଚିତ ହୋଇଛି।

ଜଳସେଚନ କ୍ଷେତ୍ରରେ ଜୟପୁର ଉପଖଣ୍ଡର ପରିସଂଖ୍ୟାନ ଉତ୍ସାହଜନକ। ଜୟପୁର ଉପଖଣ୍ଡରେ ଉପରକୋଲାବ ପାଣିରେ ଜୟପୁର, ବୋରିଗୁମ୍ମା, କୋଟପାଡ, କୁନ୍ଦ୍ରା ବ୍ଲକରେ ଉଭୟ ଖରିଫ ଓ ରବିରେ ଚାଷ ହୋଇପାରୁଛି। ତେଲିଙ୍ଗିରୀର ପାଣିରେ ବୋରିଗୁମ୍ମା ବ୍ଲକର ୧୭ଟି ପଂଚାୟତ ଓ ଜୟପୁର ବ୍ଲକର ଗୋଟିଏ ପଂଚାୟତର ଜମି ଚାାଷ ହେଉଛି। କୋଟପାଡର ଛତର୍ଲା ଓକୁନ୍ଦ୍ରାର ବାଗଦେରୀ ଠାରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଦ୍ବାରା ଚାଷୀ ଲାଭବାନ ହେଉଛନ୍ତି। ଏହା ଫଳରେ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ଜୟପୁର ଉପଖଣ୍ଡର ୪ଟି ବ୍ଲକରେ ଖରିଫ ଓ ରବିରେ ଧାନ ଓ ଅନ୍ୟାନ୍ୟ ଚାଷ ହେବା ସହ ୮୦ପ୍ରତିଶତ ଚାଷ ହେଉଛି। ସଂପ୍ରତି ନାରାୟଣପାଟଣା ବ୍ଲକରେ ଝଂଜାବତୀ ନଦୀ ଉପରେ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ଜାରୀ ରହିଛି। ଏହାର କାମ ସରିଲେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଚାଷୀ ମାନେ ଉପକୃତ ହୋଇପାରିବେ। ସେଭଳି ଚାଷୀମାନେ ଗୋଷ୍ଠୀ କରି ନଳକୁଅ (ଜଳନିଧି) ଯୋଜନାରେ ସାମିଲ ହୋଇ ଜଳସେଚନର ହାରକୁ ବୃଦ୍ଧି କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନୁରୋଧ କରିଛନ୍ତି।