ରାଉରକେଲା: ସ୍ମାର୍ଟସିଟିରେ ଅସହ୍ୟ ତାତିରେ ପଥଚାରୀଙ୍କ ଶୋଷ ମେଣ୍ଟାଇବାକୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ଖୋଲିଛି ଜଳଛତ୍ର। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ଖୋଲିଥିବା ଜଳଛତ୍ରଗୁଡ଼ିରୁ ଅଧିକାଂଶ ପଥଚାରୀଙ୍କ କାମରେ ଆସୁନି। ଶୋଷ ମେଣ୍ଟାଇବାକୁ ଯାଉଥିବା ପଥଚାରୀମାନେ ଜଳଛତ୍ର ନିକଟରେ ପହଞ୍ଚି ଫେରି ଆସିବାକୁ ବାଧ୍ୟ ହେଉଛନ୍ତି। ପ୍ରତ୍ୟେକ ଜଳଛତ୍ରରେ ପାଣିଦେବାକୁ ଆର୍ଏମସି ପକ୍ଷରୁ ଜଣେ ଲେଖାଏଁ ଲୋକଙ୍କୁ ନିୟୋଜିତ କରାଯାଇଛି। ଅଧିକାଂଶ ସ୍ଥାନରେ ରହିଥିବା ଜଳଛତ୍ରରେ ଲୋକଙ୍କୁ ଦେଖିବାକୁ ମିଳୁନି।
ସହରର ଜନଗହଳିପୂ୍ର୍ଣ୍ଣ ସ୍ଥାନ ଉଦିତନଗର ଏସ୍ପି ଅଫିସ୍ ନିକଟସ୍ଥ ଆର୍ଏମ୍ସିର ଜଳଛତ୍ରରୁ କେମିତି ପରିଚାଳନା ହେଉଛି ସ୍ପଷ୍ଟ ବାରି ହୋଇପଡୁଛି। ଜଳ ଛତ୍ର ଭିତରେ ଷ୍ଟୁଲ ପଡ଼ିଛି, ପ୍ଲାଷ୍ଟିକ୍ ଡ୍ରମ ରହିଛି, ମାଟି ହାଣ୍ଡି ଭାଙ୍ଗି ଗଡୁଛି। ଜଳଛତ୍ର କିନ୍ତୁ କାହାରିକୁ ଦେଖିବାକୁ ମିଳୁନି। ବସ୍ ରହଣିଥିବାରୁ ଏହି ସ୍ଥାନଟି ବେଶ୍ ଗୁରୁତ୍ବପୂର୍ଣ୍ଣ। ଆଜି ଅସହ୍ୟ ତାତିରେ କିଛି ଯାତ୍ରୀ ଆଜି ପାଣି ପିଇବାକୁ ଜଳ ଛତ୍ର ନିକଟକୁ ଯାଇଥିଲେ। ମାଟି ହାଣ୍ଡି ଭାଙ୍ଗି ଗଡୁଥିବା ଓ ମଗ୍ ଗୁଡ଼ିକ ଏଣେତେଣେ ହୋଇ ପଡିଥିବା ଦେଖି ଫେରି ଆସିଥିଲେ। ଆର୍ଏମ୍ସିର ଜଳଛତ୍ରରେ ଏପରି ଅବ୍ୟବସ୍ଥା ସଂକ୍ରାନ୍ତରେ ‘ସମ୍ବାଦ‘କୁ ଫୋନ କରି ଜଣାଇବା ସହ ଜଳଛତ୍ରର ଫଟୋ ଉଠାଇ ପଠାଇଥିଲେ। କେବଳ ଉଦିତନଗର ନୁହେଁ, ପ୍ରାୟ ଅଧିକାଂଶ ସ୍ଥାନରେ ଏଭଳି ସମସ୍ୟା ଉପୁଜିଥିବା ପଥଚାରୀମାନେ ଅଭିଯୋଗ କରିଛନ୍ତି। ତେବେ ଜଳଛତ୍ର ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆର୍ଏମ୍ସି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ଆର୍ଏମ୍ସି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।