ରାୟଗଡ଼ା: ୧୬ ସେଣ୍ଟ୍ ଜମି ମାଡ଼ି ବସିଛି କମ୍ପାନୀ। ଅକ୍ତିଆର ଜମି ବାବଦକୁ କ୍ଷତିପୂରଣ ମଧ୍ୟ ଦେଉନି। କୋର୍ଟ ଆଦେଶକୁ କମ୍ପାନି ଭୃକ୍ଷେପ କରୁନଥିବାବେଳେ କୋର୍ଟ, କଚେରୀ ମାମଲା କହି ଅଭିଯୋଗକୁ ଏଡ଼ାଇ ଚାଲିଛି ପ୍ରଶାସନ। ୧୭ ବର୍ଷ ନ୍ୟାୟ ପାଇଁ ଦୌଡ଼ି ସବୁଠି ନିରାଶ ହେବା ପରେ ଶେଷରେ ଜୀବନ ହାରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୃଦ୍ଧ ଦମ୍ପତି। ଜମି ଫେରି ନ ପାଇଲେ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା କରି ମରିବୁ ବୋଲି ରୋକଠୋକ୍ ଜଣାଇ ଦେଇଛନ୍ତି। କାଶୀପୁର ବ୍ଲକ୍ ହାଡିଗୁଡା ପଞ୍ଚାୟତ ଡିମୁଣ୍ଡି ମୌଜାର ଖାତା ନଂ-୧୨୫, ପ୍ଲଟ ନଂ-୧୧୦୩/୧୫୦୫ ରେ ବାସନ୍ତୀ ତୁରୁକଙ୍କ ୧୦୦ ସେଣ୍ଟ୍ ଜମି ରହିଛି। ଉତ୍କଳ ଆଲୁମିନା ନିର୍ମାଣ ସମୟରେ ରେଳଲାଇନ୍ ବାବଦକୁ କମ୍ପାନୀ ବାସନ୍ତୀଙ୍କ ନିକଟରୁ ୪୪ ସେଣ୍ଟ୍ ଜମି ଅଧିଗ୍ରହଣ କରି କ୍ଷତିପୂରଣ ପ୍ରଦାନ କରିଥିଲା। ବାସନ୍ତୀଙ୍କ ନିକଟରେ ବଳକା ୫୬ ସେଣ୍ଟ୍ ଜମି ରହିଥିବାବେଳେ କମ୍ପାନୀ ନିଜସ୍ବ କାର୍ଯ୍ୟାଳୟର ଫାଟକ ନିର୍ମାଣ ସମୟରେ ଆଉ ୧୬ ସେଣ୍ଟ୍ ଜମି ମାଡ଼ି ବସିଛି। କମ୍ପାନୀର ପ୍ରମୁଖ ଫାଟକ ନିକଟରେ ଏହି ଜମି ଥିଲେ ମଧ୍ୟ କ୍ଷତିପୂରଣ ବାବଦକୁ ଆଜି ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ବାସନ୍ତୀଙ୍କୁ ମିଳିନି। କ୍ଷତିପୂରଣ ଦାବିରେ ବାସନ୍ତୀଙ୍କ ସ୍ବାମୀ ଫିଲିପସ୍ ବେହେରାଙ୍କ ସହ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। କିନ୍ତୁ କମ୍ପାନୀ ପକ୍ଷରୁ ସେମାନଙ୍କୁ ଭୟଭୀତ କରି ଘଉଡାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନ୍ୟାୟ ପାଇଁ ଦମ୍ପତି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।
କୋର୍ଟଙ୍କ ନିର୍ଦେଶରେ କୁଚେଇପଦର ସହକାରୀ ରାଜସ୍ବ ନୀରିକ୍ଷକ ୨୦୨୧ ସେପ୍ଟେମ୍ବର ୩ ତାରିଖରେ ଜମିର ସରଜମିନ୍ ତଦନ୍ତ କରିଥିଲେ। ତଦନ୍ତ ସମୟରେ କମ୍ପାନୀ ଅଧୀନରେ ୧୬ ସେଣ୍ଟ୍ ଜମି ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଇଡକୋ ମଧ୍ୟ ରାସ୍ତା ନିର୍ମାଣ ସମୟରେ ବାସନ୍ତୀଙ୍କ ଜମିକୁ ବିନା କ୍ଷତିପୂରଣରେ ଅକ୍ତିଆର କରିଥିବା ଜଣା ପଡିଥିଲା। ତଦନ୍ତ ପରେ କମ୍ପାନୀ ଅକ୍ତିଆରରେ ଥିବା ଜମି ବଦଳରେ ଅନ୍ୟ ଏକ ସ୍ଥାନରେ ଦମ୍ପତ୍ତିଙ୍କୁ ଜମି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଆଜି ସୁଦ୍ଧା ତାହା ସମ୍ଭବ ହୋଇପାରିନି। କ୍ଷତିପୂରଣ ପ୍ରଦାନ ନେଇ କମ୍ପାନୀର ମନମାନି ବିରୁଦ୍ଧରେ ୨୦୨୧ରେ ବାସନ୍ତୀ ଓ ଫିଲିପସ୍ କାଶୀପୁର ତହସିଲ ସମ୍ମୁଖରେ ୧୦୧ ଦିନ ଧରି ଧାରଣାରେ ବସିଥିଲେ। ଧାରଣା ସମୟରେ କାଶୀପୁର ତହସିଲ କର୍ତ୍ତୃପକ୍ଷ ଦିନେ ମଧ୍ୟ ଦମ୍ପତ୍ତିଙ୍କ ସହ ଆଲୋଚନା କରିନଥିବା ବେଳେ କିଛି ସାମାଜିକ କର୍ମୀ ଦମ୍ପତ୍ତିକୁ ବୁଝାଶୁଝା କରି ଧାରଣାରୁ ଉଠାଇଥିଲେ। ଏହା ପରେ ଜମି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ ପାଇଁ ସୂଚନା ଅଧିକାର ଆଇନ ବଳରେ କାଶୀପୁର ତହସିଲଦାରଙ୍କୁ ଆବେଦନ କରାଯାଇଛି।
ଯାହାର ଉତ୍ତର ଆଜି ସୁଦ୍ଧା ମିଳିନି। ନ୍ୟାୟ ବଦଳରେ ଜମି ପାଇଁ ମାନସିକ ଦୁଶ୍ଚିନ୍ତାରେ ଦମ୍ପତ୍ତି ଦିନ କାଟୁଥିବାରୁ ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କୁ ସାକ୍ଷାତ କରି ଜୀବନ ହାରିବାକୁ ଲିଖିତ ଭାବେ ଅବଗତ କରିଛନ୍ତି। ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଚେତାବନୀ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଦମ୍ପତ୍ତି ପହଞ୍ଚିବା ପରେ ପୁଲିସ୍ କଡା ସୁରକ୍ଷାରେ ଜିଲ୍ଲାପାଳଙ୍କ ନିକଟକୁ ନେଇଥିଲା। କୋର୍ଟ ଏହି ମାମଲାର ବିଚାର କରିବ କହି ଜିଲ୍ଲାପାଳ ଦମ୍ପତ୍ତିକୁ ଫେରାଇ ଦେବା ପରେ ଦୀର୍ଘ ସମୟ ଧରି ଦମ୍ପତ୍ତି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିଲେ।