ଦୂର ସଞ୍ଚାର ଉପଦେଷ୍ଟା କମିଟିରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ୫ ଜଣ, ‌୧୪୮୨ ଗାଁକୁ ମୋବାଇଲ୍ ସଂଯୋଗ ନେଇ ଫିଟିବ ବାଟ

ରାୟଗଡ଼ା: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ଦୂର ସଞ୍ଚାର ଉପଦେଷ୍ଟା କମିଟିରେ ସ୍ଥାନ ପାଇଛନ୍ତି କୋରାପୁଟ ସଂସଦୀୟ କ୍ଷେତ୍ରର ୫ ଜଣ। କମିଟିରେ ରାୟଗଡ଼ା ଜିଲ୍ଲାରୁ ବିଜୟ କୁମାର ଗମାଙ୍ଗ, ଶଙ୍କର୍ଷଣ ମଙ୍ଗରାଜ, ଦୁର୍ଗା ଶଙ୍କର ସାହୁ, କୋରାପୁଟରୁ ଅଜିତ୍ ଦାଶ ଓ ପଞ୍ଚାନନ କରକରିଆ ସ୍ଥାନ ପାଇଛନ୍ତି। କୋରାପୁଟ ସଂସଦୀୟ କ୍ଷେତ୍ରରୁ ୫ ବ୍ୟକ୍ତି ବିଶେଷ ଦୂର ସଞ୍ଚାର କମିଟିରେ ସ୍ଥାନ ପାଇବା ପରେ ରାୟଗଡ଼ା ଜିଲ୍ଲାର ୯୬୨, କୋରାପୁଟ ଜିଲ୍ଲାର ୫୨୦ ଗାଁ ମୋବାଇଲ୍ ନେଟୱର୍କ ସହ ଯୋଡ଼ି ହେବା ନେଇ ବାଟ ଫିଟିବ ବୋଲି ସୂଚନା ଦେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା।

ରାୟଗଡ଼ା ଜିଲ୍ଲାର ୬୯ଟି ପଞ୍ଚାୟତ ମୋବାଇଲ୍ ନେଟୱର୍କ ସେବାରୁ ବଞ୍ଚିତ ହୋଇ ରହିଛି। ଏହି ସବୁ ପଞ୍ଚାୟତକୁ ମୋବାଇଲ୍ ସେବା ସହ ୪-ଜି ନେଟୱର୍କ ଯୋଗାଇ ଦେବାକୁ ସଂସଦରେ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଛନ୍ତି ସାଂସଦ ଉଲାକା। ନିକଟରେ କେନ୍ଦ୍ର ଦୂର ସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ୬୯ ପଞ୍ଚାୟତକୁ ୪ଜି ମୋବାଇଲ୍ ସେବା ଯୋଗାଇ ଦେବାକୁ ସଂସଦରେ ଘୋଷଣା କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ଏବେ ସୁଦ୍ଧା ମୋବାଇଲ୍ ଟାୱାର ପ୍ରତିଷ୍ଠା କାମ ଆରମ୍ଭ ହୋଇପାରିନି। ଫଳରେ ରାୟଗଡ଼ା ବ୍ଲକର ୮ ପଞ୍ଚାୟତ, କୋଲନରା ବ୍ଲକର ୬ ପଞ୍ଚାୟତ, ଚନ୍ଦ୍ରପୁର ବ୍ଲକର ୪ ପଞ୍ଚାୟତ, ମୁନିଗୁଡ଼ା ବ୍ଲକର ୨ ପଞ୍ଚାୟତ, କଲ୍ୟାଣସିଂହପୁର ବ୍ଲକର ୬ ପଞ୍ଚାୟତ, ମୁନିଗୁଡ଼ା ବ୍ଲକର ୯ ପଞ୍ଚାୟତ, ଗୁଣପୁର ବ୍ଲକର ୧୦ ପଞ୍ଚାୟତ, କାଶୀପୁର ବ୍ଲକର ୧୫ ପଞ୍ଚାୟତ, ରାମନାଗୁଡା ବ୍ଲକର ୨ ପଞ୍ଚାୟତ, ଗୁଡାରି ବ୍ଲକର ୪ ପଞ୍ଚାୟତ, ପଦ୍ମପୁର ବ୍ଲକର ୩ ପଞ୍ଚାୟତବାସୀ ମୋବାଇଲ୍ ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଦୂର ସଞ୍ଚାର କମିଟିରେ ଜିଲ୍ଲାର ୩ ବ୍ୟକ୍ତି ବିଶେଷ ସ୍ଥାନ ପାଇବା ପରେ ବିଏସଏନଏଲର ପ୍ରତ୍ୟେକ ବୈଠକରେ ଏ ନେଇ ଦାବି ଉପସ୍ଥାପନା କରାଯିବ। ଖୁବ୍ ଶୀଘ୍ର ଏହି ସମସ୍ତ ପଞ୍ଚାୟତକୁ ମୋବାଇଲ୍ ସେବା ଯୋଗାଇ ଦେବାକୁ ବାରମ୍ବାର କେନ୍ଦ୍ର ଦୂର ସଞ୍ଚାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ମନୋନିତ ବ୍ୟକ୍ତି ବିଶେଷ କାମ କରିବେ।

ସେହିପରି କୋରାପୁଟ ଜିଲ୍ଲାର ୫୨୦ ଗାଁ ମୋବାଇଲ୍ ସେବାରୁ ବଞ୍ଚିତ ହୋଇଥିବା ବେଳେ ଏହି ସମସ୍ତ ଗାଁରେ ଟାୱାର୍ ପ୍ରତିଷ୍ଠା ସହ ୪-ଜି ସେବା ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଥିଲେ। ଯାହା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବର୍ତ୍ତମାନ ଅନଲାଇନରେ କାର୍ଯ୍ୟକାରୀ ହେଉଥିବା ବେଳେ ମନରେଗା ମଜୁରି, ଭତ୍ତା ଟଙ୍କା, ଆବାସ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ପାସ୍ ବୁକକୁ ଆସୁଛି। ଏ ସଂପର୍କିତ ସମସ୍ତ ସୂଚନା ହିତାଧିକାରୀଙ୍କ ମୋବାଇଲକୁ ମ୍ୟାସେଜ୍ ଜରିଆରେ ଦେବାକୁ ସରକାର ନିୟମ କରିଛନ୍ତି। କିନ୍ତୁ ଅଧିକାଂଶ ଗ୍ରାମରେ ମୋବାଇଲ୍ ନେଟୱର୍କ ନଥିବାରୁ ଶହ ଶହ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। କୋରାପୁଟ ସଂସଦୀୟ କ୍ଷେତ୍ରର ବହୁ ଗାଁ ଦୁର୍ଗମ ଓ ପାହାଡ଼ିଆ ଇଲାକାରେ ରହିଥିବାରୁ ଏହି ଅଞ୍ଚଳର ହିତାଧିକାରୀ ସରକାରୀ ଯୋଜନାର ସୁଫଳ ସଂପର୍କିତ ସୂଚନା ପାଇଁ ଚାଲି ଚାଲି, ଅଟୋ ଭଡା କରି ବାରମ୍ବାର ବ୍ଲକ୍, ପଞ୍ଚାୟତ ଓ ଜିଲ୍ଲା ସଦର ମହକୁମାକୁ ଆସି ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ମୋବାଇଲ୍ ସମସ୍ୟା ଯୋଗୁ ବାତ୍ୟା, ବନ୍ୟା ସମୟରେ ମଧ୍ୟ ଲୋକେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର