ବୋତଳମା ପଂଚାୟତ: ଉନ୍ନୟନ ପାଇଁ ଅର୍ଥ ନାହିଁ, ଅର୍ଥ ଥିଲେ ବ୍ୟବସ୍ଥା ନାହିଁ

ସିକୋ): ବେଗୁନିଆ ବ୍ଲକ ବୋତଳମା ପଂଚାୟତରେ ଉନ୍ନୟନ କାର୍ଯ୍ୟକୁ ନେଇ ସଂପ୍ରତି ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ପଂଚାୟତର ଅଧିକାଂଶ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥର ଅଭାବ ଥିବା ବେଳେ ଯେଉଁ କାର୍ଯ୍ୟ ପାଇଁ ଅନୁଦାନ ରହିଛି ସେଥିପାଇଁ ବ୍ୟବସ୍ଥା ହୋଇପାରୁନାହିଁ ।

ମିଳିଥିବା ସୂଚନାନୁସାରେ, ବର୍ତମାନ ପଂଚାୟତକୁ ମିଳିଥିବା ସମସ୍ତ ଅନୁଦାନ ଓ ପାଣ୍ଠୀ ପ୍ରାୟତଃ ଖର୍ଚ୍ଚ ହୋଇଯାଇଛି । ଏପରିକି ଖର୍ଚ୍ଚ ହୋଇନଥିବା ପାଣ୍ଠୀର ସୁଧ ମଧ୍ୟ ବାହାର କରାଯାଇ ଖର୍ଚ୍ଚ କରିଦିଆଯାଇଛି । ନୂତନ ସରପଂଚ ପ୍ରମୋଦ କୁମାର ଦଳାଇ ଦାୟିତ୍ୱ ନେବା ପରେ ଆବଶ୍ୟକ ପାଣ୍ଠୀ ଅଭାବରୁ ପଂଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ପଂଚାୟତ ପକ୍ଷରୁ କୌଣସି ଯୋଜନା ହୋଇପାରୁନାହିଁ ।

୨୦୨୧-୨୨ରେ ଗାଁରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବ୍ଲକରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ତେବେ କଲ୍ୟାଣ ମଣ୍ଡପ ପାଇଁ ଜାଗା ସ୍ଥିର ହୋଇପାରୁନଥିବାରୁ ଏହି ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ସେହିଭଳି ଗାଁରେ ଏକ ସ୍ଥାୟୀ ଗ୍ରାମାଂଚଳ ହାଟ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଅନୁଦାନ ଅର୍ଥ ମଧ୍ୟ ବ୍ଲକ କର୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଖର୍ଚ୍ଚ ହୋଇପାରୁନାହିଁ । ଗାଁରେ ଥିବା ୭୦ ବର୍ଷର ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ନିର୍ମାଣ ପାଇଁ ପ୍ରତିବର୍ଷ ଅର୍ଥ ବରାଦ ହୋଇ ଖର୍ଚ୍ଚ ହୋଇପାରୁନଥିବାରୁ ଫେରିଯାଉଛି । କାରଣ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜାଗା ରହିଥିବାରୁ ପାଚେରୀ ନିର୍ମାଣ ପାଇଁ ଜମି ଚିହ୍ନଟରେ ଜଟିଳତା ସୃଷ୍ଟି ହେଉଛି । ଏନେଇ ପଂଚାୟତବାସୀଙ୍କ ପକ୍ଷରୁ ଅନେକ ଥର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ବ୍ଲକ କର୍ତୃପକ୍ଷଙ୍କୁ ଆବେଦନ କରାଯାଇଛି, ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବ୍ୟକ୍ତିଙ୍କ ଜମିର ଅନୁରୂପ ମୂଲ୍ୟର ଜମି ଅନ୍ୟସ୍ଥାନରେ ଯୋଗାଇ ଦେଇ ଏହାର ସମାଧାନ କରିବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହେଉନାହିଁ । ପାଚେରୀ ଅଭାବରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଅସାମାଜିକ ବ୍ୟକ୍ତି ଓ ଗାଈଗୋରୁ, କୁକୁର ଆଦିଙ୍କ ଚରାଭୂଇଁ ପାଲଟିଛି ।

ପଂଚାୟତରେ ୧୦ଟି ବଡ଼ ପୋଖରୀ ରହିଛି, କିନ୍ତୁ ଏଗୁଡ଼ିକ ପଂଚାୟତ ଅଧୀନକୁ ଅଣାଯାଇନାହିଁ । ଯଦି ପୋଖରୀଗୁଡ଼ିକ ପଂଚାୟତ ଅଧୀନକୁ ଆସନ୍ତା ଓ ପ୍ରତିବର୍ଷ ନିଲାମ ଦିଆଯାନ୍ତା ତେବେ ପଂଚାୟତର ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିପାରନ୍ତା ବୋଲି ସରପଂଚ ଶ୍ରୀ ଦଳାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର