ସୁନ୍ଦରଗଡ଼: ‘ଡାକ୍ତର ଓ ପୁଲିସ ପାଖକୁ କେହି ଖୁସିରେ ଆସନ୍ତି ନାହିଁ, ଅସୁସ୍ଥ ଓ ଅସୁବିଧାରେ ପଡ଼ିଥିଲେ ସହାୟତା ପାଇଁ ଆସିଥାନ୍ତି। ତେଣୁ ଅଧିକାରୀ ନିଜକୁ ପୀଡ଼ିତ ବା ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କ ସ୍ଥାନରେ ରଖି ବା ତାଙ୍କ ବେଦନାକୁ ଅନୁଭବ କରିପାରିଲେ, ସମ୍ପୃକ୍ତ ବ୍ୟକ୍ତିର ଦୁଃଖ ଅଧା ଲାଘବ ହୋଇଯିବ’। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଆକ୍ସନଏଡ୍ ର ମିଳିତ ଉଦ୍ୟମରେ ‘ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା’ ପ୍ରସଙ୍ଗରେ ଆୟୋଜିତ ସଚେତନତା କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଏହା କହିଛନ୍ତି। ସେ ଆହୁରି କହିଥିଲେ, ‘ନ୍ୟାୟ ପାଇଁ ଥାନାକୁ ଆସୁଥିବା ପୀଡ଼ିତାଙ୍କ ପ୍ରଥମେ କାଉନସେଲିଂ କରି, ଭଲଭାବେ ଅଭିଯୋଗ ଶୁଣି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି।
କେବଳ ମହିଳା ଅଧିକାରୀ ନୁହଁନ୍ତି ଥାନାରେ ଥିବା ପୁରୁଷ ଅଧିକାରୀ ମଧ୍ୟ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଥାନା ସହିତ ସ୍ୱାସ୍ଥ୍ୟ ବିଭାଗ, ଶିଶୁ କଲ୍ୟାଣ କମିଟି ଓ ଅନ୍ୟାନ୍ୟ ବିଭାଗ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ଏବଂ ପୀଡିତାଙ୍କ ପ୍ରତି ପ୍ରତ୍ୟେକ ବିଭାଗ ସହାନୁଭୂତିଶୀଳ ହେବା ଉଚିତ ବୋଲି ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ନାଥ କହିଥିଲେ। ଜାତୀୟ ମହିଳା କମିଶନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଶ୍ରୀ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା, ସମାଜସେବୀ ଆନନ୍ଦିନୀ ପାଢ଼ୀ, ଡିଏସପି ଗୁରୁବାରି ହେମ୍ବ୍ରମ୍, ଡିଏସପି ପ୍ରଦୀପ ବିଶ୍ଵାଳ ଯୋଗଦେଇ ‘ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା’ ପ୍ରସଙ୍ଗରେ ଆଲୋଚନା କରିଥିଲେ । ‘ମହିଳା ଥାନାକୁ ଆସୁଥିବା ନାରୀ ନିର୍ଯାତନା, ଶିଶୁ ନିର୍ଯାତନା ଓ ମାନସିକ ବିକାରଗସ୍ତ ମହିଳାଙ୍କୁ ନିର୍ଯାତନା ସମ୍ପର୍କିତ ଅଭିଯୋଗର ଉପଯୁକ୍ତ କାଉନସେଲିଂ କରିବାକୁ ଅତିଥିମାନେ ଗୁରୁତ୍ୱ ଦେଇଥିଲେ । ପ୍ରତ୍ୟେକ ଥାନାରେ କାଉନସେଲିଂ ପାଇଁ ସ୍ୱତନ୍ତ୍ର କକ୍ଷ ରହିବା ଆବଶ୍ୟକ । ଏହା ସହିତ ଅଭିଯୋଗକାରୀଙ୍କ ସହିତ ଥାନାରେ ଉତ୍ତମ ବ୍ୟହହାର କରାଯିବା ଆବଶ୍ୟକ ରହିଛି ।
/sambad/media/post_attachments/wp-content/uploads/2022/12/aa79ea46-e77c-4e50-b11e-f53948e8840f-1024x576.jpg)
ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ପ୍ରବଣ ଅଞ୍ଚଳ ଓ ଗାଁ ମାନଙ୍କରେ ଅଧିକ ମହିଳା ଓ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି । ଭୃଣ ହତ୍ୟାଠାରୁ ଆରମ୍ଭ କରି ଜଣେ ନାରୀ ନିର୍ଯାତନାର ଶିକାର ହୋଇଥାଏ । ହିଂସା, ଦୁଷ୍କର୍ମ, ହିଂସା, ଦୁଷ୍କର୍ମ ଓ ନିର୍ଯାତନା ଜଣେ ନାରୀର ଶାରିରୀକ ସହିତ ମାନସିକ ସ୍ତରରେ ଅଧିକ ଆଘାତ ପହଞ୍ଚାଇଥାଏ । ଗ୍ରାମାଞ୍ଚଳର ସ୍କୁଲ ପିଲାଙ୍କଠାରୁ ଆମ୍ଭ କରି କଲେଜ ପଢୁଆ ପିଲାମାନେ ଓ ଅଭିଭାବକ ସଚେତନ ହେବା ଆବଶ୍ୟକ । ଏଥିପାଇଁ ଗୋଷ୍ଠୀ ଭିତ୍ତିକ ସଚେତନା, ସ୍କୁଲ ସ୍ତରରେ ସଚେତନତା ଓ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିଶୁ ନିର୍ଯାତନାର ଶିକାର ହେଲେ ତୁରନ୍ତ ଚାଇଲ୍ଡ ଲାଇନକୁ ୧୦୮ ଓ ମହିଳା ନିର୍ଯାତନାର ଶିକାର ହେଲେ ୧୮୧ ନଂରେ କଲ୍ କରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସୁରକ୍ଷା ଅଧିକାରୀ ଚୁଲେଶ୍ଵରି ପଟେଲ ସ୍ୱାଗତ ଭାଷଣ ରଖିଥିଲେ । ଆକ୍ସନଏଡ୍ ର ଆଂଚଳିକ ପରିଚାଳକ ଦେବବ୍ରତ ପାତ୍ର, ଆକ୍ସନଏଡ୍ ର କାର୍ଯ୍ୟକ୍ରମ ଅଧିକାରୀ ବି. ଏନ. ଦୁର୍ଗା ଓ ଘାସିରାମ ପଣ୍ଡା, ମିନାକ୍ଷୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଯୋଗଦେଇଥିଲେ । ଏହା ସହିତ ସବୁ ବ୍ଲକର ସିଡିପିଓ, ସୁପରଭାଇଜର, ପିଆରଆଇ ସଦସ୍ୟ, କଲେଜ ଛାତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ଆଶା କର୍ମୀ ଓ ଅଙ୍ଗନବାଡ଼ିକର୍ମୀ ଓ ନିର୍ଯାତନାର ଶିକାର ମହିଳା ସାମିଲ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/d1ea0665-f916-4022-8168-c115b6812dc9.jpg)