ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ସେବା ସଙ୍କଟ ଦେଇ ଗତି କରୁଛି। ଡାକ୍ତର, ନର୍ସଙ୍କ ଅଭାବ ଲାଗି ରହିଥିବା ବେଳେ ଉନ୍ନତମାନର ଚିକିତ୍ସା ସେବା ଜିଲ୍ଲାବାସୀଙ୍କୁ କେବେ ମିଳିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ସବୁଠୁ ସାଂଘାତିକ କଥା ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାୟୀ ଆନାସ୍ଥେସିଆ ଡାକ୍ତର ନାହାନ୍ତି। ଜଣେ ଏମ୍‌ବିବିଏସ୍ ଡାକ୍ତର ଏହି ଦାୟିତ୍ବରେ ରହିଛନ୍ତି। ଦିନ ବେଳା ତ ଚଳିଯାଉଛି। ରାତିରେ କିନ୍ତୁ ସ୍ଥିତି ସଙ୍ଗିନ। ଅସ୍ତ୍ରୋପଚାର ହେବାକୁ ଥିବା ପ୍ରସୂତିଙ୍କୁ ଏସ୍‌ସିବି ମେଡିକାଲ୍ ପଠାଯାଉଛି। ଯଦି ଅଧିକ ଆବଶ୍ୟକ ପଡ଼ୁଛି ତାହେଲେ ସମ୍ପୃକ୍ତ ଡାକ୍ତରଙ୍କୁ ଡକାଯାଉଛି। ଯାହା ଏବେ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଜଣେ ସ୍ଥାୟୀ ଆନାସ୍ଥେସିଆ ଡାକ୍ତର ଯୋଗାଇ ଦେବାକୁ ଦାବି ହୋଇଛି। ସେହିପରି ୧୦ ବେଡ୍ ଆଇସିୟୁ କୋଠା ପ୍ରସ୍ତୁତ ହୋଇସାରିଛି। ଯନ୍ତ୍ରାଂଶ ମଧ୍ୟ ଲାଗି ସାରିଲାଣି। କିନ୍ତୁ ଆଇସିୟୁ ବିଶେଷଜ୍ଞ ନାହାନ୍ତି। କେବେ ମିଳିବେ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି। ରୋଗୀଙ୍କୁ ଆଇସିୟୁ ସେବା ମିଳିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ସେହିପରି ରେଡିଓଲୋଜିଷ୍ଟ ନ ଥିବାରୁ ସାଧାରଣ ରୋଗୀଙ୍କର ଅଲଟ୍ରାସାଉଣ୍ଡ ହୋଇପାରୁ ନାହିଁ। କେବଳ ପ୍ରସୂତିଙ୍କ ପାଇଁ ଏହି ସେବା ଉପଲବ୍ଧ ହୋଇପାରୁଛି। ସେହିପରି ରାତିରେ ଏକ୍ସ-ରେ ବ୍ୟବସ୍ଥା ନାହିଁ। ଅପରାହ୍ନ ୫ଟା ଯାଏଁ ଏହି ସେବା ମିଳିପାରୁଛି। ଜଗତସିଂହପୁର ମୁଖ୍ୟାଳୟରେ ସିଟି ସ୍କାନ୍ ସୁବିଧା ନ ଥିବାରୁ ରୋଗୀଙ୍କୁ କଟକ ଯିବାକୁ ପଡ଼ୁଛି। ଯାହା ଆଉ ଏକ ଦୟନୀୟ ଅବସ୍ଥା। ରେଡିଓଲୋଜିଷ୍ଟ ନିଯୁକ୍ତ ହେଲେ ଏହି ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବ ବୋଲି କୁହାଯାଉଛି। ବର୍ଷ ବର୍ଷ ଧରି ଡାକ୍ତର ସମସ୍ୟା ଲାଗି ରହିଛି। ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ୫୮ ଡାକ୍ତର ପଦବି ଥିବା ବେଳେ ମାତ୍ର ୪୦ ଜଣ ଅଛନ୍ତି। ୬ ଜଣ ସୁପର୍‌ ‌ସ୍ପେସାଲିଷ୍ଟ ଡାକ୍ତର ମୁଖ୍ୟ ଚିକିତ୍ସାଳୟରୁ ଦରମା ପାଉଥିବା ବେଳେ ଏସ୍‌ସିବି ମେଡିକାଲରେ ଡ୍ୟୁଟି କରୁଛନ୍ତି। ଡାକ୍ତରଙ୍କ ଯଥେଷ୍ଟ ଅଭାବ ରହିଛି। ନର୍ସଙ୍କ ଅଭାବ କଥା ନ କହିଲେ ଭଲ। ୭୨ ନର୍ସ ପଦବିରୁ ମାତ୍ର ୩୨ ଜଣ ନିଯୁକ୍ତ ଅଛନ୍ତି। ଯାହା ୫୦ ପ୍ରତିଶତରୁ ମଧ୍ୟ କମ୍। ତେଣୁ ଡାକ୍ତର, ନର୍ସ ଯୋଗାଇ ଦେବା ପାଇଁ ଦାବି ହୋଇ ଆସୁଛି।

ମଡେଲ୍ ହସ୍ପିଟାଲ୍‌ ହେବ....
ଶୁକ୍ରବାର ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ଚିକିତ୍ସାଳୟ ବୁଲି ନିର୍ମାଣାଧୀନ ମାତୃ ଓ ଶିଶୁ ହସ୍ପିଟାଲ୍‌ (ଏମ୍‌ସିଏଚ୍) କୋଠାର କାର୍ଯ୍ୟ ତଦାରଖ କରିଛନ୍ତି। ସେହିପରି ଆଇସିୟୁ କୋଠା ମଧ୍ୟ ବୁଲିଛନ୍ତି। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ଅଭାବ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଜଣେ ଆନାସ୍ଥେସିଆ ଡାକ୍ତର, ମେଡିସିନ୍ ସ୍ପେସାଲିଷ୍ଟ ଓ ରେଡିଓଲୋଜିଷ୍ଟ, ନର୍ସ ପଦବି ପୂରଣ ପାଇଁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ବିଧାୟକଙ୍କ ନିକଟରେ ଦାବି ରଖିଛନ୍ତି। ଜିଲ୍ଲା ହସ୍ପିଟାଲ୍‌ ମଡେଲ୍ ହସ୍ପିଟାଲ୍‌ ହେବ ବୋଲି ବିଧାୟକ ଶ୍ରୀ ମୁଦୁଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ଆଗାମୀ ବର୍ଷକ ଭିତରେ ହସ୍ପିଟାଲର ରୂପରେଖ ବଦଳିବ ବୋଲି ସେ କହିଛନ୍ତି।