ମୁରବିବିହୀନ ଗୁଣପୁର ଆଇଟିଡିଏ, ଅତିରିକ୍ତ ଦାୟିତ୍ବରେ ଚାଲିଛି ୧୦ କୋଟିର ଯୋଜନା

ରାୟଗଡ଼ା: ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଜିଲ୍ଲାରେ ମୁରବି ବିହୀନ ହୋଇ ପଡିଛି ଗୁଣପୁର ଆଇଟିଡିଏ। ଆଦିବାସୀଙ୍କ ବିକାଶର ମଙ୍ଗ ଧରିଥିବା ଏହି ସଂସ୍ଥା ଏବେ ଚାଲିଛି ଅତିରିକ୍ତ ଦାୟିତ୍ବରେ। ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରତ ଥିବା ଗୋରାଚାନ୍ଦ ଗମାଙ୍ଗ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା ଭାରପ୍ରାପ୍ତ ଦାୟିତ୍ବ ତୁଲାଉଛନ୍ତି। ଦେଢ଼ ମାସ ହେଲା ସରକାର ନିଯୁକ୍ତି ପ୍ରକ୍ରିୟାକୁ ଝୁଲାଇ ରଖିଥିବାରୁ କୋଟି କୋଟି ଟଙ୍କାର ଯୋଜନା ଦିଗହରା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ରାୟଗଡ଼ା ଜିଲ୍ଲାର ୧୧ ବ୍ଲକ୍ ମଧ୍ୟରୁ ୭ଟି ବ୍ଲକ ଗୁଣପୁର ଆଇଟିଡିଏ (ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା) ଅଧୀନରେ ରହିଛି। ବିଷମକଟକ, ଚନ୍ଦ୍ରପୁର, ମୁନିଗୁଡ଼ା, ଗୁଡାରି ଭଳି ଅପହଞ୍ଚ ଅଞ୍ଚଳ ଆଇଟିଡିଏ ଅଧୀନରେ ଥିବା ବେଳେ ସର୍ବାଧିକ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଲୋକ ଓ ସ୍କୁଲ୍ ଛାତ୍ରଛାତ୍ରୀ ଏହି ବ୍ଲକରେ ଅଛନ୍ତି।

ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ହାଇସ୍କୁଲ୍, ସେବାଶ୍ରମ, ଛାତ୍ରାବାସର ନିର୍ମାଣ ଓ ମରାମତି ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଆଇଟିଡିଏ। ଏଥିସହ ଆଦିବାସୀ ଇଲାକାରେ ବିଭିନ୍ନ ନିର୍ମାଣଧୀନ କାମ ଆଇଟିଡିଏ ଦ୍ବାରା ସଂପାଦିତ ହେଉଛି। ବାର୍ଷିକ ୧୦ କୋଟି ଟଙ୍କାର ଯୋଜନା ଗୁଣପୁର ଆଇଟିଡିଏ ଦ୍ବାରା ପରିଚାଳନା ହେଉଛି। ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ବାବଦକୁ ବାର୍ଷିକ ୩ରୁ ସାଢ଼େ ୪ କୋଟି, କେନ୍ଦ୍ର ସରକାର ୨ରୁ ୩ କୋଟି, ଓପିଲିପି (ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ) ଓ ଓଟିଏଲଇପି ଯୋଜନା ବାବଦକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ ଯୋଗାଇ ଦେଉଛନ୍ତି। ଏହା ବାଦ୍ ଜିଲ୍ଲାସ୍ତରରୁ ଜିଲ୍ଲାପାଳଙ୍କ ନିର୍ଦେଶରେ ବିଜୁ କେବିକେ, ଡିଏମଏଫ୍ ଅନୁଦାନ ଅର୍ଥରେ ହେବାକୁ ଥିବା ନିର୍ମାଣ କାମକୁ ଆଇଟିଡିଏକୁ ପ୍ରଦାନ କରାଯାଉଛି। ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି ଅର୍ଥରେ ଆଦିବାସୀ ଇଲାକାରେ ନିର୍ମାଣ ହେଉଥିବା କଲ୍ୟାଣ ମଣ୍ଡପ, ସିସି ରୋଡ୍ ନିର୍ମାଣ ଦିଗରେ ମଧ୍ୟ ଆଇଟିଡିଏର ଭୂମିକା ରହିଛି।

ଅନ୍ୟପକ୍ଷରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ପ୍ରତି ଆଦିବାସୀ ଗାଁରେ ନିର୍ମାଣ ଚାଲିଥିବା ଗୋଷ୍ଠୀ ମଣ୍ଡପ, ସଂସ୍କୃତି ମଣ୍ଡପ, ଧାର୍ମିକ ସ୍ଥଳର ପୁନରୁଦ୍ଧାର କାମ ମଧ୍ୟ ହାତକୁ ନେଇଛି ଆଇଟିଡିଏ। ଆଦିବାସୀଙ୍କ ଜୀବନ ଜୀବିକାର ବିକାଶ ପାଇଁ ମନରେଗା ଯୋଜନା ମାଧ୍ୟମରେ ଓପିଲିପି ବିଭିନ୍ନ କାର୍ଯ୍ୟ ହାତକୁ ‌ନେଇ ବହୁ ହିତାଧିକାରୀଙ୍କୁ ସାମିଲ୍ କରିଛି। ଚାଟିକଣା ସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ)ର ମଧ୍ୟ କନଷ୍ଟ୍ରକସନ୍ କାମ ଆଇଟିଡିଏ ଉପରେ ନ୍ୟସ୍ତ ହୋଇଛି। ଏହି ସବୁ ଯୋଜନା ତଦାରଖ କ୍ଷେତ୍ରରେ ପ୍ରକଳ୍ପ ପ୍ରଶାସକଙ୍କ ଗୁରୁ ଦାୟିତ୍ବ ରହିଛି। କିନ୍ତୁ ଶ୍ରୀ ଗମାଙ୍ଗଙ୍କ ଅବସର ପରେ ନୂତନ ନିଯୁକ୍ତି ହୋଇ ପାରୁନଥିବାରୁ ଦେଢ଼ ମାସ ହେଲା ଗୁଣପୁର ଆଇଟିଡିଏ ଅତିରିକ୍ତ ଦାୟିତ୍ବରେ ଚାଲିଛି। ଗୁଣପୁର ଉପଖଣ୍ଡ ପ୍ରଶାସନ ଦାୟିତ୍ବ ସହ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଉଥିବା ଉପଜିଲ୍ଲାପାଳ ଆଇଟିଡିଏ ଦ୍ବାରା ନିର୍ମାଣଧୀନ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚି ତଦାରଖ କରି ପାରୁ ନାହାଁନ୍ତି।

ଗୁଣପୁରରୁ ଚନ୍ଦ୍ରପୁରରୁ ଦୂରତା (ଗୁଡାରି ଦେଇ) ୮୬ କିମି ହେଉଥିବା ବେଳେ ମୁନିଗୁଡ଼ା, ବିଷମକଟକ ଦେଇ ଗ‌ଲେ ୧୪୦ କିମି ପଡୁଛି। ଫଳରେ ଏହି ସବୁ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ପହଞ୍ଚିବା ଅତିରିକ୍ତ ଅଧିକାରୀଙ୍କ ପାଇଁ ପକ୍ଷେ ସମ୍ଭବପର ନୁହେଁ। କରୋନା ସଂକ୍ରମଣ ପରେ ଆଇଟିଡିଏକୁ ସରକାରୀ ଅନୁଦାନ କମିବାରେ ଲାଗିଛି। ୨୦୨୦-୨୧ ବର୍ଷରେ ଗୁଣପୁର ଆଇଟିଡିଏକୁ ୨ କୋଟି ଅନୁଦାନ ମିଳିଥିଲା। ଚଳିତବର୍ଷ ଯୋଜନା କମିଟି ବୈଠକ ବସି ନଥିବାରୁ ଟଙ୍କାଟିଏ ଅନୁଦାନ ଆସିନି। ସ୍ଥିତି ସ୍ବାଭାବିକ ପରେ ଅନୁଦାନ ବଢ଼ିବା ସହ ସ୍ଥଗିତ ପ୍ରକଳ୍ପର କାମ ତ୍ବରାନିତ ହେବାରେ ଲାଗିଛି। ଅନ୍ୟପକ୍ଷରେ ବନ୍ଦ ଥିବା ସ୍କୁଲ୍, ସେବାଶ୍ରମ, ଛାତ୍ରାବାସ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବା ପରେ ସେ ଗୁଡ଼ିକର ମରାମତି ଆରମ୍ଭ ହୋଇଛି। ଏପରି ସ୍ଥିତିରେ ସ୍ଥାୟୀ ଅଧିକାରୀଙ୍କ ନିଯୁକ୍ତି ଜରୁରୀ ହୋଇ ପଡିଛି।

ସମ୍ବନ୍ଧିତ ଖବର