ବଣ୍ଡାଘାଟି ଚଢିପାରୁନାହିଁ ଅନଲାଇନ ଶିକ୍ଷା, ମୋବାଇଲ ସହ ନେଟୱାର୍କ ନଥିବାରୁ ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

ମାଲକାନଗିରି: ସରକାର କରୋନା କଟକଣା ମଧ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଅନଲାଇନ ମାଧ୍ୟମରେ ପରିଚାଳନା କରୁଥିବା ବେଳେ ଏହାଦ୍ବାରା ଅନେକ ଅଂଚଳରେ ଛାତ୍ରଛାତ୍ରୀ କିଛି ମାତ୍ରାରେ ପାଠ ପଢିବା ସହ ଜଡିତ ହେଉଥିବାର ଦେଖିବାକୁ ମିଳିଛି। କିନ୍ତୁ ମାଲକାନଗିରି ଜିଲ୍ଲାର ବହୁ ସ୍ଥାନରେ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀ ଏହି ଅନଲାଇନ ଶିକ୍ଷାରୁ ବଂଚିତ ହେଉଛନ୍ତି। ସେଥିମଧ୍ୟରୁ ବଣ୍ଡାଘାଟି ଅନ୍ୟତମ। ବଣ୍ଡାଘାଟିରେ ଅନଲାଇନ ଶିକ୍ଷାରୁ ସଂପୂର୍ଣ୍ଣ ବଂଚିତ ହୋଇ ରହିଛନ୍ତି ଛାତ୍ରଛାତ୍ରୀ। ବଣ୍ଡାଘାଟିରେ ନା ମୋବାଇଲ ନେଟୱାର୍କ ସେବାର କୌଣସି ବ୍ୟବସ୍ଥା ରହିଛି ନା ବଣ୍ଡା ସଂପ୍ରଦାୟର ଲୋକଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି। ତେଣୁ ଛାତ୍ରଛାତ୍ରୀ ଗତ ୨ ବର୍ଷ ହେଲା ପାଠ ପଢିନଥିବାବେଳେ ଜଂଗଲରେ ବୁଲିବା, ଖେଳିବା, ଚାଷ କରିବା ସହ ପରିବାର ସହ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଝିଅମାନେ ମା’ମାନଙ୍କୁ ସାହାଯ୍ୟ କରୁଥିବା ବେଳେ ପୁଅମାନେ ଜଂଗଲରୁ କାଠ ଆଣିବା, ବିଲରେ କାମ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ଶିକ୍ଷା ବିଭାଗ ଏହାକୁ ସ୍ବୀକାର କରିବା ସହ ଖୁବ ଶୀଘ୍ର ଘାଟିରେ ଶିକ୍ଷକମାନଙ୍କୁ ପଠାଇ ଶିକ୍ଷାର ବ୍ୟବସ୍ଥା କରିବେ ବୋଲି କୁହାଯାଇଛି।

ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଂଚଳ ମଧ୍ୟରେ ଖଇରପୁଟ ବ୍ଲକର ବଣ୍ଡାଘାଟି ଅନ୍ୟତମ। ଏହି ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ରହିଛି। ଦୁଇଟି ପଞ୍ଚାୟତର ୩୨ ଗ୍ରାମରେ ପ୍ରାୟ ୭ ହଜାର ବଣ୍ଡା ସଂପ୍ରଦାର ଲୋକେ ଏହି ଦୁଇ ପଞ୍ଚାୟତରେ ବସବାସ କରୁଛନ୍ତି। ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉପରେ ରହିଥିବା ଏହି ବଣ୍ଡାଘାଟିରେ ରହୁଥିବା ଆଦିମ ଜନଜାତି ବଣ୍ଡା ନିଜର ପାରଂପରିକ ଜୀବନଶୈଳୀରେ ବଂଚିବାର ଶିଖିଛନ୍ତି। ଘାଟିରେ ସ୍କୁଲ ଅଛି ସତ କିନ୍ତୁ ଏଠାରେ ବର୍ଷ ବର୍ଷ ଧରି ଶିକ୍ଷକମାନଙ୍କ ଦେଖା ମିଳିନଥାଏ। ଏବେ କରୋନା ଶିକ୍ଷକମାନଙ୍କୁ ଆହୁରି ସୁବିଧା କରିଦେଇଛି। ଘାଟିରେ ମୋବାଇଲ ସେବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଗରିବ ବଣ୍ଡା ଲୋକେ ମୋବାଇଲ ଧରିବା ଶିଖିନାହାନ୍ତି।ପିଲାମାନେ ଦଶମ ପାଠ ପଢିବା ପରେ ଗାଁରେ ନରହି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଏପରିକି ସବୁଠାରୁ ଅଧିକା ଝିଅମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ବର୍ତ୍ତମାନ ସ୍କୁଲ ଯିବାର ଏବଂ ପାଠ ପଢିବାର ସମୟ ହୋଇଥିଲେ ବି କରୋନା କଟକଣା ଯୋଗୁଁ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନର ବ୍ୟବସ୍ଥା କରିଛନ୍ତି।

ଏଠାରେ ପିଲା ପାଠ ନପଢି ଖେଳକୁଦରେ ଦିନ କାଟୁଛନ୍ତି। ସରକାରଙ୍କର ଅନଲାଇନ ଶିକ୍ଷା ବ୍ୟବସ୍ଥା ବଣ୍ଡାଘାଟି ଚଢିପାରୁନାହିଁ। ଆଜି ପର୍ଯ୍ୟନ୍ତ ବଣ୍ଡାଘାଟିରେ କୌଣସି ମୋବାଇଲ ନେଟୱାର୍କ ବ୍ୟବସ୍ଥା କରାଯାଇନାହିଁ। କାଁ ଭାଁ କିଛି ଲୋକଙ୍କ ପାଖରେ ଫୋନ ଥିଲେ ମଧ୍ୟ ସେମାନେ ପାହାଡ, ପର୍ବତ ଚଢିଲେ ମଧ୍ୟ ନେଟୱାର୍କ ଆସୁନଥିବା କହିଛନ୍ତି। ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ନିଜର କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଲିଛି। ଏହି ଛାତ୍ରଛାତ୍ରୀ ନୂତନ ପାଠ୍ୟକ୍ରମ ପଢିବେ କଣ ଦୀର୍ଘ ଦିନ ହେଲା ପାଠ ସହ ଜଡିତ ନଥିବାରୁ ଧିରେ ଧିରେ ସେହି ପାଠ ମଧ୍ୟ ଭୁଲିଗଲେଣି ବୋଲି କୁହାଯାଇଛି। ଆଗାମୀ ଦିନରେ ଯଦି ଏଭଳି ପରିସ୍ଥିତି ରହେ ତେବେ ଅନ୍ୟ ପିଲାଙ୍କ ସହ ସମକକ୍ଷ ହେବେ କଣ ସ୍କୁଲରୁ ଅଧାରୁ ପାଠ ଛାଡିବାର ପରିସ୍ଥିତି ଉପୁଜିଲାଣି। ବଣ୍ଡାଘାଟିରେ ସରକାରଙ୍କ ତରଫରୁ ମୋବାଇଲ ସେବା ଯୋଗାଇବା ସହ ଗରିବ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ଦାବି ହୋଇଛି। ବଣ୍ଡାଜାତି ଧିରେ ଧିରେ ଆଧୁନିକ ସଭ୍ୟତା ସହ ଖାପଖୁଆଇ ଚଳିବାକୁ ଶିକ୍ଷା ଲାଭ କରୁଥିବା ବେଳେ କରୋନା କଟକଣା ଯୋଗୁଁ ପାଠ ପଢାରେ ବାଧା ସୃଷ୍ଟି ହେବା ସେମାନଙ୍କୁ ଆହୁରି ପଛକୁ ଠେଲି ଦେଇଛି।

ସମ୍ବନ୍ଧିତ ଖବର