ଟୋକେନ୍ ମିଳି ମାସେ ପୂରିଲା, ତଥାପି ଧାନ କିଣାଗଲା ନାହିଁ   

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୨୦୨୦-୨୧ ଖରିଫ ଋତୁର ସରକାରୀ ଧାନ କିଣା ଅବଧି ଆଉ କିଛି ଦିନ ପରେ ଶେଷ ହେବ । ତେବେ ଅନେକ ପଂଜୀକୃତ ଚାଷୀ ଏଯାଏଁ ନିଜ ଧାନ ବିକ୍ରି କରିପାରିନଥିବା ବେଳେ ଟୋକେନ୍ ପାଇଥିବା ଚାଷୀ ଦୀର୍ଘ ୧ ମାସ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ନିଜ ଧାନ ବିକ୍ରି କରିପାରିନାହାନ୍ତି । ଆଜି ଏଭଳି ଅଭିଯୋଗ ନେଇ ବାଘମାରୀ ସେବା ସମବାୟ ସମିତିର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ସେବା ସମବାୟ ସମିତିର ଚାଷୀ ପୂର୍ଣ୍ଣ ବେହେରାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ୭୧୬ ନମ୍ବର ଟୋକେନ୍ ଦ୍ୱାରା ୩୩.୫୩ କ୍ୱିଂଟାଲ୍ ଧାନ ବିକ୍ରି କରିବାକୁ ଅନୁମତି ମିଳିଛି ।

ଫେବ୍ରୁଆରୀ ୧୫ ତାରିଖରେ ସକାଳ ୭ଟାରୁ ୯ଟା ମଧ୍ୟରେ ଆସି ଧାନ ବିକ୍ରି କରିବାକୁ କୁହାଯାଇଥିଲା । କିନ୍ତୁ ସେ ଧାନ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ମଣ୍ଡିର ଟାର୍ଗେଟ୍ ପୂରଣ ହୋଇଯାଇଛି ବୋଲି ମିଲର ଧାନ କିଣିନଥିଲା । କେବଳ ସେ ନୁହନ୍ତି, ୭୯ଜଣ ଚାଷୀ (ଟୋକେନ୍ ୭୧୭ ଠାରୁ ଆରମ୍ଭ କରି ୭୯୪ ନମ୍ବର ଟୋକେନ୍ ପାଇଥିବା ଚାଷୀ) ନିଜର ମୋଟ ୨୨୭୦.୮୧ କ୍ୱିଂଟାଲ୍ ଧାନ ବିକ୍ରି କରିପାରିନାହାନ୍ତି । ସମସ୍ତଙ୍କୁ  ଫେବ୍ରୁଆରୀ ୧୫ ତାରିଖରେ ସମୟ ଧାର୍ଯ୍ୟ କରାଯାଇଥିଲା ।

ଅନ୍ୟଜଣେ ଚାଷୀ ଧନେଶ୍ୱର ଜେନା କହିଛନ୍ତି ତାଙ୍କର ଟୋକେନ୍ ୭୫୧  । ତାଙ୍କୁ ଫେବ୍ରୁଆରୀ ୧୫ ତାରିଖରେ ୪୦ କ୍ୱିଂଟାଲ୍ ଧାନ ବିକ୍ରି କରିବାକୁ ଅନୁମତି ଥିଲା । ତେବେ ଦୀର୍ଘ ଦିନ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କ ଧାନ କିଣାଗଲା ନାହିଁ । ବର୍ତ୍ତମାନ ତାଙ୍କ ଟୋକେନର ଅବଧି ଶେଷ ହୋଇଯାଇଛି । କିନ୍ତୁ ୭୯ଜଣଙ୍କ ଚାଷୀଙ୍କ ମଧ୍ୟରୁ କାହାରି ହେଲେ ଧାନ କିଣାଯାଇନାହିଁ । ଆଜି ଚାଷୀମାନେ ସେମାନଙ୍କ ୨୨୭୦ କ୍ୱିଂଟାଲ୍ ଧାନ କିଣାନଗଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର