ବାରିପଦା : ପୂର୍ବ ପ୍ରତିଶ୍ରୁତି ଅନୁସାରେ ବସ ମାଲିକ ସଂଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ବସ ଚଳାଚଳ । ବସ ଗଡିଥିଲେ ମଧ୍ୟ ଯାତ୍ରୀ କିନ୍ତୁ ଦେଖିବାକୁ ମିଳିନଥିଲେ। ବସ ଚଳାଚଳ ଆରମ୍ଭ ପରେ ଷ୍ଟାଣ୍ଡରେ ଗହଳ ଚହଳ ହେବାକୁ ଆଶା କରିଥିଲେ ବସ ମାଲିକ ଏବଂ କର୍ମଚାରୀ। ମାତ୍ର ସେପରି କୌଣସି ଦୃଶ୍ୟ କିନ୍ତୁ ଦେଖିବାକୁ ମିଳିନଥିଲା। ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରୁ ଭୂବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, କେଉଁଝର, ରାଇରଙ୍ଗପୁର, ଉଦଳା, ଜଳେଶ୍ୱର, ଅନୁଗୋଳ, ସୁନ୍ଦରଗଡ଼ ଆଦି ରୁଟରେ ସ୍ୱଳ୍ପ ସଂଖ୍ୟକ ବସ ଚଳାଚଳ ଆରମ୍ଭ କରିଥିଲା। ତେବେ ବସଗୁଡ଼ିକରେ ଜଣେ ଅଥବା ଦୁଇ ଜଣ ଯାତ୍ରୀରୁ ଅଧିକ ନ ଥିବାର ପ୍ରକାଶ କରିଛନ୍ତି ବସମାଲିକ ସଂଘର ସାଧାରଣ ସମ୍ପାଦକ ସୁନୀଲ ଦାଶ । ଓଡ଼ିଶା ସରକାର କୋଭିଡ଼-୧୯ ମୁକାବିଲା ନିମନ୍ତେ ରାଜ୍ୟରେ ବସ ଚଳାଚଳ ବନ୍ଦକୁ ଗତ ଏପ୍ରିଲ ୧୭ ତାରିଖଠାରୁ ଆନ୍ତଃରାଜ୍ୟ ଓ ମେ ୪ରୁ ରାଜ୍ୟ ମଧ୍ୟରେ ପ୍ରାୟ ୩ ମାସ ଧରି ଯାତ୍ରୀ ପରିବହନ ବ୍ୟବସ୍ଥାକୁ ବନ୍ଦ ରଖିଥିଲେ । ବସ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ବସ ଚଳାଚଳ ଓ ପରିବହନ କର୍ମଚାରୀମାନଙ୍କ ଦାବୀ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇ ଆସୁଥିବା ବେଳେ ଚଳିତ ମାସ ୧୭ ତାରିଖରେ ସରକାର ସଂଘର କେତେକ ଦାବୀକୁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ସଂଘ ପକ୍ଷରୁ ଯାତ୍ରୀ ପରିବହନ ଆରମ୍ଭ କରାଯାଇଛି । ଯଦିଓ ସରକାର ଜୁଲାଇ ମାସର ପରିବହନ ଟିକସକୁ ଛାଡ଼ କରିଛନ୍ତି, ତଥାପି ୧୦୦ ଟଙ୍କା ଡିଜେଲ କିଣି ବିନା ଯାତ୍ରୀରେ କେତେ ଦିନ ପର୍ୟ୍ୟନ୍ତ ବସ ଚଳାଚଳ ଜାରି ରଖିବା ସମ୍ଭବ ହୋଇପାରିବ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ଦାଶ । ପୁଣି ୩ ମାସ ଧରି ପଡ଼ି ରହିଥିବା ବସଗୁଡ଼ିକୁ ମରାମତି କରି ଚଳାଚଳ ଆରମ୍ଭ କରିବା ମଧ୍ୟ ସମୟ ସାପେକ୍ଷ ହୋଇଥିବା ବେଳେ ଅନେକ ପରିବହନ କର୍ମଚାରୀ ଲକଡାଉନ ସମୟରେ ସେମାନଙ୍କର ଜୀବନ ଜୀବୀକାରେ ପରିବର୍ତ୍ତନ ଆଣି ଥିବାରି ବସ ମାଲିକମାନଙ୍କ ନିମନ୍ତେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେଣୁ ବସ ମାଲିକମାନେ ନୂଆ କର୍ମଚାରୀ ଯୋଗାଡ଼ କରିବାକୁ ମଧ୍ୟ ସମୟ ଲାଗିବ । ଏହି ସମୟରେ ଆଗକୁ ବସ ଚଳାଚଳ ଜାରି ରଖିବା ନିମନ୍ତେ ଯାତ୍ରୀ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବସ ମାଲିକ ସଂଘର ଦାବୀକୁ ସରକାର ବିଚାର କରି ସହାୟତାର ହାତ ବଢ଼ାଇ ଆଗେଇ ଆସିବାର ଆବଶ୍ୟକତା ଦେଖା ଦେଇଛି । ଯାହାଫଳରେ ବସଚଳାଚଳ ପୂର୍ବ ଭଳି ସ୍ୱଭାବିକ ହୋଇ ପାରିବ ବୋଲି ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଦାଶ ଆଶାବାଦୀ ରହିଥିବା କହିଛନ୍ତି ।
ଗଡ଼ିଲା ବସ, ଆସିଲେନି ଯାତ୍ରୀ, ସ୍ୱଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଅଡୁଆରେ ବସ ମାଲିକ
/sambad/media/post_attachments/wp-content/uploads/2021/07/IMG-20210719-WA0033.jpg)