ଶ୍ମଶାନକୁ ନାହିଁ ସ୍ଥାୟୀ ରାସ୍ତା: ଆଣ୍ଠୁଏ ପାଣିରେ ଯାଇ ଶବ ଦାହ କଲେ ଗ୍ରାମବାସୀ

 ଘରେ ୧୨ ଘଣ୍ଟା ପଡ଼ି ରହିଲା ମୃତଦେହ, ଦାବିକୁ ଅଣଦେଖା କରି ଆସୁଛି ପ୍ରଶାସନ

ରାୟଗଡ଼ା,୨: ଶ୍ମଶାନକୁ ନାହିଁ ରାସ୍ତା। ଫଳରେ ୧୨ ଘଣ୍ଟା ଘରେ ମୃତଦେହ ପଡ଼ି ରହିବା ପରେ ଆଣ୍ଠୁଏ ପାଣିରେ ଯାଇ ଅନ୍ତିମ ସଂସ୍କାର କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ। ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର କାର୍ତ୍ତିକଗୁଡ଼ା ଗ୍ରାମରେ। ବର୍ଷା ଯୋଗୁ ଶ୍ମଶାନକୁ ସଂଯୋଗ ହୋଇଥିବା ଅସ୍ଥାୟୀ ରାସ୍ତା ପାଣିରେ ବୁଡ଼ିବା ଯୋଗୁ ଏପରି ସ୍ଥିତି ଉପୁଜିଥିଲା।

କାର୍ତ୍ତିକୁଗଡ଼ା ଗ୍ରାମର ସୁକୁମାରୀ ଚୌଧୁରୀଙ୍କ ଶନିବାର ରାତି ୯ଟାରେ ପରଲୋକ ଘଟିଥିଲା। ସୁକୁମାରୀଙ୍କ ମୃତ୍ୟୁ ସଂପର୍କରେ ସଂପର୍କୀୟ, ପରିବାର ଲୋକ ଓ ଗ୍ରାମବାସୀ ସ୍ପଷ୍ଟ ହୋଇଥିଲେ ମଧ୍ୟ ରାତିରେ ଶବ ସତ୍କାର ପାଇଁ ସୁବିଧା ନଥିବାରୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଗାଁରୁ ଶ୍ମଶାନର ଦୂରତା ୧ କିମି ହୋଇଥିବା ବେଳେ ସ୍ଥାୟୀ ରାସ୍ତା ନଥିବାରୁ ଲୋକେ ବିଲ ହିଡ଼ ଦେଇ ଶ୍ମଶାନକୁ ଯାଇଥାନ୍ତି। ବର୍ଷା କାରଣରୁ ବିଲ ହିଡ଼ ରାସ୍ତାରେ ପାଣି ଜମିଥିବାରୁ ପରିବାର ଓ ଗ୍ରାମବାସୀ ରାତିରେ ପାଣି ରାସ୍ତା ଦେଇ ଶ୍ମଶାନକୁ ଯିବା ପାଇଁ ସାହାସ କରିନଥିଲେ। ସକାଳ ହେବା ପରେ ଅନ୍ତିମ ସଂସ୍କାର ପାଇଁ ବନ୍ଦୋବସ୍ତ କରି ସକାଳ ୯ଟାରେ ମୃତଦେହ ନେଇ ଘରୁ ବାହାରିଥିଲେ। ପ୍ରାୟ ୧ କିମିରୁ ଊର୍ଦ୍ଧ୍ବ ରାସ୍ତା ଆଣ୍ଠୁଏ ପାଣିରେ ମୃତଦେହକୁ ନେଇ ଯିବା ପରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା।

ସୂଚନା‌ଯୋଗ୍ୟ, କାର୍ତ୍ତିକୁଗଡା ଗ୍ରାମରେ ୪ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରି ଆସୁଛନ୍ତି। ଗ୍ରାମରେ ଆଦିବାସୀ ଓ ବ୍ରାହ୍ମଣ ସାହି ରହିଥିବା ବେଳେ ଏହି ଦୁଇ ସାହିରେ ଅନ୍ୟ ସମସ୍ତ ଜାତିର ଲୋକ ରହୁଛନ୍ତି। କିନ୍ତୁ ଗ୍ରାମରେ ସ୍ଥାୟୀ ଶ୍ମଶାନ୍  ଏବଂ ଶ୍ମଶାନକୁ ଯିବା ପାଇଁ କୌଣସି ରାସ୍ତା ନଥିବାରୁ ବର୍ଷ ତମାମ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁବାର ଗ୍ରାମବାସୀ ଏ ନେଇ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଥଚ ପ୍ରତିଶ୍ରୁତି ଛଡ଼ା କୌଣସି ସୁଫଳ ମିଳିପାରିନି। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଯୋଜନାର ଅଭାବ ରଖିନଥିବା ବେଳେ ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ମାତ୍ର ୧୫ କିମି ଦୂରରେ ଥିବା କାର୍ତ୍ତିକଗୁଡା ଗ୍ରାମର ଏହି ଚିତ୍ର ସରକାରଙ୍କ ବିକାଶ ପ୍ରତି ଉପହାସ ସଦୃଶ୍ୟ ହୋଇଛି।

ସମ୍ବନ୍ଧିତ ଖବର