ମିଳୁନି ପାଇକ ସ୍ମାରକୀ ସ୍ଥାନାନ୍ତର ପାଇଁ ଜାଗା 

ଖୋର୍ଦ୍ଧା: ଗୋଟିଏ ପଟେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଶୁଭ ଦିଆଯାଇଥିବା ୨୦୦ କୋଟି ଟଙ୍କାର ପାଇକ ସ୍ମାରକୀ ନିର୍ମାଣ ପାଇଁ ଜମି ଯୋଗାଣର ଅଡ଼ୁଆ ତୁଟି ନଥିବା ବେଳେ ବର୍ତ୍ତମାନ ଖୋର୍ଦ୍ଧାର ପରିଚୟ ପାଲଟିଥିବା ପଂଚ ପାଇକ ପ୍ରତିମୂର୍ତି ସ୍ଥାନାନ୍ତର ପାଇଁ ଜମି ଚିହ୍ନଟ ହୋଇ ପାରୁନାହିଁ। ଆଜି ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀ, ତହସିଲଦାର ଇପସିତ ସାହୁ ଓ ଅନ୍ୟ ରାଜସ୍ୱ ବିଭାଗର କର୍ମଚାରୀ ସ୍ଥାନାନ୍ତର ପାଇଁ ଜମି ଚିହ୍ନଟ କରିବାକୁ ଯାଇ ବିଫଳ ହୋଇ ଫେରିଛନ୍ତି। ଗଡ଼ ଖୋର୍ଦ୍ଧା ନିକଟରେ ପାଇକ ବିଦ୍ରୋହର ସେନାନାୟକ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, ମାଧବ ଚନ୍ଦ୍ର ରାଉତରାୟ, କୃତ୍ତିବାସ ପାଟ୍ଟଷାଣୀଙ୍କ ପ୍ରତିମୂର୍ତି ୯୦ ଦଶକରେ ସ୍ଥାପିତ ହୋଇଥିଲା। ସ୍ୱାଧୀନତା ଦିବସ ଠାରୁ ବିଭିନ୍ନ ଜାତୀୟ ସ୍ମାରକ ଦିବସ ଗୁଡ଼ିକରେ ସେଠାରେ ଖୋର୍ଦ୍ଧାର ପାଇକ ସଂଗଠନ ଓ ସାମାଜିକ ସଂଗଠନ ପୁଷ୍ପମାଲ୍ୟ ଆଦି ପ୍ରଦାନ କରି ଆସୁଛନ୍ତି। ବର୍ତ୍ତମାନ ୧୬ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ପଂଚପାଇକ ପ୍ରତିମୂର୍ତି ପୂର୍ବ ସ୍ଥାନରୁ ହଟାଇ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ନିଷ୍ପତ୍ତି ହୋଇଛି।

Sambad

ତେବେ ଗତ ୧ ବର୍ଷ ଧରି ଏନେଇ ଜମି ଚିହ୍ନଟ ହୋଇ ପାରୁନାହିଁ। ଆଜି ମଧ୍ୟ ଜିଲ୍ଲା ପ୍ରଶାସନର ଏକ ଟିମ୍ ପ୍ରସ୍ତାବିତ ୩ଟି ସ୍ଥାନ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଫେରି ଆସିଛନ୍ତି। ଗଡ଼ଖୋର୍ଦ୍ଧା ଶ୍ମଶାନ ନିକଟକୁ ଏହି ପ୍ରତିମୂର୍ତି ସ୍ଥାନାନ୍ତର କରିବାକୁ ପ୍ରଶାସନ ଚାହୁଁ ଥିବା ବେଳେ ଶଶ୍ମାନ ପାଇଁ ଜମି କମିଯିବ ବୋଲି ଲୋକଙ୍କ ବିରୋଧ ହୋଇଥିଲା। ସେହିଭଳି ପଂଚ ପାଇକ ପ୍ରତିମୂର୍ତି ଥିବା ସ୍ଥାନର ପଛ ପଟ ଥିବା ସରକାରୀ ଜାଗାରେ ପ୍ରତିମୂର୍ତି ସ୍ଥାନାନ୍ତର ପାଇଁ ଯୋଜନା ରହିଥିଲା, ତେବେ ଏହି ଜାଗାକୁ ବିନା ଯୋଜନା ଓ ବିଚାରରେ ଜବରଦଖଲ କରିଥିବା ଲୋକଙ୍କୁ  ମିଶନରେ ପଟ୍ଟା ଦିଆଯାଇଥିବାରୁ ସେମାନଙ୍କୁ ହଟାଇବା ପ୍ରସ୍ତାବରେ ପଟ୍ଟାଧାରୀ ମାନେ ବିରୋଧ କରିଛନ୍ତି। ଅପରପକ୍ଷରେ ରାଜପଥର ଅପରପାଶ୍ୱର୍ରେ ସ୍ଥାନାନ୍ତର ଦ୍ୱାରା ପଂଚ ପାଇକର ଯେଉଁ ପରିଚୟ ରହିଛି ତାହା କ୍ଷୂଣ୍ଣ ହେବ ବୋଲି କେତେକ ବୁଦ୍ଧିଜୀବୀ ଓ ପାଇକ ସଂଗଠନର କର୍ମକର୍ତା ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର