ଜଗତସିଂହପୁର ଟାଉନ୍: ରାଜ୍ୟରେ ୩୬ ନୂତନ ଥାନାକୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ଜନସଂଖ୍ୟା, ପ୍ରାଶାସନିକ ଆବଶ୍ୟକତା ଦୃଷ୍ଟିରୁ ନୂତନ ଥାନା ଘୋଷଣା କରାଯାଇଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅଧୀନରେ ୩୯ଟି ପଞ୍ଚାୟତ ହୋଇଥିବାରୁ କୃଷ୍ଣାନନ୍ଦପୁରରେ କାମ କରୁଥିବା ଫାଣ୍ଡିକୁ ଥାନା କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଏବେ ତିର୍ତ୍ତୋଲ ଥାନା ଉପରୁ କାର୍ଯ୍ୟଭାର ଚାପ କମିବ। ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ଅପରାଧ ଚାପରେ ରହୁଥିବା ଜଗତସିଂହପୁର ସହର ପାଇଁ ଦ୍ବିତୀୟ ଥାନା ମିଳିପାରିଲା ନାହିଁ। ଜଗତସିଂହପୁର ସହରବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ଦ୍ବିତୀୟ ଥାନା ଆଉ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ଦିନକୁ ଦିନ ମାମଲା ସଂଖ୍ୟା ବଢ଼ୁଛି, ଆଇନଶୃଙ୍ଖଳା ପରିସ୍ଥିତି ବଢ଼ିବଢ଼ି ଚାଲିଥିବା ବେଳେ ଏବେ ପୁଲିସ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଛି। ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅଞ୍ଚଳରେ ପୌରାଞ୍ଚଳର ୨୧ଟି ଵାର୍ଡ, ଜଗତସିଂହପୁର ବ୍ଲକର ୩୦ ପଞ୍ଚାୟତ ଓ ରଘୁନାଥପୁର ବ୍ଲକର ତିନିଟି ପଞ୍ଚାୟତ ରହିଛି। ଥାନା ଅଧୀନରେ ଲୋକସଂଖ୍ୟା ପ୍ରାୟ ସାଢ଼େ ୩ ଲକ୍ଷ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଏସ୍‌ପି ଅଫିସ ସମେତ ସବୁ ଜିଲ୍ଲା କାର୍ଯ୍ୟାଳୟ ଏହି ଥାନା ଅଞ୍ଚଳରେ ରହିଛି। ଆଇଆଇସିଙ୍କୁ ମିଶାଇ ଥାନାରେ ଅଫିସର୍‌ଙ୍କ ସଂଖ୍ୟା ୧୫। ଗତବର୍ଷ ୭୨୨ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ମାମଲା ସଂଖ୍ୟା ୮ ଶହ ଟପିଯିବ ବୋଲି ଅନୁମାନ କରାଯାଉଛି। ଗୋଟିଏ ପଟେ ମାମଲା ସଂଖ୍ୟା ବଢ଼ି ଚାଲିଥିବା ବେଳେ ସାଇବର ଅପରାଧ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସ୍‌ପି ଅଫିସ ଏଠାରେ ଥିବାରୁ ଅନେକ ସମୟରେ ସଭା, ଶୋଭାଯାତ୍ରା, ଧାରଣା ଅନୁଷ୍ଠିତ ହୁଏ।

Advertisment

ଏସବୁକୁ ନିୟନ୍ତ୍ରଣ କରିବା ସହ ଅପରାଧ ମାମଲାର ତଦନ୍ତ ପାଇଁ ସୀମିତ ସଂଖ୍ୟକ ପୁଲିସ ପାଇଁ କଷ୍ଟକର ହୋଇପଡ଼େ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନେକ ସମୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ମୃତ୍ୟୁ, ଅପମୃତ୍ୟୁ ମାମଲାର ଦାୟିତ୍ବ ଥାନା ଉପରେ ପଡ଼େ। ଶବ ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ସେସବୁର ତଦନ୍ତଭାର ପୁଲିସ୍‌ ପାଇଁ ସମସ୍ୟା ସୃଷ୍ଟିକରେ। ବିଡ଼ମ୍ବନା ହେଲା ଏହି ଥାନା ଅଧୀନରେ ଗୋଟିଏ ବି ଫାଣ୍ଡି ନାହିଁ। ଜଗତସିଂହପୁର ସଦର ଅଞ୍ଚଳରେ ଦ୍ବିତୀୟ ଥାନା ପ୍ରତିଷ୍ଠା ପାଇଁ ଗତବର୍ଷ ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେହି ପ୍ରସ୍ତାବ ଅଟକି ରହିଛି। ସୂଚନାଯୋଗ୍ୟ, ୧୯୧୬ ମସିହାରେ ବ୍ରିଟିସ୍‌ ଶାସନ ସମୟରେ ମାତ୍ର ୭/୮ ହଜାର ଲୋକଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଜଗତସିଂହପୁର ଥାନା ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ଥାନାର ପରିସୀମା ଓ ଜନସଂଖ୍ୟା ଢେରଗୁଣ ବୃଦ୍ଧି ପାଇଥିଲେ ହେଁ ଏଠାରେ ଦ୍ବିତୀୟ ଥାନା କିମ୍ବା ଫାଣ୍ଡିଟିଏ ପ୍ରତିଷ୍ଠା ନହେବା ବିଡ଼ମ୍ବନା ନୁହେଁ ତ ଆଉ କଣ ?