ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ବାରିପଦା ଡାକ୍ତରଖାନାରେ ହେଉଥିବା ଶବ ବ୍ୟବଚ୍ଛେଦର ରିପୋର୍ଟ ସହଜରେ ମିଳୁନି। ବିଗତ ୬ମାସ ମଧ୍ୟରେ କେବଳ ବୈଶିଙ୍ଗା ଅଞ୍ଚଳରୁ ଏବେ ପାଖାପାଖି ୩୦ରୁ ଅଧିକ ରିପୋର୍ଟ ମିଳି ନ ଥିବା ବେଳେ ଏଭଳି କିଛି ଘଟଣା ଅଛି, ଯେଉଁମାନଙ୍କର ରିପୋର୍ଟ ବର୍ଷେରୁ ଅଧିକ ଦିନ ଧରି ମଧ୍ୟ ପଡ଼ିରହିଛି। ରିପୋର୍ଟ ଠିକ୍ ସମୟରେ ମିଳୁ ନ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଉଥିବା ମୃତକଙ୍କ ପରିବାର ସରକାରୀ କ୍ଷତିପୂରଣ, ଜୀବନବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି।
ତହସିଲ ଅଫିସ, ଆରଆଇ ଅଫିସ ଓ ବୈଶିଙ୍ଗା ଥାନାକୁ ଦୌଡ଼ି ଦୌଡ଼ି ଥକିଲା ପରେ ବି ମୃତକଙ୍କ ପରିବାର ଲୋକ ନିରାଶ ହେଉଛନ୍ତି। ଅଂଶୁଘାତ, ବନ୍ୟା, ଭୂସ୍ଖଳନ, ବର୍ଷା, କୁଆପଥର ମାଡ଼, ବାତ୍ୟା, ଘଡ଼ଘଡ଼ି, ସାପ କାମୁଡ଼ା, ଅଗ୍ନିକାଣ୍ଡ, ପାଣିରେ ବୁଡ଼ିଯିବା, ଡଙ୍ଗା ବୁଡ଼ି ଯୋଗୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥାଏ। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସହାୟତା ଦିଆଯାଇଥାଏ। ସେହିଭଳି ସମଗ୍ର ବେତନଟୀ ରେଞ୍ଜ ସମେତ ବୈଶିଙ୍ଗା ଥାନା ଅଧିନସ୍ଥ ଅଞ୍ଚଳରେ ବର୍ଷ ତମାମ ବଣୁଆ ହାତୀଙ୍କ ଉପଦ୍ରଵ ଦେଖିବାକୁ ମିଳିଥାଏ। ହାତୀ ଆକ୍ରମଣରେ ସର୍ବାଧିକ ଧନଜୀବନ ନଷ୍ଟ ହୋଇଥାଏ।
ଅନୁରୂପ ଭାବେ ବନବିଭାଗ ପକ୍ଷରୁ ହାତୀ ଜନିତ ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କାର ସହାୟତା ରାଶି ମିଳିଥାଏ। ଅନ୍ୟପଟେ କୌଣସି ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, ତାଙ୍କ ଉତ୍ତରାଧିକାରୀଙ୍କୁ ବୀମା ରାଶି ପ୍ରଦାନ କରାଯାଇଥାଏ। କିନ୍ତୁ ଏହି ଦୁଇଟି କ୍ଷେତ୍ରରେ ଅର୍ଥ ମିଳିବା କ୍ଷେତ୍ରରେ ବାଧକ ସାଜୁଛି ବ୍ୟବଚ୍ଛେଦ ରିପୋର୍ଟ। ବାରିପଦା ଡାକ୍ତରଖାନାର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକଲୋଜି ବିଭାଗ(ଏଫଏମଟି) ଡାକ୍ତର ବର୍ଷ ବର୍ଷ ଧରି ଏହି ରିପୋର୍ଟକୁ ପ୍ରସ୍ତୁତ ନ କରି ପକାଇ ରଖୁଛନ୍ତି।
ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁ ହେବା ଘଟଣାରେ ଯେତେବେଳେ ଅର୍ଥରାଶି ପାଇବା ପାଇଁ ପରିବାର ଲୋକେ ନିଜ ଅଞ୍ଚଳର ତହସିଲଦାରଙ୍କ ନିକଟରେ ଆବେଦନ କରୁଛନ୍ତି, ତହସିଲଦାର ସମ୍ପୃକ୍ତ ଆରଆଇ(ରାଜସ୍ବ ନିରୀକ୍ଷକ)ଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ଆରଆଇ ତଦନ୍ତ ସମୟରେ ମୃତ୍ୟୁର ପ୍ରମାଣ କାରଣ ଜାଣିବାକୁ ଯେତେବେଳେ ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ଦାଖଲ କରିବାକୁ କହୁଛନ୍ତି, ପରିବାର ଲୋକେ ଏହି ରିପୋର୍ଟ ଠିକ୍ ସମୟରେ ଦାଖଲ କରିପାରୁନାହାନ୍ତି।
ସେହିପରି ପୁଲିସ ଅଧିକାରୀଙ୍କ ଦ୍ୱାରା କୌଣସି ହତ୍ୟା ମାମଲା, ଅପମୃତ୍ୟୁ ମାମଲାର ତଦନ୍ତ କରି ଫାଇନାଲ ରିପୋର୍ଟ ପ୍ରଦାନ ବେଳକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦରକାର ହୋଉଥିଲା ବେଳେ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ପାଇଁ ବାରମ୍ବାର ଡାକ୍ତରଖାନା ଚକ୍କର କାଟିବାକୁ ପଡୁଛି।
ବନବିଭାଗ ପକ୍ଷରୁ ହାତୀ ଆକ୍ରମଣରେ ମୃତ ପରିବାରକୁ ସମ୍ପୂର୍ଣ ସହାୟତା ରାଶି ପ୍ରଦାନ ପୂର୍ବରୁ ଶବ ବ୍ୟବଛେଦ ରିପୋର୍ଟ ପ୍ରଦାନ କରିବାକୁ ପଡୁଥିବାବେଳେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନରେ ବିଳମ୍ଭ ହୋଉଥିବାରୁ ଗରିବ ଖଟିଖିଆ ପରିବାର ଦୀର୍ଘଦିନ ଧରି ହଇରାଣ ହରକତ ହେବାକୁ ପଡୁଛି। ଯେହେତୁ ବାରିପଦା ଡାକ୍ତରଖାନା ପକ୍ଷରୁ ରିପୋର୍ଟ ଠିକ୍ ସମୟରେ ପ୍ରସ୍ତୁତ କରାଯାଉନାହିଁ, ସେଥିପାଇଁ ଏ ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ସରକାରୀ କ୍ଷତିପୂରଣ ସହିତ ବୀମା ରାଶି ପରିବାର ଲୋକେ ପାଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ମୃତ୍ୟୁର କାରଣ ସମ୍ପର୍କିତ ତଥ୍ୟ ଦାଖଲ କରାଇ ନପାରିବାରୁ ପରିବାର ଲୋକେ ଏହି ଟଙ୍କା ପାଇବା ପାଇଁ ଘାଣ୍ଟି ହେଉଛନ୍ତି।
ବ୍ୟବଚ୍ଛେଦ ରିପୋର୍ଟ ସଂକ୍ରାନ୍ତ ନିୟମ ଅନୁଯାୟୀ, ଯେଉଁଦିନ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେଉଛି, ତାହାର ୭୨ଘଣ୍ଟା ଭିତରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଡାକ୍ତର ରିପୋର୍ଟ ଦେବାକଥା। ବ୍ୟବଚ୍ଛେଦ ରିପୋର୍ଟରେ ଥିବା କନକ୍ଲୁଜନରେ ବ୍ୟବଚ୍ଛେଦ କରିଥିବା ଡାକ୍ତର ସର୍ବାଧିକ ୭ରୁ ୮ ଧାଡ଼ି ଲେଖିଥାନ୍ତି। ଯଦି ମୃତ୍ୟୁ ମାମଲା ରହସ୍ୟଜନକ ଥାଏ, ତେବେ ସେହି ମାମଲାରେ ଡାଏଟମ୍ ଓ ଭେସେରା ପରୀକ୍ଷା ପାଇଁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଥାଏ।
ଅଧିକ ପଢ଼ନ୍ତୁ: ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବ କାହିଁକି: କଂଗ୍ରେସ
ଭେସେରା କିମ୍ବା ଡାଏଟମ୍ ପରୀକ୍ଷା ରିପୋର୍ଟ ଫରେନସିକ୍ ସାଇନ୍ସ ଲାବରେଟୋରିରୁ ଗଲେ ସର୍ବାଧିକ ୧୫ ଦିନ ଭିତରେ ମିଳିବା କଥା। ହେଲେ ବାରିପଦା ଡାକ୍ତରଖାନାରେ ଏହା ଏକ ବଡ଼ ସମସ୍ୟା ଭାବେ ସାମନାକୁ ଆସିଛି। ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ବରେ ଆସୁଥିବାରୁ ସନ୍ଦେହରେ ଥିବା ମୃତ୍ୟୁ ମାମଲା ସହିତ ଅନ୍ୟ ସବୁ ମାମଲାର ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବା ସହିତ କୋର୍ଟରେ ଶୁଣାଣି ପ୍ରକ୍ରିୟାରେ ବି ବିଳମ୍ବ ହେଉଛି।
ବୈଶିଙ୍ଗା ଥାନା ଅଧୀନରେ ବର୍ଷକୁ ହାରାହାରି ୬୦ରୁ ୭୦ ଶବ ବ୍ୟବଚ୍ଛେଦ ଜନିତ ଅପମୃତ୍ୟୁ ମାମଲା ରୁଜୁ ହେଉଛି। ଯେଉଁ ହାରରେ ମାମଲା ରୁଜୁ ହେଉଛି, ବ୍ୟବଚ୍ଛେଦ ରିପୋର୍ଟ ବାରିପଦା ଡାକ୍ତରଖାନାରୁ ମିଳିବା ସହଜ ହେଉନାହିଁ। ତେବେ କେବଳ ୨୦୨୪ ମସିହାରେ ଫେବୃଆରୀ ମାସରୁ ଏଯାବତ ୩୦ରୁ ଅଧିକ ବ୍ୟବଚ୍ଛେଦ ରିପୋର୍ଟ ପଡ଼ିରହିଥିବା ଏହା ପୂର୍ବରୁ ଯଦି ହିସାବ କରାଯାଏ ତେବେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ବୈଶିଙ୍ଗା ଥାନା ପୁଲିସ ସୂତ୍ରରୁ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ିଲେ ଶ୍ରମିକ, ଚାଲିଗଲା ଜୀବନ