ଭଞ୍ଜନଗର: ଦୀର୍ଘ ଦୁଇବର୍ଷ ପରେ ବିନା କଟକଣାରେ ପୂଜା ପାର୍ବଣ ହୋଇଥିବାରୁ ଚଳିତ ବର୍ଷ ମହାଆଡମ୍ବରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଗଣେଷ ପୂଜା ଠାରୁ ଆରମ୍ଭ କରି ଦୁର୍ଗାପୂଜା କରାଯାଇଥିଲା। ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନିକ ତତ୍ପରତା ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ପୂଜା ପରେ ଭସାଣୀ ପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନଥିବାରୁ ବିଭିନ୍ନ ମୃଣୟୀ ମୃର୍ତ୍ତି ଗୁଡିକୁ ଜଳଭଣ୍ଡାରେ ବିର୍ସଜନ କରାଯାଇଛି। ଜନସାଧାରଣଙ୍କ ପାଇଁ ପାଣିର ମହତ୍ତ୍ବ ବହୁ ଗୁରୁତ୍ବ ପୂର୍ଣ୍ଣ ରହିଥିବା ବେଳେ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ହେଉଥିବା ଭଞ୍ଜନଗର ଜଳଭଣ୍ଡାରରେ ଚଳିତ ବର୍ଷ ପାର୍ବଣ ସମୟରେ ହୋଇଥିବା ମୂର୍ତ୍ତି ଗୁଡ଼ିକୁ ସିଧାସଳଖ ଭସାଣ କରାଯାଇଥିବାରୁ ପାଣି ପ୍ରଦୂଷିତ ହେବାରେ ଲାଗିଛି। ଉକ୍ତ ଜଳ ଭଣ୍ଡାରରୁ ପାଣି ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିବାର ବେଳେ ପ୍ରତିଦିନ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ଦ୍ବାରା ପ୍ରାୟ ୩୦ ଲକ୍ଷ ଲିଟରରୁ ଉର୍ଦ୍ଧ୍ବ ପାଣି ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହାର କରାଯାଉଛି।
ଏହି ବିଭାଗ ଅଧୀନରେ ନୂତନ ଜଳ ବିଶୋଧନ ପ୍ଳାଣ୍ଟ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ବେଳେ ପାରମ୍ପରିକ ପଦ୍ଧିତିରେ ଜଳ ବିଶୋଧନ କରାଯାଉଥିବାରୁ ତାହା ସଂପୂର୍ଣ୍ଣ ବିଶୋଧନ ହୋଇନପାରୁ ନାହିଁ। ଜଳଭଣ୍ଡାରରୁ ସିଧାସଳଖ ପାଣି ଜନସାଧାରଣଙ୍କୁ ଯୋଗାଣ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ରସାୟନିକ ରଙ୍ଗରେ ପ୍ରସ୍ତୁତ ମୂର୍ତ୍ତି ଗୁଡ଼ିକୁ ସିଧା ଜଳଭଣ୍ଡାର ମଧ୍ୟରେ ବିସର୍ଜନ କରାଯାଉଥିବାରୁ ଜଳ ଆହୁରି ପ୍ରଦୂଷିତ ହେବାରେ ଲାଗିଛି। ଜଳଭଣ୍ଡାରର ଜଳକୁ ପରିସ୍କାର କରି ସ୍ବଚ୍ଛ ପାଣି ଲୋକଙ୍କୁ ଯୋଗାଇବା ବଦଳରେ ଏଭଳି ପ୍ରଦୂଷିତ ପାଣି ଲୋକଙ୍କୁ ଯୋଗାଇବା ଦ୍ବାରା ପ୍ରଦୂଷିତ ପାଣି ବ୍ୟବହାର କରି ଲୋକ ମାନେ ବହୁ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିସହ ଜଳଭଣ୍ଡାରର ଆଖପାଖ ଇଲାକାର ଲୋକ ମାନେ ଗାଧୋଇବା ଠାରୁ ଆରମ୍ଭ କରି ଜଳଭଣ୍ଡାରର ପାଣିକୁ ଦୈନନ୍ଦିନର ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି।
ଏହି ଜଳଭଣ୍ଡାର ନିକଟରେ ଥିବା ବେଲେଶ୍ବର ପୀଠକୁ ଶତାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଜଳଭଣ୍ଡାର ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ବେଳେ ଭସାଣୀ ସମୟର ଆର୍ବଜନା ପାଣିରେ ଭାସୁଥିବା ଦେଖି ବିମୁଖ ମଧ୍ୟ ହେଉଛନ୍ତି। ନିକଟରେ ଥିବା ଶ୍ମଶାନକୁ ଆସୁଥିବ ବ୍ୟକ୍ତି ମାନେ ମଧ୍ୟ ଜଳଭଣ୍ଡାରର ପାଣିକୁ ବ୍ୟବହାର କରିଥାନ୍ତି। ବର୍ତ୍ତମାନ ପୂଜାର ବ୍ୟବହୃତ ଫୁଲ,ପଲିଥିନ୍,ପ୍ଳାଷ୍ଟିକ ଜିନିଷ ଭଳି ବିଭିନ୍ନ ସାମଗ୍ରୀକୁ ପାଣି ଭିତରେ ଫୋପଡା ଯାଇଥିବା ବେଳେ ମୂର୍ତ୍ତି ଅବଶିଷ୍ଟାଶଂ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଯାହାକି ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଅନ୍ୟପକ୍ଷରେ ଏହି ଜଳଭଣ୍ଡାରରେ ଅନେକ ଜଳଜୀବ ରହିଥିବା ବେଳେ ରସାୟନିକ ପଦାର୍ଥ ପାଣିରେ ମିଶିବା ଯୋଗୁ ସେମାନଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଜଳ ଉତ୍ସ ଗୁଡ଼ିକୁ ଏହି ସମୟରେ ପ୍ରଦୂଷଣରୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୃତ୍ରିମ ପୋଖରୀ ନିର୍ମାଣ କରି ସେଠାରେ ମୂର୍ତ୍ତି ଗୁଡ଼ିକୁ ବିସର୍ଜନ କରିବା ପରେ ତାକୁ ପୋତି ଯିବା ବ୍ୟବସ୍ଥା କରାଯାଉଛି। କିନ୍ତୁ ଭଞ୍ଜନଗରରେ ଏହି ବ୍ୟବସ୍ଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହା ଫଳରେ ଜଳଭଣ୍ଡାରର ପାଣି ପ୍ରଦୂଷିତ ହେବା ସହ ଏହାକୁ ବ୍ୟବହାର କରୁଥିବା ଲୋକଙ୍କ ଉପରେ ସମସ୍ୟା ସୃଷ୍ଟି କରୁଛି। ପରିବେଶ ପ୍ରଦୂଷତକୁ ରୋକିବା ନିମନ୍ତେ ବ୍ୟପକ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ବାସ୍ତବିକ ସ୍ଥିତିରେ ପରିବେଶକୁ ସୁରକ୍ଷା ଦେବା ଓ ଏହାକୁ ଯତ୍ନ ନେବା ଦିଗରେ କେହି ସଚେତନ ନଥିବା ଭଳି ଏଭଳି ଚିତ୍ରରୁ ସ୍ପଷ୍ଟ ହେଉଛି।