ରାଇରଙ୍ଗପୁର/ଗୋରୁମହିଷାଣୀ: ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ଛାତ୍ରଛାତ୍ରୀମାନେ ସେଥିରୁ ଉପକୃତ ହେଉନଥିବା ଅଭିଯୋଗ ହୋଇଆସୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ନିକଟସ୍ଥ ସାନମୌଦାଠାରେ ନିର୍ମାଣ ହେଉଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ନିର୍ମାଣ କାର୍ଯ୍ୟ । ଶିଳାନ୍ୟାସ ହେବାର ଦୁଇ ବର୍ଷ ବିତିଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ବି କାର୍ଯ୍ୟ ହୋଇନଥିବା ଦେଖିବାକୁ ମିଳିଛି ।ଓମ୍ବାଡିସି ପକ୍ଷରୁ ୫ କୋଟି ୯୨ ଲକ୍ଷ ୨୯ ହଜାର ୫୨ ଟଙ୍କା ବିନିମୟରେ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଉକ୍ତ ହଷ୍ଟେଲ କାର୍ଯ୍ୟଟି ୨୦୨୨ ମସିହାରେ ସମାପ୍ତ ହେବାର ଥିଲା କିନ୍ତୁ ଅବଧିର ଏକ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । କଚ୍ଛପ ଗତିରେ କାର୍ଯ୍ୟ ଚାଲିଥିବା ସହିତ ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୁଏ । ଏହାବ୍ୟତିତ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ ମଧ୍ୟ ଅତି ନିମ୍ନମାନର ।

Advertisment

ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖୁଥିବାର ରେକର୍ଡ ମଧ୍ୟ ରହିଛି । ଦୂରାଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହି ପାଠ ପଢିବାର ଦୀର୍ଘ ସ୍ୱପ୍ନ ଦେଖୁଥିବା ଦେଖୁଥିବାବେଳେ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କ ଉପରେ ଚାପ ପକାଉନଥିବାର ଦେଖିବାକୁ ମିଳୁଛି । ଫଳରେ ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ବିଦ୍ୟାଳୟ ଉପରେ ୨୫ରୁ ୩୦ କିଲୋମିଟର ଦୂରତାରୁ ମଧ୍ୟ ପିଲାମାନେ ଆସୁଥିବାବେଳେ ସକାଳ ୧୦ ଟାରୁ କ୍ଲାସ୍ ଆରମ୍ଭ ହେଉଥିବାରୁ ପିଲାମାନେ ସକାଳ ୮ଟାରୁ ଘରୁ ବାହାରୁଛନ୍ତି ଏବଂ ସ୍କୁଲରୁ ଫେରିଲା ବେଳକୁ ସନ୍ଧ୍ୟା ହେଉଛି । ଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଛି ।

ତେବେ କାର୍ଯ୍ୟ କେବେ ସମାପ୍ତ ହେବ ତାହା ପ୍ରଶ୍ନ ସୃଷ୍ଟି କରୁଛି । ଏନେଇ ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଅଭିଭାବକ ମହଲରେ ଅଶାନ୍ତି ବଢିବାରେ ଲାଗୁଥିବା ବେଳେ ଆଗକୁ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ନିଶ୍ଚିନ୍ତ ଭାବେ ଜନଆନ୍ଦୋଳନ ଆଡକୁ ଗତି କରିବ ବୋଲି ଚେତାବନୀ ଦେଇଛନ୍ତି ।