କେନ୍ଦ୍ରାପଡ଼ା ପୌରପାଳିକା ଏମିତି ପାଳିବ ସ୍ବାୟତ୍ତ ଶାସନ, ଶିଳାନ୍ୟାସ ନାହିଁ କି ଉଦ୍‌ଘାଟନ ନାହିଁ

କେନ୍ଦ୍ରାପଡ଼ା: ଗତବର୍ଷ ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ ସହିତ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିଲା। ଅବସର ଥିଲା ସ୍ବାୟତ୍ତ ଶାସନ ଦିବସ। ଏଥର ବି ସେହି ଅବସର ଆସନ୍ତାକାଲି ବୁଧବାର ପାଳନ ହେବାକୁ ଯାଉଛି। କିନ୍ତୁ ନା’ ମାଳ ମାଳ ଶିଳାନ୍ୟାସ ଅଛି ନା’ ଉଦ୍‌ଘାଟନ ପର୍ବ। ଏଥର ପୁଣି ନବନିର୍ବାଚିତ କାଉନସିଲ୍‌ ପରିଷଦ ଥାଉ ଥାଉ ସ୍ବାୟତ୍ତ ଶାସନ ଦିବସରେ ସହରବାସୀଙ୍କୁ ଭେଟି ଦେବା ପାଇଁ ରାଜ୍ୟର ସର୍ବପୁରାତନ ମ୍ୟୁନିସିପାଲିଟି ପାଖେ ଗୋଟିଏ ବି ମନଲୋଭା ପ୍ରକଳ୍ପ ନ ରହିବା ବିଭିନ୍ନ ମହଲକୁ ଆଚମ୍ବିତ କରିଛି। କାହିଁକି ଏଭଳି ପରିସ୍ଥିତି ଉପୁଜିଲା? ଏହା ପଛରେ କାରଣ କ’ଣ ହେଇପାରେ? ନିର୍ବାହୀ ଅଧିକାରୀଙ୍କ ସହିତ ପୌରାଧ୍ୟକ୍ଷା ଓ ତମାମ୍ କାଉନସିଲର୍‌ଙ୍କର ଲାଗି ରହିଥିବା ଶୀତଳଯୁଦ୍ଧ ନା’ ଆଉ କିଛି? କାରଣ ଯାହା ଥାଉ ନା’ କାହିଁକି, ନିର୍ବାଚିତ କାଉନସିଲ୍‌ ପରିଷଦ ଯେତେବେଳେ ଅଛି, ସେତେବେଳେ ବିନା ଶିଳାନ୍ୟାସ ଓ ଉଦ୍‌ଘାଟନରେ ସ୍ବାୟତ୍ତ ଶାସନ ଦିବସ ପାଳନ ହେବା ମ୍ୟୁନିସିପାଲିଟିର ଚରମ ସ୍ଥାଣୁତାକୁ ପଦାରେ ପକାଇ ଦେଇଛି। ଗତବର୍ଷ ସ୍ବାୟତ୍ତ ଶାସନ ଦିବସରେ ୫୦ଲକ୍ଷ ଟଙ୍କା ଲେଖାଏ ବ୍ୟୟରେ କେନ୍ଦ୍ରାପଡ଼ା ତହସିଲ୍‌ ନିକଟରେ ଗୋପବଂଧୁ ଲାଇବ୍ରେରି ଏବ˚ ବାଳକ ହାଇସ୍କୁଲ୍‌ ପଡ଼ିଆରେ ଜିମ୍‌ ଘର ଉଦ୍‌ଘାଟନ କରାଯାଇଥିଲା। ତା’ ସହିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମ୍ୟୁନିସିପାଲିଟିର ଏକ ବ୍ୟାଟେରି ଚାଳିତ ଗାଡ଼ି, ‘ମୋ ଖତ’ ଷ୍ଟୋର‌୍‌ ଶୁଭାରମ୍ଭ ସହିତ ତିନିମୁହାଣୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଭେଣ୍ତି˚ ଜୋନ୍‌ର ନବୀକରଣ କରାଯାଇ ଦୋକାନୀଙ୍କୁ ଆବଣ୍ଟିତ ପ୍ରକ୍ରିୟା ଆରମ୍ଭ ହେଇଥିଲା। ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ ବି ହେଇଥିଲା। ସେଗୁଡ଼ିକ ଥିଲା ତିନିମୁହାଣୀଠାରେ ୧କୋଟି ବ୍ୟୟରେ ସ୍ମାର୍ଟ ପାର୍କ, ୫୦ ଲକ୍ଷର ଗୌଡ଼ଗୋପରେ ରସୁଲାବାଦ କବରସ୍ଥାନର ଉନ୍ନତୀକରଣ, ୨କୋଟି ୮୬ଲକ୍ଷ ବ୍ୟୟରେ ସେପ୍ଟେଜ୍‌ ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟ୍‌, ୧୩ନମ୍ବର ଵାର୍ଡ ରଣପଡ଼ାରେ ୫୦ଲକ୍ଷ ଟଙ୍କା ଲେଖାଏ ବ୍ୟୟରେ ଶ୍ମଶାନ ଗୃହ ଓ କବରସ୍ଥାନ ଉନ୍ନତୀକରଣ ପ୍ରକଳ୍ପ। ମୋଟ୍‌ ଉପରେ ପ୍ରାୟ ସାଢେ଼ ୬କୋଟି ଟଙ୍କା ବ୍ୟୟରେ ଶିଳାନ୍ୟାସ ହୋଇଥିବା ଏହି ପାଞ୍ଚଟି ପ୍ରକଳ୍ପ ମଧ୍ୟରୁ ଏବର୍ଷ ଗୋଟିଏ ବି ସରିପାରିଲା ନାହିଁ। ସବୁ ପ୍ରକଳ୍ପର କାମ ଚାଲିଥିବା ଦର୍ଶାଯାଇଛି। କିନ୍ତୁ ଯେଉଁ‌ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଏମିତି କ’ଣ ହେଲା ଯେ ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସରେ ମାଳମାଳ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରୁଥିବା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏଥର ଗୋଟିଏ ବି ଫଳକ ଥାପିବା କିମ୍ବା ଲୋକାର୍ପଣ କରିପାରିଲା ନାହିଁ?

ଯେଉଁ ଗୋଟିଏ ବି ପ୍ରକଳ୍ପ ଲୋକାର୍ପଣ କରାଯିବାକୁ ନିଷ୍ପତ୍ତି ହୋଇଛି, ତାହା ବି ଥରେ ପୂର୍ବରୁ ହେଇ ସାରିଛି। ୨୦୧୬ମସିହାରେ ଉର୍ଦ୍ଦୁ ଲାଇବ୍ରେରିର ଉଦ୍‌ଘାଟନ ହେଇଥିଲା। କିନ୍ତୁ ଏହାର ନବୀକରଣ କରାଯାଇ ଆସନ୍ତାକାଲି ପୁନଃ ଲୋକାରର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାବାଦ୍ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ହେବାକୁ ନାହିଁ। ଏ କଥା ସତ ଯେ,  ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କ ସହିତ ପୌରାଧ୍ୟକ୍ଷା ଓ ତମାମ୍ କାଉନସିଲର୍‌ଙ୍କ ଭୟଙ୍କର ମତଭେଦ ରହିଛି। ଗତ କାଉନସିଲ୍‌ ବୈଠକରେ ଏ କଥା ପଦାରେ ପଡ଼ିଥିଲା। କାମ କିଛି ହେଉ ନଥିବା ଦର୍ଶାଇ ବିରୋଧୀ କକ୍ଷତ୍ୟାଗ କରିଥିବା ବେଳେ ଶାସକ ଦଳର କାଉନସିଲର୍‌ ବୈଠକ ଭିତରେ ହୋ-ହଲ୍ଲା କରିଥିଲେ। କେବଳ ସେତିକି ନୁହେଁ, ଗତ ରବିବାର ସହରର ଏକ ଘରୋଇ ମଣ୍ଡପରେ ପୌରାଧ୍ୟକ୍ଷାଙ୍କ ସମେତ ୨୧ଟି ୱାର୍ଡର କାଉନସିଲର୍‌ ଏକାଠି ହେବା ସହିତ ନିର୍ବାହୀ ଅଧିକାରୀଙ୍କ ଚରମ ଉଦାସୀନତା ନୀତି ବିରୋଧରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଜିଲ୍ଲାର ଦୁଇ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଦାନ କରିଥିଲେ। ଏବେ ଯେତେବେଳେ ସ୍ବାୟତ୍ତ ଶାସନ ଦିବସରେ ଗୋଟିଏ ବି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ନ ହେବା ସୂଚାଇ ଦେଇଛି ଯେ ମ୍ୟୁନିସିପାଲିଟିରେ ସବୁକିଛି ଠିକ୍ ଚାଲି ନାହିଁ। ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି ଯେ, ଗତବଷର୍ ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା, ସେଗୁଡ଼ିକର କାମ ଚାଲିଛି। ବର୍ଷା ଯୋଗୁଁ କାମ ବିଳମ୍ବ ହେଲା। ଅନ୍ୟଥା, ସ୍ବାୟତ୍ତ ଶାସନ ଦିବସରେ ହିଁ ସେଗୁଡ଼ିକର ଲୋକାର୍ପଣ ଯୋଜନା ଥିଲା। ତାଛଡ଼ା କେବଳ ଫଳକ ଥାପି ଦେଲେ ହେବନି, ତାହାକୁ ନିର୍ଧାରିତ ସମୟ ଭିତରେ ସାରିବା ଉପରେ ଆମେ ଅଧିକ ‌ଜୋର୍‌ ଦେଉଛୁ। ତେଣୁ ଏଥର ନୂଆ ପ୍ରକଳ୍ପ ଶିଳାନ୍ୟାସ ଅପେକ୍ଷା ଯେଉଁସବୁ ପ୍ରକଳ୍ପର ପୂର୍ବରୁ ଶୁଭ ଦିଆଯାଇଥିଲା, ସେଗୁଡ଼ିକ କିଭଳି ଶୀଘ୍ର ସରିବ, ସେ ଦିଗରେ କାମ କରୁଥିବା ଶ୍ରୀମତୀ ସାହୁ କହିଛନ୍ତି। ଅନ୍ୟ ପକ୍ଷରେ ନିର୍ବାହୀ ଅଧିକାରୀ ଶ୍ରୀ ବଳ ଯୋଜନା ପ୍ରସ୍ତୁତି ଓ ଚୂଡ଼ାନ୍ତ ଦାୟିତ୍ବ କାଉନ୍‌ସିଲ୍‌ର କହି ନିଜ ଦୋଷ ଛଡ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର