ସର୍ବସାଧାରଣରେ ପ୍ରକାଶ ପାଉନି ପ୍ରାର୍ଥୀଙ୍କ ସତ୍ୟପାଠ

ସର୍ବସାଧାରଣରେ ପ୍ରକାଶିତ ହୋଇନାହିଁ ପୂର୍ବ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଓ ବିଦ୍ରୋହୀ ସଂଜୟ ବଳିଆରସିଂହଙ୍କ ସତ୍ୟପାଠ ।
ଖୋର୍ଦ୍ଧା : ନିର୍ବାଚନ ଆଇନ ଓ ନିର୍ବାଚନ କମିଶନଙ୍କ ନିର୍ଦେଶାନୁସାରେ ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଦାଖଲ ହୋଇଥିବା ସତ୍ୟପାଠ ସର୍ବସାଧାରଣରେ ପ୍ରକାଶ କରିବା କଥା । ନାମାଙ୍କନପତ୍ର ଯାଂଚ ଶେଷ ହେବା ପରେ ଜିଲ୍ଲା ପ୍ରଶାସନର ୱେବ୍ସାଇଟ୍ରେ ପ୍ରାର୍ଥୀଙ୍କ ସତ୍ୟପାଠ ପ୍ରକାଶିତ କରିବା ନିୟମ କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲାଖୋଲି ଉଲ୍ଲଂଘନ ହୋଇଛି । ସର୍ବସାଧାରଣରେ ସତ୍ୟପାଠ ପ୍ରକାଶ ବିଳମ୍ବରେ ହୋଇଥିବା ବେଳେ ଜୋନ୍-୧ରେ ବିଜେଡି ପ୍ରାର୍ଥୀ ତଥା ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଓ ବିଦ୍ରୋହୀ ବିଜେଡି ପ୍ରାର୍ଥୀ ସଂଜୟ ବଳିଆରସିଂହଙ୍କ ସତ୍ୟପାଠ ପ୍ରକାଶିତ ହୋଇନାହିଁ । ସବୁଠାରୁ ବଡ଼କଥା, ସର୍ବସାଧାରଣରେ ସତ୍ୟପାଠ ପ୍ରକାଶନର ଏତେଦିନ ପରେ ମଧ୍ୟ ଏନେଇ ଉପଜିଲ୍ଳାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଳାପାଳ ଏନେଇ କେହି ଜାଣନଥିବା ଘଟଣାକୁ ଆହୁରି ଜଟିଳ କରିଛି ।

ଖୋର୍ଦ୍ଧା ଉପଖଣ୍ଡରେ ଥିବା ୧୯ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଏହା ମଧ୍ୟରୁ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଟଣୀ ନିର୍ବାଚନମଣ୍ଡଳୀର ଗଡ଼ହଳଦିଆ, କେରଙ୍ଗ, ବରସାହି, ମଲ୍ଲୀପୁର, ପୁବୁସାହି, ଟାଙ୍ଗିଆପଡ଼ା ଆଦି ପଂଚାୟତକୁ ନେଇ ଗଠିତ ଜୋନ୍-୧ ଜିଲ୍ଲା ପରିଷଦ ଆସନ ଏକ ରାଜନୈତିକ ଗୁରୁତ୍ୱବହନ କରୁଛି । ଏଠାରୁ ବିଜେଡିର ପୂର୍ବ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଓ ବିଜେପିର ବରିଷ୍ଠ ମହିଳାନେତ୍ରୀ ପ୍ରବୀଣା ଭଂଜଦେଓ ମୈଦାନରେ ଓହ୍ଲାଇଥିବା ବେଳେ ବିଦ୍ରୋହୀ ବିଜେଡି ପ୍ରାର୍ଥୀ ସଂଜୟ ବଳିଆରସିଂହଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ ନିର୍ବାଚନକୁ ଆହୁରି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିଛି । କେବଳ ସଂଜୟ ନୁହନ୍ତି, କଂଗ୍ରେସରୁ ସୈଫ ମହମ୍ମଦ, ସ୍ୱାଧୀନ ପ୍ରାର୍ଥୀ ବସନ୍ତ ଭଂଜଦେଓ ଓ ଧନେଶ୍ୱର ପାଇକରାୟ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ପ୍ରାର୍ଥୀଙ୍କ ସତ୍ୟପାଠ ତାଲିକାରେ ଅନ୍ୟ ୪ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ପ୍ରକାଶିତ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ଦଳେଇ କିମ୍ବା ବିଦ୍ରୋହୀ ପ୍ରାର୍ଥୀ ସଂଜୟ ବଳିଆରସିଂହଙ୍କ ସତ୍ୟପାଠ ନାହିଁ । ଖୋର୍ଦ୍ଧା ଉପଖଣ୍ଡର ଦଳୀୟ ରାଜନୀତିରେ ପ୍ରଫୁଲ୍ଲ ଦଳେଇ ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ ବିବାଦ ୨୦୧୮ରୁ ଆରମ୍ଭ ହୋଇଛି । ସେ ନିଜେ ଖୋର୍ଦ୍ଧାରୁ ବିଜେଡି ଟିକଟ ପାଇଁ ଆଶାୟୀ ଥିବା ବେଳେ ରାଜେନ୍ଦ୍ର ସାହୁଙ୍କୁ ଦଳରୁ ଟିକଟ ଯେଭଳି ନମିଳିବ ସେନେଇ ସେ ଚେଷ୍ଟା କରିଥିବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ସର୍ବଜନବିଦିତ ଥିଲା । ତେବେ ଶେଷ ମୁହୂର୍ତରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ବିଜେଡି ଟିକଟ ମିଳିବା ପରେ ସେ ଜ୍ୟୋତିମିତ୍ରଙ୍କ ସମର୍ଥନରେ ପ୍ରଚାର କରିଥିଲେ । ବିଧାୟକ ଟିକଟରୁ ବଂଚିତ ହେବା ପରେ ସେ ଦ୍ୱିତୀୟ ଥର ପାଇଁ ଜିଲ୍ଲା ପରିଷଦ ଆସନ ହାତେଇବାକୁ ଆଶା ରଖିଥିଲେ, କିନ୍ତୁ ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ସବୁ ଅଙ୍କକୁ ଭୁଲ କରିଦେଇଥିଲା । ଶେଷରେ ସେ ନିଜର ଜୋନ୍-୨ ଆସନକୁ ଛାଡ଼ି ଜୋନ୍-୧ରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ବିରୋଧରେ ଅସନ୍ତୁଷ୍ଟ ବିଜେଡିର ପ୍ରାର୍ଥୀ ସଂଜୟ ବଳିଆରସିଂହଙ୍କୁ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଭିତିରି ସମର୍ଥନ ଦେଇଥିବା ଶୁଣିବାକୁ ମିଳୁଛି ।
ଏଭଳି ସ୍ଥିତିରେ ସଂଜୟଙ୍କ ଉପସ୍ଥିତି ପ୍ରଫୁଲ୍ଲଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଥିବା ବେଳେ ସତ୍ୟପାଠରେ ରହସ୍ୟମୟ ଭାବେ ଉଭୟଙ୍କ ସତ୍ୟପାଠ ପ୍ରକାଶିତ ହୋଇନଥିବା ସାଧାରଣରେ ଆଲୋଚନା ହୋଉଛି । ଏନେଇ ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀଙ୍କୁ ପଚାରିବାରେ ସେ କହିଲେ ଯେ ଏନେଇ ସେ ଜାଣନ୍ତି ନାହିଁ । ସମସ୍ତ ପ୍ରାର୍ଥୀଙ୍କ ସତ୍ୟପାଠ ସେ ଅପ୍ଲୋଡ୍ କରିବାକୁ ଦେଇଦେଇଥିଲେ । ଏତେଦିନ ବିତିଯାଇଛି କିନ୍ତୁ କେହି ଅଭିଯୋଗ ମଧ୍ୟ କରିନାହାନ୍ତି । ତେବେ ସେ ଏନେଇ ସେ ଅନୁସନ୍ଧାନ କରି ଜଣେଇବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର