ବୌଦ୍ଧ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିବା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଯୋଗୁଁ ଓଡ଼ିଶାରେ ବର୍ଷା ହେବା ଆଶଙ୍କା କରିଥିଲା ପାଣିପାଗ ବିଭାଗ। ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରକାର ଭେଦ କରି ତାଲିକା ପ୍ରସ୍ତୁତ କରାଯାଇଥିଲା। କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଥିଲା।

Advertisment

ବୌଦ୍ଧ ଜିଲ୍ଲାରେ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସଜାଗ କରାଯାଇଥିଲା। ଜିଲ୍ଲା ପ୍ରଶାସନ ମଧ୍ୟ ଏହାର ମୁକାବିଲା କରିବା ପାଇଁ ପାଗ ଭିଡ଼ିଥିଲେ। ହେଲେ ଏହି ସମୟ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ବର୍ଷା ହୋଇ ନାହିଁ କହିଲେ ଚଳେ। ଆକାଶରେ ମେଘ ଢାଙ୍କି ରହିଥିଲେ ସୁଦ୍ଧା ଭୀଷଣ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ସମ୍ଭାବ୍ୟ ବର୍ଷା ଯୋଗୁଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପଡ଼ିଥିଲେ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଦ୍ବାରା ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଏନ୍‌ସି ଜ୍ୟୋତି ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ପରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରାଯାଇଥିଲା। ୧୦ ତାରିଖ ଗୁରୁବାରଠାରୁ ୧୪ ତାରିଖ ରବିବାର ପର୍ଯ୍ୟନ୍ତ ଚାରି ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ପ୍ରଦାନ କରାଯାଇଥିଲା। ଏଣୁ ଚାଷୀମାନେ ନିଜ ଫସଲକୁ ଘୋଡ଼େଇ ରଖିବା ସହ ଜମିରେ ଥିବା ଫସଲକୁ ନ କାଟି ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା। ଧାନ ବିକ୍ରି ସମ୍ବନ୍ଧୀୟ ସୂଚନା ପାଇଁ ପ୍ୟାକ୍ସ ସମ୍ପାଦକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗଯୋଗ କରିବାକୁ କୁହାଯାଇଥିଲା।

ଏଥି ସହିତ ଜିଲ୍ଲା ଜରୁରୀ ବିଭାଗର କଣ୍ଟ୍ରୋଲ ରୁମ୍‌କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ପାଣିପାଗ ବିଭାଗ ସୂଚନା ଅନୁସାରେ ପ୍ରଥମ ଦିନ ଅର୍ଥାତ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିଲା। ତେବେ ସେହିଦିନ ଜିଲ୍ଲାର ବୃଷ୍ଟିପାତ ଶୂନ ଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ରହିଥିଲା। ସେହିପରି ଦ୍ବିତୀୟ ଦିନ (୧୨ ତାରିଖ) ଓ ତୃତୀୟ ଦିନ(୧୩ ତାରିଖ) ସକାଳ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଥିଲା। ହେଲେ ଜିଲ୍ଲାର ବୃଷ୍ଟିପାତ ଯଥାକ୍ରମେ ଶୂନ ଓ ୨ ମିମି ଥିବା ବେ‌ଳେ ଉଭୟ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରହିଥିଲା। ଚତୁର୍ଥ ଦିନ (୧୩ ତାରିଖ ସକାଳ ୮.୩୦ରୁ ୧୪ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ) ପାଇଁ ବୌଦ୍ଧ ଜିଲ୍ଲାକୁ ୟଲୋ ଜୋନରେ ରଖା ହୋଇଛି। ତେବେ ଜିଲ୍ଲାରେ ବର୍ଷା ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ସେପଟେ ମେଘୁଆ ପାଗ ରହିଥିଲେ ସୁଦ୍ଧା ଲୋକେ ଗରମରେ ସିଝୁଛନ୍ତି। ବର୍ତ୍ତମାନ ପାଣିପାଗ ବିଭାଗର ପୂର୍ବାନୁମାନ ଫେଲ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।