ମାଲକାନଗିରି ଜିଲ୍ଲାରେ ଜୁନରେ ନିଅଣ୍ଟିଆ ବର୍ଷା: ମୁଣ୍ଡରେ ହାତ ଦେଲା ଚାଷୀ

ମାଲକାନଗିରି: ମାଲକାନଗିରିକୁ ମୌସୁମୀ ଛୁଇଁଲା ବୋଲି ଯାହା କୁହାଯାଉଥିଲା, ତାହା କେବଳ ପାଣିର ଗାର ସଦୃଶ୍ୟ ହୋଇଛି। ଜୁନ ସରିବାକୁ ବସିଲାଣି ଦେଖାନାହିଁ ବର୍ଷାର ଧାରା। ଯେଉଁ ମାସରେ ଲୋକେ ରଝରଝ ବର୍ଷା ଯୋଗୁଁ ଘରୁ ଗୋଡ଼ କାଢ଼ିବାକୁ ସାହସ କରି ପାରୁନଥିଲେ ସେ ସମୟରେ ମୁଣ୍ଡ ଫଟା ଟାଣ ଖରାରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏଭଳି ପରିସ୍ଥିତିରେ ଚାଷୀର ଅବସ୍ଥା କଣ ହେଉଥିବ ତାହା ସହଜରେ ଅନୁମେୟ। ଚାଷୀ ସବୁଦିନ ଏହି ଲକ୍ଷ୍ୟରେ ହଳ ଲଙ୍ଗଳ ନେଇ ନିଜ ଜମିକୁ ଯାଉଛି ଯେ ବର୍ଷା ପାଣି ଜମିରେ ପଡ଼ିଲେ ହଳ ବୁଲାଇ ପାରନ୍ତା। କିନ୍ତୁ ବର୍ଷାର ଦେଖା ନାହିଁ।

ଏଭଳି ସ୍ଥିତିରେ ହଜିଯାଇଛି ଚାଷୀ ମୁହଁରେ ହସ। ଜମିରେ ହଳ ହେଲା ପରେ ତଳି ପଡିବା କଥା। କିନ୍ତୁ ଯେଉଁଭଳି ଭାବରେ ପାଣିପାଗ ପରିବର୍ତ୍ତନ ହେଉଛି ତାହା ସବୁଠୁ ବଡ଼ ଚିନ୍ତାର ବିଷୟ ବୋଲି କୃଷି ବିଶେଷଜ୍ଞଙ୍କ ମତ। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୧ ଲକ୍ଷ ୪୨ ହଜାର ୨୫ ହେକ୍ଟର ଜମିରେ ଚାଷ କରାଯାଇଥାଏ। ସେଥିରୁ ୭୧ ହଜାର ୨୧୫ ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବାବେଳେ ୧୪ ହଜାର ୬୯୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ, ୭ ହଜାର ୯୫୩ ହେକ୍ଟର ଜମିରେ ମକା ଚାଷ, ୯ ହଜାର ୫୩୫ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ, ୧୭ ହଜାର ୧୨୧ ହେକ୍ଟର ଜମିରେ ତେଲ ଜାତୀୟ ଚାଷ ଏବଂ ୧୮ ହଜାର ୫୯୫ ହେକ୍ଟର ଜମିରେ ପନିପରିବା ଜାତୀୟ ଚାଷ କରାଯାଇଥାଏ।

ସେହିପରି ଜିଲ୍ଲାର ୯୦ ହଜାର ୪୨୦ ହେକ୍ଟର ଜମି ଜଳସେଚିତ ବୋଲି କୁହାଯାଉଥିବା ବେଳେ ୫୧ ହଜାର ୬୦୫ ହେକ୍ଟର ଜମି ଅଣଜଳସେଚିତ ବୋଲି କୁହାଯାଇଛି। ଯେଉଁଭଳି ଭାବେ ବର୍ଷା ହେଉଛି ବିଶେଷକରି ଧାନ ଫସଲ ଉପରେ ଏହା କରଡା ମାଡ ସଦୃଶ୍ୟ ପାଲଟିଛି। ଜୁନ ମାସରେ ୧୬୯ ମିଲିମିଟର ବର୍ଷା ହେବା କଥା କିନ୍ତୁ ଚଳିତ ବର୍ଷ ଜୁନ ମାସରେ ୧୩୦ ମିଲିମିଟର ବର୍ଷା ହୋଇଛି। ଗତବର୍ଷ ୨୦୨୩ ମସିହାରେ ୧୩୮ ମିଲିମିଟର ବର୍ଷା ହୋଇଥିଲା। କୃଷି ବିଭାଗ କହିବା ଅନୁଯାୟୀ କିଛି ଦିନ ଭିତରେ ଯଦି ବର୍ଷା ହୁଏ ତେବେ ଏହା ଜୁନରେ ବର୍ଷାର ପରିମାଣକୁ ସମାନ କରିଦେବ। ଚାଷ ପାଇଁ ଅନୁକୂଳ ହେବ ବୋଲି କୁହାଯାଇଛି। ଏବେ ସୁଦ୍ଧା ଜିଲ୍ଲାର ୭୦୦ ହେକ୍ଟର ଜମିରେ ତଳି ପଡିଥିବା ଜଣାପଡିଛି। ମୌସୁମୀର ଘନ ଘନ ପରିବର୍ତ୍ତନ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ସମ୍ବନ୍ଧିତ ଖବର