ବର୍ଷା ନଥିବାରୁ ଜଳଭଣ୍ଡାର ଶୁଖିଲା, ନୀଳଗିରିରେ ଖରିଫ ଚାଷ ବାଧାପ୍ରାପ୍ତ

ନୀଳଗିରି: ନିଅଣ୍ଟିଆ ବର୍ଷାକୁ ନେଇ ନୀଳଗିରି ଅଞ୍ଚଳର ହଜାର ହଜାର ଚାଷୀ ଚିନ୍ତାରେ। ବିଶେଷ କରି ନୀଳଗିରି ବଣସୀମା ଅଞ୍ଚଳରେ ଥିବା ୧୨ଟି ପଞ୍ଚାୟତର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜୁଲାଇ ମାସ ଅଧା ହେବାକୁ ଆସିଥିଲେ ମଧ୍ୟ ଧାନତଳି ପଡ଼ିନାହିଁ। ଯେଉଁ ଜମିରେ ଧାନ ବୁଣା ଯାଇଥିଲା, ସେଠାରେ ଧାନଗଛ ଶୁଖିବାକୁ ଲାଗିଲାଣି। ଗୋଟିଏ ପଟେ ବର୍ଷା ଧୋକା ଦେଇଥିବା ବେଳେ ଅନ୍ୟପଟେ ଜଳଭଣ୍ଡାର ମଧ୍ୟ ଶୁଖିଲା ପଡ଼ିଛି। ନୀଳଗିରି ବ୍ଲକ୍‌ କୁଲଡ଼ିହା ଅଭୟାରଣ୍ୟରେ ରହିଛି ରିଷିଆ କ୍ଷୁଦ୍ର ଜଳଭଣ୍ଡାର।

ଯେଉଁଠି ବର୍ଷାଦିନରେ ମଧ୍ୟ ପାଣି ନାହିଁ। ଫଳରେ ଚାଷଜମିକୁ ଜଳସେଚନ ପାଇଁ ନିର୍ଭର କରୁଥିବା କେଶିପୁର, ଛତ୍ରପୁର ଓ ତେଲିପାଳ ଆଦି ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ବ ଚାଷୀ ନିରାଶ ହୋଇଛନ୍ତି। ଉଲ୍ଲେଖ ଥାଉକି ଜଳଭଣ୍ଡାର ଖରିଫ ଋତୁରେ ୪,୫୦୦ ଏକର ଜମିକୁ ପାଣି ଯୋଗାଯାଉଥିବା ବେଳେ ରବି ଋତୁରେ ୧,୮୦୦ ଏକର ଜମିକୁ ଜଳ ଯୋଗାଇଥାଏ। ହେଲେ ଦିନକୁ ଦିନ ଜଳଭଣ୍ଡାର ପୋତିଯାଉଛି। ଫଳରେ ଜଳଧାରଣ କ୍ଷମତା କମିବାରେ ଲାଗିଛି। ସ୍ଥିତି ଯେମିତି; ଆଉ କିଛି ବର୍ଷ ପରେ ଜଳଭଣ୍ଡାର ସମ୍ପୂର୍ଣ୍ଣ ପୋତିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ରିଷିଆ ପରି ସାତଘାଟି ଓ ଖୁମଖୁଟ ସହ କପ୍ତିପଦା ବ୍ଲକ୍‌ରେ ଥିବା ସୁନେଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ଫଳରେ ଚାଷୀମାନେ ଚାଷ ପାଇଁ ପାଣି ନପାଇ ପୋଖରୀ ଓ ଗଡ଼ିଆରୁ ପମ୍ପ୍‌ ଦ୍ବାରା ଜମିକୁ ଜଳସେଚନ କରୁଥିବା ଦେଖିବାକୁ ମିଳିଛି। ଏପରି ସମୟରେ ତୁରନ୍ତ ଜଳଭଣ୍ଡାର ପୁନରୁଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର