ଝାରସୁଗୁଡ଼ା: ଚଳିତ ମାସର ପ୍ରଥମ ସପ୍ତାହରେ ଲଗାତାର ୨-୩ ଦିନ ଧରି ବର୍ଷା ହେବା ପରେ ଚାଷୀ ମନରେ ଖୁସି ଥିଲା। ବିଳମ୍ବରେ ହେଲେ ବି ଚାଷ କାମ ଆରମ୍ଭ କରିଥିଲେ ଚାଷୀ। ବର୍ଷାକୁ ଦେଖି ଯେଉଁ ବିହନ ବୁଣିଥିଲେ ତାହା ଏବେ ଗଜା ହୋଇଯାଇଛି। କିନ୍ତୁ ଗତ ୪-୫ ଦିନ ହେବ ଝାରସୁଗୁଡ଼ାରେ ବର୍ଷା ହେଉନି କହିଲେ ଚଳେ। ଏଭଳି ସ୍ଥିତିରେ ଅନେକ ସ୍ଥାନରେ ବିଲ ଫାଟି ଆଁ କରିଥିବା ବେଳେ ବିହନ ଗଜା ହୋଇଯାଇଛି। ଜଳାଶୟ ଉପଲବ୍ଧ ଥିବା ସ୍ଥାନମାନଙ୍କରେ ଚାଷୀ ବିଲକୁ ପାଣି ମଡ଼ାଉ ଥିବା ବେଳେ ଜଳ ଯୋଗାଣ ସୁବିଧା ନଥିବା ସ୍ଥାନରେ ଗଜା ମରୁଡ଼ି ଆଶଙ୍କା ଦେଖାଦେଲାଣି।

Advertisment

କନକତୋରା ପଞ୍ଚାୟତ ଲୁହାବଗାର ଚାଷୀ କାଳୀଚରଣ ମେହେରଙ୍କ କହିବାନୁସାରେ, କେଲୋ ନଦୀରେ ପାଣି ଅଛି। କିନ୍ତୁ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ନଥିବାରୁ କ୍ଷେତକୁ ପାଣି ମଡ଼ାଯାଇ ପାରୁନି। ଆଉ କିଛି ଦିନ ଯଦି ବର୍ଷା ନହେବ ତେବେ ଚଳିତ ବର୍ଷ ଖରିଫ ପାଇଁ ବୁଣାଯାଇଥିବା ସମସ୍ତ ବିହନ ନଷ୍ଟ ହୋଇଯିବ। ଠିକ୍‌ରେ ବର୍ଷା ହେଉ ନଥିବାରୁ ଏବେ ବି ସେହି ଅଞ୍ଚଳର ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନ ବୁଣା ଆରମ୍ଭ କରିନାହାନ୍ତି। କେବଳ ଯେ ଲଖନପୁର ବ୍ଲକ୍‌ ନୁହେଁ ବରଂ ଜିଲ୍ଲାର କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ୍‌ରେ ବି ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା କୃଷି ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷ ଖରିଫ୍ ଋତୁ ପାଇଁ ଜିଲ୍ଲାର ମୋଟ୍‌ ୪୧ ହଜାର ୮୨୫ ଜଣ ଚାଷୀ ୪୭ ହଜାର ୫୦୦ ହେକ୍ଟର ଜମିରେ ଚାଷ କରିବେ। ଚଳିତ ଖରିଫ୍ ଋତୁରେ ଚାଷୀଙ୍କୁ ଅନ୍ୟୁନ ୨୪୦୦ କ୍ବିଣ୍ଟାଲ ଧାନ ବିହନ ବିକ୍ରି କରାଯିବ ବୋଲି କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ପ୍ରାୟ ୨୮୦୦ କ୍ବିଣ୍ଟାଲ ବିହନ ଆସିଲାଣି। ସେଥିରୁ ୨୭୦୦ କ୍ବିଣ୍ଟାଲ ବିହନ ବିକ୍ରି ହୋଇସାରିଲାଣି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ାରେ ବୃଷ୍ଟିପାତର ହାର ନାହିଁ କହିଲେ ଚଳେ। ନିଅଣ୍ଟିଆ ବର୍ଷା ଯୋଗୁ ଖୋଦ୍ ଓଡ଼ିଶା ରେନ୍‌ଫଲ୍ ମନିଟରିଂ ସିଷ୍ଟମ୍‌ରେ ମଧ୍ୟ ଗତ ୭ ଦିନର ବର୍ଷା ରେକର୍ଡ ଶୂନ ରହିଛି।