ରାସନ କାର୍ଡ ଥିଲେ ସୁଦ୍ଧା ଡମାଇଙ୍କୁ ମିଳୁନି ଚାଉଳ, ତାଙ୍କ ନାଁର ଚାଉଳ ଯାଉଛି କୁଆଡେ?

ଜୟପୁର: ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତରେ ଜଣେ ହିତାଧିକାରୀ ବୃଦ୍ଧା ମହିଳାଙ୍କ ନାଁରେ ରାସନକାର୍ଡ ଥିବା ସତ୍ବେ ଗତ ୬ମାସ ହେବ ସେ ଟଙ୍କିକିଆ ଚାଉଳ ପାଇ ନାହାନ୍ତି। ବାରମ୍ବାର କୁମୁଲିପୁଟ ପଂଚାୟତ କାର୍ଯ୍ୟାଳୟ ଓ ଜୟପୁର ବିଡିଓଙ୍କୁ ଯାଇ ଅଭିଯୋଗ କରିବା ସତ୍ବେ ବି ସେ ଚାଉଳ ପାଇବାରୁ ବଂଚିତ ହୋଇ ରହିଛନ୍ତି। ତାଙ୍କ ନାଁରେ ଅନ୍ୟ କେହି ଚାଉଳ ଉଠାଇ ନେଉଛନ୍ତି କି ବୋଲି ଏବେ ସନ୍ଦେହ ପ୍ରକାଶ ପାଇଛି। ସୂଚନା ଅନୂଯାୟୀ , ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତର ଡୁଟିଗୁଡା ଗାଁର ଡମାଇ ପେଣ୍ଟିଆ ଗତ ୬ମାସ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଉଥିବା ଚାଉଳ, ଗହମ ଆଦି ପାଇବାରୁ ବଂଚିତ ହୋଇଛନ୍ତି। ସେ କୁମୁଲିପୁଟ ସରପଂଚ, ପିଇଓ ଆଦିଙ୍କୁ ଅଭିଯୋଗ କରିବା ସହ ଜୟପୁର ବ୍ଲକ କାର୍ଯ୍ୟାଳୟକୁ ଆସି ବି ବିଡିଓଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ବାଦେ ବି ଫଳ ଶୁନ୍। ଏହା ସାଙ୍ଗକୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ନାହିଁ।

ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରିପାରୁ ନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘର ଭିତରକୁ ପଡ଼ିଥାଏ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡମାନ ଛପର ସାରା ଭର୍ତ୍ତି । ଏହା ବି ପବନରେ ଉଡିଯିବା ଫଳରେ ଏବେ ଏହି ଘର ବିପଦସଂକୁଳ ପାଲଟିଛି। ଦିନ ମଜୁରିଆ ଭାବେ କାମ କରି ଆସୁଥିବା ଡମାଇ ମହରଗ ଯୁଗରେ କମ ଟଙ୍କାରେ ଚଳିବା ମୁସ୍କିଲ। ଘର ଅବସ୍ଥା ଠିକ ନଥିବାରୁ ପରଘର ବାରଣ୍ଡାରେ ନିଜର ଭାଗ୍ୟକୁ ଆଦରି ଓଳିଏ ଖାଇଲେ ଓଳିଏ ଭୋକ ଉପବାସରେ ପଡ଼ି ରହୁଛନ୍ତି।

ଏଭଳି ଜରୁରୀ ଅବସ୍ଥାରେ ଥିବା ଡମାଇଙ୍କୁ ତୁରନ୍ତ ରାସନ କାର୍ଡ ଅନୁଯାୟୀ ପୁଣି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ସହ ମୁଣ୍ଡ ଗୁଜିଂବାକୁ ଆବାସ ଯୋଜନାରେ ଘର ଖଣ୍ଡିକ ଯୋଗାଇବାକୁ ଡମାଇ ନିବେଦନ କରିଛନ୍ତି। କାହିଁକି ଓ କେଉଁ କାରଣବଶତଃ ଅଚାନକ କାର୍ଡ ଥାଉଣୁ ଚାଉଳ ଦେବା ବନ୍ଦ କରି ଦିଆଗଲା ଏହା ତଦନ୍ତ ସାପେକ୍ଷ। ପ୍ରକୃତ ହିତାଧିକାରୀଙ୍କୁ ଚାଉଳ ନ ଦେଇ ସେ ଚାଉଳ ଗଲା କୁଆଡେ ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର