ଲଗାମ ନାହିଁ, ସହରରେ ବୁଲୁଛନ୍ତି ସଂକ୍ରମିତ; ସୁନ୍ଦରଗଡ଼ ପୌରାଞ୍ଚଳରେ ବଢ଼ୁଛି ସଂକ୍ରମଣ

ସୁନ୍ଦରଗଡ଼: କରୋନାର ଦ୍ବିତୀୟ ଲହର ଆରମ୍ଭରୁ ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ସୁନ୍ଦରଗଡ଼ରେ ସଂକ୍ରମଣ ତିନି ଦିନ ହେଲା ଚାରି ଅଙ୍କରୁ ତିନି ଅଙ୍କକୁ ଖସିଛି। ମେ’ ୧୪ରେ ସଂକ୍ରମିତ ସଂଖ୍ୟା ୧୨୦୯ ଥିଲା। ୧୫ରେ ତାହା ୬୪୧, ୧୬ରେ ୮୩୨, ୧୭ରେ ୮୧୯ ରହିଛି। ୟେ’ତ ଗଲା ଜିଲ୍ଲାର ସ୍ଥିତି, ସୁନ୍ଦରଗଡ଼ ପୌରାଞ୍ଚଳର କରୋନା ଚିତ୍ର ମଧ୍ୟ ସହରବାସୀଙ୍କୁ ଚିନ୍ତାରେ ପକାଇଛି।

ମେ’ ୧ରୁ ୧୭ ତାରିଖ ଯାଏ ପୌରାଞ୍ଚଳରେ ୧୮୯୫ ଜଣଙ୍କ ଦେହରେ କରୋନା ଭୂତାଣୁ ଠାବ କରାଯାଇଛି। ମେ’ ୧ରେ ୬୭ ଚିହ୍ନଟ ହୋଇଥିବା ବେଳେ ୨ରେ ୭୦, ୩ରେ ୫୭, ୪ରେ ୯୨, ୫ରେ ୧୨୭, ୬ରେ ୧୩୭, ୭ରେ ୧୪୫, ୮ରେ ୧୨୯, ୯ରେ ୧୬୦, ୧୦ରେ ୧୪୦, ୧୧ରେ ୧୨୯, ୧୨ରେ ୧୨୯ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ରାଉରକେଲା ମହାନଗର ବହୁ ଆଗରେ ଥିଲା। କିନ୍ତୁ ୧୩ ତାରିଖରେ ରାଉରକେଲା ଠାରୁ ଆଗକୁ ବଢ଼ି ଯାଇଥିଲା ସୁନ୍ଦରଗଡ଼। ୧୩ରେ ରାଉରକେଲା ୧୩୫ ଥିବା ବେଳେ ସୁନ୍ଦରଗଡରୁ ଚିହ୍ନଟ ହୋଇଥିଲେ ୧୬୭। ୧୪ ତାରିଖରେ ପୁଣି ତଳକୁ ଖସିଥିଲା, ଏହି ଦିନ ସଂକ୍ରମିତ ସଂଖ୍ୟା ଥିଲା ୯୭। ୧୫ରେ ୪୪, ୧୬ରେ ୧୫୨, ୧୭ରେ ୭୯ ଜଣ କରୋନା ସଂକ୍ରମିତ ଜଣାପଡ଼ିଥିଲେ। ମାତ୍ର ୧୯ଟି ଛୋଟ ୱାର୍ଡର ଏହି ସହରରେ ମାତ୍ର ୧୭ ଦିନରେ ୧୯ ଶହ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ ନିଶ୍ଚୟ।

ତେବେ ଏ ସଂଖ୍ୟା ତଳକୁ ଖସାଇବାକୁ ଜାରି ହୋଇଥିବା କଟକଣାରେ ଯେଉଁ କଠୋରତା ବା ତତ୍ପରତା ଆବଶ୍ୟକ, ତାହା ସୁନ୍ଦରଗଡ଼ରେ ଦେଖିବାକୁ ମିଳୁ ନାହିଁ। କେଉଁଠି ନା କେଉଁଠି ପ୍ରଶାସନ ତାକୁ ଢିଲାମେଲା ଛାଡ଼ି ଦେଇଛି। ବିଶେଷ କରି କରୋନା ପରୀକ୍ଷଣ, ଅସୁସ୍ଥ ସଂକ୍ରମିତଙ୍କ ଚିକିତ୍ସା, ତାଲାବନ୍ଦ ଧରାବନ୍ଧା ଭାବେ ଚାଲିଛି। କରୋନା ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଓ ସଂକ୍ରମିତଙ୍କ ଉପରେ ଯେଉଁ କଟକଣା ରହିବା କଥା, ତାହା ଆଦୌ ନାହିଁ। ଯାହା ସଂକ୍ରମଣ ପାଇଁ ଖୋଲା ବାଟ ବୋଲି କହିଲେ ଭୁଲ ହେବ ନାହିଁ। ଆଣ୍ଟିଜେନ୍ ହେଉ ବା ଆରଟିପିସିଆର୍ ପରୀକ୍ଷା ନମୁନା ଦେଇଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିବା କଥା। ବିଶେଷ କରି ଆଣ୍ଟିଜେନ୍ ପରୀକ୍ଷାରେ ସଂକ୍ରମିତ କି ନୁହେଁ, ତୁରନ୍ତ ରିପୋର୍ଟ ମିଳୁ ଥିବା ବେଳେ ଲକ୍ଷଣ ନଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ପରାମର୍ଶ ପରେ ବି ଗୃହ ସଂଗରୋଧରେ ରହୁଛନ୍ତି କି ନାହିଁ, ତାର ନିରୀକ୍ଷଣ ପାଇଁ ପ୍ରଶାସନ ଆଗ୍ରହ ପ୍ରକାଶ କରୁନାହିଁ। ଅନ୍ୟପଟେ ଆରଟିପିସିଆରରେ ନମୁନା ଦେଉଥିବା ବ୍ୟକ୍ତିଙ୍କୁ ରିପୋର୍ଟ ଆସିବା ଯାଏ ଗୃହାବଦ୍ଧ ହୋଇ ରହିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏମାନେ ଘରେ ରହୁଛନ୍ତି କି ବାହାରେ ବୁଲୁଛନ୍ତି, ସେଥିପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ପୂର୍ବରୁ ସଂକ୍ରମିତଙ୍କ ଘର କାନ୍ଥରେ ସତର୍କପତ୍ର ଲଟକାଇ ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରହିବାକୁ ସତର୍କ କରାଉଥିଲା।

ଏବେ ସେ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ଆଉ ଏହାକୁ ସୁଯୋଗ ମଣି ସୁନ୍ଦରଗଡ଼ରେ ଆରଟିପିସିଆର ପାଇଁ ନମୁନା ଦେଇଥିବା ତଥା ସଂକ୍ରମିତ ବ୍ୟକ୍ତି ଖୋଲାଖୋଲି ବୁଲୁଥିବା ଦେଖାଯାଇଛି। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେମାନେ ଗୃହ ସଂଗରୋଧରେ ରହିବା ପରିବର୍ତ୍ତେ ଘରୁ ବାହାରି ଦୋକାନ ବଜାରକୁ ଯିବା, ବାଇକ୍ ଧରି ଅକାରଣରେ ସହରରେ ବୁଲିବା, ଭିଡ଼ରେ ସାମିଲ ହେବା ନଜରକୁ ଆସିଛି। ଏହା ଦ୍ବାରା ସେମାନେ ସଂକ୍ରମିତ ଅବା ଆରଟିପିସିଆର୍ ପରୀକ୍ଷା ପାଇଁ ନମୁନା ଦେଇଛନ୍ତି ବୋଲି ପାଖପଡ଼ୋଶୀ ଅଜ୍ଞ ଥିବାସରୁ ସହଜରେ ସେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଛନ୍ତି। ଯାହା ସୁନ୍ଦରଗଡ଼ ସହରରେ ସଂକ୍ରମଣ ବୃଦ୍ଧିର କାରଣ ବୋଲି କୁହାଯାଉଛି। ଏସ୍ଥିତିରେ ଏହି ବ୍ୟକ୍ତିମାନଙ୍କ ଉପରେ ଲଗାମ ଲଗାଇବା ଜରୁରୀ ଥିବା ବେଳେ ପ୍ରଶାସନ ଆଖି ବୁଜି ଦେଇଛି।

ସମ୍ବନ୍ଧିତ ଖବର