ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ବାଘବେଡା ଗ୍ରାମକୁ ରାସ୍ତା ନାହିଁ। ନୂତନ ରାସ୍ତା ପାଇଁ ବହୁ ବାର ଜନ ପ୍ରତିନିଧି ସହ ବ୍ଲକ ଓ ଜିଲ୍ଲା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜିକୁ ଦୀର୍ଘ ୫୦ ବର୍ଷ ତଳେ ଜଙ୍ଗଲ କାଟି କିଛି ପରିବାର ବସତି ସ୍ଥାପନ କରିଥିଲେ। ପରେ ବାଘବେଡା ଗ୍ରାମ ବୋଲି ନାମ ରଖିଥିଲେ ବର୍ତ୍ତମାନ ଏହି ଗ୍ରାମରେ ପ୍ରାୟ ୨୫ ସନ୍ତା ପରିବାର ରହୁଛନ୍ତି। ବିଭିନ୍ନ କିସମର ଚାଷ କରି ପରିବାର ପୋଷଣ କରୁଥିବା ବେଳେ ଧାନ ଏବଂ ମକା ଚାଷ ଅଧିକ ହୋଇଥାଏ। ଏହି ଗ୍ରାମକୁ ଯିବା ପାଇଁ ଦୁଇଟି ରାସ୍ତା ଅଛି। ଗୋଟିଏ ରାସ୍ତା ମାତିଲି ସାହି ଦେଇ ଯିବା ପାଇଁ ପଡେ। ତେବେ ପ୍ରଶାସନ ପକ୍ଷରୁ ମାତିଲି ସାହି ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହୋଇଥିବା ବେଳେ ସେଠାରୁ ବାଘବେଡା ଗ୍ରାମ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇ ନଥିବା ଗ୍ରାମବାସୀ କହିଛନ୍ତି। ମାତିଲି ସାହି ଠାରୁ ପ୍ରାୟ ଏକ କିଲୋମିଟର ଦୂର ବାଘବେଡା ନାଳ ପାର ହୋଇ ଧାନ ଜମିର ହିଡ ଦେଇ ବାଘବେଡା ଗ୍ରାମକୁ ଯିବା ପାଇଁ ପଡିଥାଏ। ସେହିପରି ଅନ୍ୟ ଏକ ରାସ୍ତା କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତହରାକାରିଆ ଗୁଡା ଗ୍ରାମ ଦେଇ ଯିବା ପାଇଁ ପଡିଥାଏ। ଏହି ରାସ୍ତା ଦେଇ ଗଲେ ତହରାକାରିଆଗୁଡା ଗ୍ରାମ ଠାରୁ ପ୍ରାୟ ଅଢେ଼ଇ କିଲୋମିଟର କାଦୁଅ ରାସ୍ତା ଦେଇ ଯିବା ପାଇଁ ପଡିଥାଏ।
ତେବେ ବର୍ଷା ଦିନ ମାନଙ୍କରେ ବାଘବେଡା ଗ୍ରାମକୁ ଯାତାୟତ ପାଇଁ ଉଭୟ ରାସ୍ତାରେ ସମସ୍ୟା ହୋଇଥାଏ। ତେବେ ପକ୍କା ରାସ୍ତା ନଥିବା ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁ ନଥିବା ବେଳେ ଗ୍ରାମର ରୋଗୀ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଭାରରେ ବହି ମାତିଲିସାହି ଗ୍ରାମ ପର୍ଯ୍ୟନ୍ତ ନେବା ପାଇଁ ପଡୁଥିବା ଗ୍ରାମବାସୀ କହିଛନ୍ତି। ରାସ୍ତା ନଥିବା ଯୋଗୁଁ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ମଧ୍ୟ ପାଦ ପଡି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ରାସ୍ତା ନଥିବା ଯୋଗୁଁ ଗ୍ରାମର ପ୍ରାୟ ମହିଳା ଘରେ ପ୍ରସୂତି ହେଉଥିବା ଗ୍ରାମବାସୀ କହିଛନ୍ତି। ଯଦି ଗର୍ଭବତୀ ମହିଳାଙ୍କ ପ୍ରସୂତିରେ କୌଣସି ସମସ୍ୟା ହେଲେ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଉଥିବା କହିଛନ୍ତି। ଚଳିତବର୍ଷ ଏଯାବତ ଗ୍ରାମର ୩ଜଣ ଗର୍ଭବତୀ ଘରେ ପ୍ରସୂତି ହୋଇଥିବା ଗ୍ରାମବାସୀ ସୂଚନା ଦେଇଥିଲେ। ରାସ୍ତା ନିର୍ମାଣ ପାଇଁ ବହୁ ବାର ଜନ ପ୍ରତିନିଧି ସହ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ କହିଛନ୍ତି। ସେହିପରି ବାଘବେଡା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବହୁ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉ ନଥିବା ଗ୍ରାମବାସୀ କହିଛନ୍ତି।
ସେହିପରି ଆବାସ ଗୃହ ପାଇବା ପାଇଁ ବହୁ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ କିଛି ହିତାଧିକାରୀ ଯୋଜନାରେ ସାମିଲ ହୋଇଥିବା ବେଳେ ଅନ୍ୟମାନେ ଭଙ୍ଗା ଦଦରା ମାଟି ଘରେ ଆଶ୍ରୟ ନେଉଥିବା ଅଭିଯୋଗ ହୋଇଛି।ସେହିପରି ପ୍ରଶାସନ ପକ୍ଷରୁ ଗ୍ରାମରେ ପାଇଖାନା ନିର୍ମାଣ ହୋଇଥିବା ବେଳେ ନିମ୍ନମାନର କାମ ଯୋଗୁଁ କିଛି ପାଇଖାନାର କବାଟ ନାହିଁ। ଆଉ କିଛି ପାଇଖାନା ବ୍ୟବହାର ଉପଯୋଗୀ ନାହିଁ। ଫଳରେ ଏହି ଯୋଜନା ବାଘବେଡା ଗ୍ରାମରେ ବାଟବଣା ହୋଇ ପଡିଛି। ସେହିପରି ବାଘବେଡା ଗ୍ରାମରେ ନୂତନ ପଖରୀ ଖନନ ପାଇଁ ଗ୍ରାମବାସୀ ଦାବି କରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ନୂତନ ପଖରୀ ଖନନ ହୋଇନଥିବା କହିଛନ୍ତି। ଗ୍ରାମର ବିଭିନ୍ନ ସମସ୍ୟାକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମର ଗଦା ସନ୍ତା, ଡମ୍ବରୁ ସନ୍ତା, ଓକିଲ ସନ୍ତା, ଅସ୍ତୁ ସନ୍ତା, ରାମ ସନ୍ତା, ଜଗବନ୍ଧୁ ସନ୍ତା, କମଳା ସନ୍ତା, ପାର୍ବତୀ ସନ୍ତା, ଆଲଇ ସନ୍ତା, ବିମଳା ସନ୍ତା, ସୁବର୍ଣ୍ଣ ସନ୍ତା, ହୀରା ସନ୍ତା ପ୍ରମୁଖ ଦାବି କରିଛନ୍ତି।