ଦୁଗର୍ମ ଅଂଚଳରେ ବିକାଶ: ଚାରିଚକିଆ ଯାନ ଯିବା ପାଇଁ ଗାଁକୁ ନାହିଁ ରାସ୍ତା, ଗର୍ଭବତୀଙ୍କୁ ଭାରରେ ବୋହିଲେ ୧ କିଲୋମିଟର

ନନ୍ଦପୁର: ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଜ୍ୟର ଅନେକ ଗୁଡ଼ିଏ ଗ୍ରାମକୁ ରାସ୍ତା ଖଣ୍ଡେ ନାହିଁ, ଯେଉଁଥି ପାଇଁ ଗ୍ରାମବାସୀଙ୍କୁ ବହୁ ହଇରାଣ ହେବାକୁ ପଡୁଛି। ବିଶେଷ କରି ସ୍ୱାସ୍ଥ୍ୟ ସେବା ପାଇବାରେ ବହୁ ହଇରାଣ ହେଉଛନ୍ତି ଦୁର୍ଗମ ଅଂଚଳ ଲୋକେ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଗ୍ରାମ ପଞ୍ଚାୟତର ଆମ୍ବାପଡା ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଦଶହରା ଦିନ ଅପରାହ୍ନ ତିନିଟା ବେଳକୁ ୧୦୮ ଆମ୍ବୁଲାନ୍‌ସ ସେବା ନିମନ୍ତେ ଫୋନ କରିଥିଲେ ସୁରେଶ ହନ୍ତାଳଙ୍କ ପରିବାର ଓ ଗ୍ରାମବାସୀ। ସୁରେଶଙ୍କ ସ୍ତ୍ରୀ ମିନତୀ ହନ୍ତାଳ(୨୨) ଗର୍ଭବତୀ ଥିବାରୁ ପ୍ରସବଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଫୋନ ପାଇବା ପରେ ଆମ୍ବୁଲାନ୍‌ସ ଗ୍ରାମ ନିକଟରେ ପହଞ୍ଚିଲା। କିନ୍ତୁ ଗ୍ରାମକୁ ରାସ୍ତା ନଥିବା ଏବଂ ଏକ ନଦୀ ପ୍ରବାହିତ ହେଉ ଥିବାରୁ ଜାମଗୁଡା ଗ୍ରାମ ନିକଟରେ ଅଟକି ଗଲା ଆମ୍ବୁଲାନ୍‌। ଆମ୍ବୁଲାନ୍‌ସ ରହିବା ସ୍ଥାନ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଆମ୍ବାପଡା ଗ୍ରାମ। ଅସହାୟ ଗର୍ଭବତୀ ମିନତୀଙ୍କୁ ସାହାଯ୍ୟ କରିବାକୁ ଗ୍ରାମବାସୀ ଆଗେଇ ଆସିଲେ। ଏକ ପ୍ଲାଷ୍ଟିକ ଚେୟାରରେ ମିନତୀ ହାନ୍ତାଳଙ୍କୁ ବସାଇ ଦଉଡି ସାହାଯ୍ୟରେ ଏକ କାଠ ଦ୍ୱାରା ଭାର ପ୍ରସ୍ତୁତ କଲେ।

ପ୍ରବଳ ବର୍ଷା ହେଉଥିବାରୁ କାଠର ଭାରା ଉପରେ ଏକ ପଲିଥିନ ଟାଙ୍ଗିଲେ। ଗ୍ରାମ ଠାରୁ ପାଦ ଚଲା ରାସ୍ତାଟି ଅନାବନା ଘାସରେ ଭର୍ତ୍ତି ହୋଇ ଥିବାରୁ ତାହାକୁ କିଛି ଲୋକ ଦା’ ସାହାଯ୍ୟରେ ସଫା କରୁଥିଲେ। ଗର୍ଭବତୀଙ୍କୁ ଅନ୍ୟମାନେ ଭାରରେ ବୋହିିଥିଲେ। କିଛି ଦୂର ଗର୍ଭବତୀଙ୍କୁ ଭାରରେ ବୋହି ନେବା ପରେ ଏକ ନଦୀ ପଡିଲା। ଉକ୍ତ ନଦୀରେ ଗର୍ଭବତୀଙ୍କୁ ଆରପାରିକୁ ନେଇଥିଲେ।

ନଦୀ ପାର ହେବା ପରେ ଗୋଟିଏ ସ୍ଥାନରେ ବଡ଼ ଘାଟି ପଡିଥିବା ବେଳେ ଉକ୍ତ ଘାଟିରେ ଗର୍ଭବତୀଙ୍କୁ ଭାରରେ ବୋହି ଚଢ଼ିବା କଷ୍ଟକର ହୋଇଥିଲା। ଗ୍ରାମବାସୀ ଧରିଥିବା ଏକ କୋଦାଳ ସାହାଯ୍ୟରେ ଖୋଳି ଖୋଳି ପାହାଚ ତିଆରି କରିଥିଲେ। ଜାମଗୁଡା ଗ୍ରାମରେ ପହଞ୍ଚିବା ବେଳକୁ ଆମ୍ବୁଲାନ୍‌ସ ସେଠାରେ ଜଗି ରହିଥିଲା। ଉକ୍ତ ଆମ୍ବୁଲାନ୍‌ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀଙ୍କୁ ପହଞ୍ଚାଇ ଥିଲେ।

ରାସ୍ତା ନ ଥିବାରୁ ଦୀର୍ଘ ଏକ କିଲୋମିଟର ଭାରରେ ଗର୍ଭବତୀଙ୍କୁ ବୋହି ଆଣିବା ଯେତିକି କଷ୍ଟକର ହୋଇଥିଲା ଗ୍ରାମରେ ମୋବାଇଲ ନେଟୱର୍କ ନ ଥିବାରୁ ଜୀବନ ଆହୁରି ଦୁର୍ବିସହ ହୋଇ ପଡିଛି ବୋଲି ଗ୍ରାମବାସୀ ବିଶେଷ କରି ଯୁବକ ମାନେ ଅଭିଯୋଗ କରିଛନ୍ତି। ମିନତୀ ହନ୍ତାଳ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗ୍ରାମରେ ମୋବାଇଲ ନେଟୱର୍କ ନ ଥିବାରୁ ଗ୍ରାମଠାରୁ ଦୀର୍ଘ ଏକ କିଲୋମିଟର ବାରଝୋଲା ଗ୍ରାମ ନିକଟରେ ପହଞ୍ଚି ଆମ୍ବୁଲାନ୍‌ସକୁ ଫୋନ କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର