ରାଇରଙ୍ଗପୁର: ବିଧାୟକଙ୍କ ୱାର୍ଡକୁ ଭଲ ରାସ୍ତାଟିଏ ନାହିଁ। ରାଇରଙ୍ଗପୁର ପୌରପରିଷଦ ଇଚିଣ୍ଡା ମୌଜା ଅନ୍ତର୍ଗତ ୧୧ ନଂ ୱାର୍ଡର ଠାକୁରାଣୀବେଡ଼ାକୁ ସଂଯୋଗୀକରଣ ରାସ୍ତାଟିଏ ନାହିଁ। ଏହି ୱାର୍ଡରେ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ପୈତୃକ ଘର ରହିଛି। ଗ୍ରାମରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି। ୧୯୬୩ ମସିହାରେ ରାଇରଙ୍ଗପୁର ପୌରାଞ୍ଚଳ ଭାବେ ମାନ୍ୟତା ପାଇବାଠାରୁ ଏହି ଗାଁକୁ ଯିବା ପାଇଁ ଗୋଟିଏ ଆଡ଼ିବନ୍ଧ ଦେଇ ଯିବାକୁ ପଡ଼ୁଥିଲା। ସେହି ଆଡ଼ିବନ୍ଧ ଥିଲା ଏକମାତ୍ର ସଂଯୋଗୀକରଣ ରାସ୍ତା। ପରବର୍ତ୍ତୀ ସମୟରେ ଆଉ ଗୋଟିଏ ସଂଯୋଗୀକରଣ ଶାଖା ରାସ୍ତାଟିଏ ନିର୍ମାଣ କରାଯାଇଥିଲା। ତେବେ ରାଇରଙ୍ଗପୁର ପୌରାଞ୍ଚଳ ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ମଧ୍ୟ ରାସ୍ତା ହେଲାନାହିଁ। କାରଣ ସେହି ଆଡ଼ିବନ୍ଧ ରାସ୍ତାଟି ଇଚିଣ୍ଡା ମୌଜାର ପଲଟମ ମହାନ୍ତଙ୍କ ନାଁରେ ରେକଡର୍ଭୁକ୍ତ ବୋଲି କୁହାଯାଉଛି। ଗତ ୨୦ ବର୍ଷ ହେବ ପଲଟମ୍ ମହାନ୍ତଙ୍କ ଉତ୍ତରାଧିକାରୀ ରାଜକିଶୋର ମହାନ୍ତ ତାଙ୍କର ରେକଡ଼ର୍ଭୁକ୍ତ ଜମି ହୋଇଥିବାରୁ ସ୍ଥାୟୀ ରାସ୍ତା କରାଇ ଦେଉନାହାନ୍ତି। ଫଳରେ ବର୍ତ୍ତମାନ ଉକ୍ତ ରାସ୍ତାରେ ଚାରିଚକିଆ, ଦୁଇଚକିଆ ଯାନ ଯିବା ଦୂର କଥା, ପାଦରେ ଚାଲିକି ଯାଇ ହେଉନାହିଁ। ଆଡ଼ିବନ୍ଧଠାରୁ ମାତ୍ର ୧୦୦ ମିଟର ଦୂରରେ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ପୈତୃକ ଘର। ବିଧାୟକଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍ଗା ମଧ୍ୟ ପୌର ପରିଷଦର ଅଧ୍ୟକ୍ଷା ଥିଲେ। ସେ ସମୟରେ ବି ରାସ୍ତା ହେଲାନାହିଁ। ଦୀର୍ଘ ୨୫ ବର୍ଷ ଧରି ରାଇରଙ୍ଗପୁର ପୌର ପରିଷଦ ବିଜେପି ଦଖଲରେ ରହିଥିଲା। ବର୍ତ୍ତମାନ ଇଚିଣ୍ଡା ଓ ଠାକୁରାଣୀବେଡ଼ା ଅଞ୍ଚଳର ୧୧, ୧୨ ଓ ୧୪ ନଂ ୱାର୍ଡରୁ ବିଜୁ ଜନତା ଦଳର ସମର୍ଥିତ କାଉନସିଲର ଅଛନ୍ତି। ହେଲେ କୌଣସି ରାଜନେତା ଓ ଜନପ୍ରତିନିଧି ଏହି ରାସ୍ତାର ଉନ୍ନତୀକରଣ ପାଇଁ ପ୍ରଚେଷ୍ଟା କରୁନାହାନ୍ତି। ବିଧାୟକ ରାଜକିଶୋର ଦାସ ତାଙ୍କ ପୈତୃକ ଘରକୁ ସବୁବେଳେ ଆସିଥାନ୍ତି। ସ୍ଥାନୀୟ ଜନସାଧାରଣଙ୍କ କହିବା କଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏ ଅଞ୍ଚଳକୁ ସ୍ଥାୟୀ ରାସ୍ତାଟିଏ ହୋଇ ପାରୁନାହିଁ। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଦି ପ୍ରଶାସନ ଜମି ମାଲିକାନା ଥିବା ବ୍ୟକ୍ତିଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ କରନ୍ତି, ତା’ ହେଲେ ରାସ୍ତା ନିର୍ମାଣ ନେଇ ବାଟ ଫିଟିବ ବୋଲି ୱାର୍ଡବାସୀ କହିଛନ୍ତି। ଏ ଦିଗରେ ବିଧାୟକ ଓ ଅନ୍ୟ ନେତୃମଣ୍ଡଳୀ ହସ୍ତକ୍ଷେପ କରି ସ୍ଥାୟୀ ରାସ୍ତା ଦିଗରେ ପଦକ୍ଷେପ ନେବାକୁ ୱାର୍ଡବାସୀ ଅନୁରୋଧ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp