ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ସୁଜେଲି ଡମାଗୁଡାକୁ ନାହିଁ ପକ୍କା ରାସ୍ତା

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମର ସାହିକୁ ଆଜି ବି ପକ୍କା ରାସ୍ତାଟିଏ ନଥିବା ପରିତାପର ବିଷୟ। ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତାଟିଏ ନଥିବା ବେଳେ କିଛି ସ୍ଥାନରେ ରାସ୍ତା ଉପରେ ରାସ୍ତା ନିର୍ମାଣ ହେଉଛି ସରକାରୀ ଅନୁଦାନର ଦୁରୂପଯୋଗ କରାଯାଉଛି। କିଛି ସ୍ୱାର୍ଥନ୍ୱେସି ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ଗୁପ୍ତ ବୁଝାମଣାରେ ବ୍ୟାପକ ହରିଲୁଟ ଚାଲିଥିବା ବେଳେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୧୨ନଂ ୱାର୍ଡ ଯାହାକି ଏହି ପଞ୍ଚାୟତର ସବୁଠାରୁ ବଡ଼ ୱାର୍ଡ ସୁଜେଲି ଡ଼ମାଗୁଡା ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ଏହି ୱାର୍ଡର ଲୋକ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ଵ ହୋଇଥିବାବେଳେ ଖାଲଖମା ମାଟି କାଦୁଅ ରାସ୍ତା। ବର୍ଷା ହେଲେ ଏହି ରାସ୍ତାରେ ଚାଲିଯିବା ଅସମ୍ଭବ।

ରାତି ପାହିଲେ ଶହ ଶହ ଲୋକ ପିଲା ଏହି ରାସ୍ତାରେ ଯାତାୟତ କରୁଛନ୍ତି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ଗ୍ରାମବାସୀ। ଅନ୍ୟ ପକ୍ଷରେ ଏହି ପଞ୍ଚାୟତରେ ବିଭିନ୍ନ ଗାଁରେ ରାସ୍ତା ଉପରେ ପୁଣି ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛି ଏହି ଗାଁ ରାସ୍ତା। ମାଟି ମୁଠାଏ ପଡିନି ପକ୍କା ରାସ୍ତା ତ ଦୁରେ ଥାଉ। ପ୍ରଶ୍ନ ଉଠୁଛି ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିମାନେ କରୁଛନ୍ତି କଣ? ଦେଶ ସ୍ୱାଧୀନତାକୁ ଦୀର୍ଘ ବର୍ଷ ବିତିଯିବା ସହ ବହୁବାର ନିର୍ବାଚନ ହୋଇଛି ବହୁ ଲୋକପ୍ରତିନିଧି ଲୋକଙ୍କ ଭୋଟ ପାଇ ନିର୍ବାଚିତ ହୋଇ ଆସିଛନ୍ତି ହେଲେ ସାମାନ୍ୟ ରାସ୍ତା ଖଣ୍ଡେ କରି ନପାରିବା ଦୁଃଖର ବିଷୟ। ଭୋଟ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚି ବଡ଼ ବଡ଼ ଭାଷଣ ଦିଅନ୍ତି ମାଳ ମାଳ ପ୍ରତିଶ୍ରୁତି ଦିଅନ୍ତି ଭୋଟ ସରିଗଲେ ସବୁ ଭୁଲିଯାଆନ୍ତି। ଏହି ପ୍ରକ୍ରିୟାରେ ଚାଲିଛି ସ୍ଥାନୀୟ ଅଞ୍ଚଳରେ ଶାସନ। ତୁରନ୍ତ ସୁଜେଲି ଡମାଗୁଡା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର