ରାଉରକେଲା: ବିନା ରୁଟ୍ ଅନୁମତିରେ ରାଉରକେଲା ନୂଆ ବସ୍ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ଉଠାଇବା ବସ୍ ମାଲିକଙ୍କୁ ମହଙ୍ଗା ପଡିଛି। ବସ୍ଷ୍ଟାଣ୍ଡରେ ଅନ୍ୟ ଘରୋଇ ବସ୍ କର୍ମଚାରୀ ଓ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ନୂଆ ବସ୍ଷ୍ଟାଣ୍ଡରୁ ବସ୍ଟି ହଟିବାକୁ ଜିଦ୍ ଧରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବସ୍ଷ୍ଟାଣ୍ଡ ଫାଣ୍ଡି ପୁଲିସ ପହଞ୍ଚି ଉତ୍ତେଜିତ ଘରୋଇ ବସ୍ କର୍ମଚାରୀ ଓ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମିଳିଥିବା ସୂଚନା ମୁତାବକ ‘ଜୟ ମା ମଙ୍ଗଳା’ ନାମକ ଘରୋଇ ବସ୍ର ରାଜଗାଙ୍ଗପୁରରୁ ବିହାର ଗୟାକୁ ଦୈନନ୍ଦିନ ଯାତାୟତ କରିଥାଏ।
ବସ୍ଟି ରାଜଗାଙ୍ଗପୁରରୁ କୁତ୍ରା ଓ ରାଞ୍ଚି ଦେଇ ଗୟା ଯାଇଥାଏ। ରାଉରକେଲା ନୂଆ ବସ୍ଷ୍ଟାଣ୍ଡର ଜଣେ ଟିକେଟ୍ ଏଜେଣ୍ଟ ବସ୍ର ରୁଟ୍ ଅନୁମତି ରାଉରକେଲାକୁ ମିଳିଛି କି ନାହିଁ ନ ଜାଣି ବସ୍ଟିକୁ ନୂଆ ବସଷ୍ଟାଣ୍ଡକୁ ଭିତରକୁ ପୁରାଇଥିଲେ। ଆଜି ଅପରାହ୍ନ ୪ଟାରେ ବସ୍ଟି ନୂଆ ବସ୍ଷ୍ଟାଣ୍ଡରୁ କିଛି ଯାତ୍ରୀଙ୍କୁ ନେଇ ଗୟା ବାହାରିଥିଲା।
ଅନ୍ୟ ବସ୍ର କର୍ମଚାରୀ ଓ ଘରୋଇ ମାଲିକ ସଂଘର କର୍ମକର୍ତ୍ତାମାନେ ପହଞ୍ଚି ବସ୍ ଡ୍ରାଇଭରକୁ ଗାଡିରୁ କାଗଜପତ୍ର ମାଗିଥିଲେ। କାଗଜପତ୍ର ଯାଞ୍ଚରୁ ବସ୍ଟି ରାଉରକେଲା ଭିତରକୁ ପଶିବାର ଅନୁମତି ନଥିବା ଜାଣି ପାଟିତୁଣ୍ଡ କରିଥିଲେ। ଯାତ୍ରୀମାନଙ୍କୁ ଓହ୍ଲାଇ ଯିବାକୁ କହିଥିଲେ। ଯାତ୍ରୀମାନେ ବସ୍ରୁ ଓହ୍ଲାଇଯିବା ପରେ ବିନା ଯାତ୍ରୀରେ ବସ୍ଟି ରାଜଗାଙ୍ଗପୁର ଅଭିମୁଖେ ବାହାରିଥିବା ଜଣାପଡିଛି।