କରୋନାରେ ଖଟେଇଲେ, ପ୍ରାପ୍ୟ ନଦେଇ ଛଟେଇ, ଠିକା ଏଏନଏମଙ୍କ ଦୁଃଖ ବୁଝିବ କିଏ !

ଭଦ୍ରକ: ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବିଚିତ୍ର ନୀତି। କରୋନା ମହାମାରୀ ସମୟରେ ଖରା ବର୍ଷା ଶୀତରେ ଖଟାଇ ଶେଷରେ ବିନା ପ୍ରାପ୍ୟରେ ଏଏନଏମ ମହିଳା କର୍ମୀଙ୍କୁ କାର୍ଯ୍ୟରୁ ଛଟେଇ କରିବାର ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏଭଳି ନୋଟିସ ପାଇବା ପରେ ଗତ ସେପ୍ଟେମ୍ବର ମାସରୁ କାମ ଆରମ୍ଭ କରିଥିବା ମହିଳା ଏଏନଏମ କର୍ମୀମାନେ ହତାଶ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ କେହି ସେମାନଙ୍କର ଟଙ୍କାଟିଏ ମଧ୍ୟ ପ୍ରାପ୍ୟ ପାଇ ନାହାନ୍ତି। କରୋନା ପରିଚାଳନାରେ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମହିଳା ଏଏନଏମଙ୍କୁ ଟଙ୍କାଟିଏ ନଦେବା ପରିତାପର ବିଷୟ ହୋଇଛି। ଗୋତି ଶ୍ରମିକଙ୍କଠାରୁ ଅଧିକ ଯନ୍ତ୍ରଣା ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗ କରୋନା ଆଳରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ଖାଇଥିବା ବେଳେ ଏଏନଏମଙ୍କ ୩ ମାସର ପ୍ରାପ୍ୟ କାହିଁକି ଦେଉନାହାନ୍ତି ବୋଲି କିଛି ଏଏନଏମ ଏହା ଭିତରେ ଦୁଇ ଦୁଇଥର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ ଅଫିସକୁ ଯାଇ ପ୍ରାପ୍ୟ ନପାଇ ନିରାଶ ହୋଇ ଫେରିଛନ୍ତି।

ଭଦ୍ରକ ଜିଲ୍ଲାର ୭ ଟି ବ୍ଲକ ଅଞ୍ଚଳରେ ଥିବା ୨୧୮ଟି ପଞ୍ଚାୟତରେ କରୋନା ମହାମାରୀ ସମୟରେ କରୋନା ଆକ୍ରାନ୍ତଙ୍କ ସ୍ବାବ ଟେଷ୍ଟ ଓ ଔଷଧ ବଣ୍ଟନ କରିବା ପାଇଁ ଠିକାରେ ନିଯୁକ୍ତି ପାଇଥିବା ଏଏନଏମ କର୍ମୀଙ୍କୁ ପ୍ରାପ୍ୟ ପ୍ରଦାନ ନକରିବା ପଛରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର କେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି ତାହା ବୁଝା ପଡୁନାହିଁ। କରୋନାରେ କୋଟି କୋଟି ଟଙ୍କାର ବିଲ୍ କରି ନିଆଗଲା। କିନ୍ତୁ ଯେଉଁ କର୍ମୀଙ୍କୁ ଗାଁ ଗାଁ ବୁଲାଇ ଖଟାଇଲ ତାଙ୍କୁ ସେମାନଙ୍କୁ ପ୍ରାପ୍ୟ କାହିଁକି ଦିଆଗଲା ନାହିଁ ବୋଲି ନିଯୁକ୍ତି ପାଇଥିବା ବହୁ ଏଏନଏମ କର୍ମୀ ଓ ସେମାନଙ୍କ ଅଭିଭାବକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାନଗଲେ ଭଦ୍ରକ ସିଡିଏମଓଙ୍କ ଅଫିସ୍ , ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଓ ଆବଶ୍ୟକ ପଡିଲେ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। କୋଭିଡ୍ ପରିଚାଳନାରେ କିଭଳି ସ୍ବାସ୍ଥ୍ୟ ବିଭାଗ ଫେଲ ମାରିଛି, ତାର ମୁଖା ମଧ୍ୟ ଖୋଲି ଦିଆଯିବ ବୋଲି ବହୁ ଅଭିଭାବକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ବିନା ପ୍ରାପ୍ୟରେ ଖଟିଥିବା ମହିଳା ଏଏମଏମଙ୍କୁ ତୁରନ୍ତ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବା ସହ ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ବୋଲି ଦାବିକରି ଆସନ୍ତାକାଲି ଶତାଧିକ ଏଏନଏମ କର୍ମୀ ଭୁବନେଶ୍ବର ଅଭିମୁଖେ ଯାଉଥିବା ସୂଚନା ମିଳିଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତ ତା ୨୬/୧୧/୨୦୨୦ ତାରିଖରେ ଭଦ୍ରକ ସିଡିଏମଓଙ୍କ ଅଫିସ୍ ଚିଠି ନମ୍ବର ୧୦୨୩୪ ଅନୁଯାୟୀ ଜିଲ୍ଲାର ସମସ୍ତ ସିଏଚସି ଅଧିନରେ କାମ କରୁଥିବା ତାଲିମ ପ୍ରାପ୍ତ ଏଏନଏମ ଙ୍କୁ ଛଟେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚିଠି ସଂଖ୍ୟା ୧୬୭୦୫/ ତା ୧୮/୭/୨୦୨୦ ମୂଳେ ଏଏନଏମମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସିସିଏଚଗୁଡିକରେ ଏଇ ମହିଳା ସ୍ବାସ୍ଥ୍ୟ କର୍ମୀମାନେ କରୋନା ସମୟରେ କାମ କରୁଥିଲେ । ଠିକାରେ ୩ ମାସ ପାଇଁ ନିଯୁକ୍ତି ପାଇଥିଲେ।

ଏହା ଭିତରେ ୩ ମାସ ପୂରଣ ହୋବାକୁ ଯାଉଥିବା ବେଳେ ସେମାନଙ୍କୁ ଛଟେଇ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଭଳି ଛଟେଇ କରିବାର ଚିଠି ମଂଜୁର କରିବା ପୂର୍ବରୁ ଏଇ ଠିକା ସ୍ବାସ୍ଥ୍ୟ କର୍ମୀଙ୍କର ପ୍ରାପ୍ୟ ବିଷୟରେ ଚିଠିରେ କିଛି ଉଲ୍ଲେଖ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବହୁ ମହିଳା କର୍ମୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କର ୩ ମାସର ପ୍ରାପ୍ୟ ପ୍ରଦାନ ସହ ପୁନଃ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି। ସରକାର ଏମାନଙ୍କୁ ପୁନଃ ନିଯୁକ୍ତି ନଦେଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର