କାହ୍ନୁଗୁଡାବାସୀଙ୍କ ପାଇଁ ମୌଳିକ ସୁବିଧା ସାତସପନ: ୭୭ ବର୍ଷ ପରେ ବି ଗାଁକୁ ପହଞ୍ଚିଲା ନାହିଁ ଯୋଜନା

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ କାହ୍ନୁଗୁଡା ଗ୍ରାମରେ ସ୍ବାଧୀନତାର ୭୭ ବର୍ଷ ପରେ ବି ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ପ୍ରତିବର୍ଷ ଲୋକେ ସରକାର ଏବଂ ପ୍ରଶାସନ ନିକଟରେ ମୌଳିକ ସୁବିଧା ପାଇଁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। କାହ୍ନୁଗୁଡା ଗ୍ରାମଟି ଏକ ପ୍ରକାର ବିଛିନ୍ନ ହୋଇ ରହିଛି। ଏହି ଗାଁକୁ ଚାରିପଟେ ପାହାଡିଆ ନଦୀ ଘେରି ରହିଛି। ଗ୍ରାମରେ ବସବାସ କରୁଥିବା ୧୫୦- ପରିବାର ଦୟନୀୟ ଜୀବନଯାପନ କରୁଛନ୍ତି। ଏହି ଗ୍ରାମବାସୀମାନେ ସରଳ ନିରୀହ ଆଦିବାସୀ ହୋଇଥିବାରୁ ଏମାନଙ୍କୁ କେହି ପଚାରୁନଥିବା ଅଭିଯୋଗ କରିଛନ୍ତି। ଗ୍ରାମରେ ମୌଳିକ ସୁବିଧା ନପହଞ୍ଚିଲେ ଆଗାମୀ ଦିନରେ ବିଭିନ୍ନ ପନ୍ଥା ଅବଲମ୍ବନ କରିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଆସନ୍ତା ୨୪ ତାରିଖରେ କାହ୍ନୁଗୁଡା ଗ୍ରାମ ଠାରୁ କାଶୀପୁର ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରି ସ୍ମାରକ ପତ୍ର ଦିଆଯିବ। ଦାବି ପୂରଣ ନହେଲେ ଆସନ୍ତା ସାଧାରଣତନ୍ତ୍ର ଦିବସ ବା ୨୬ ଜାନୁଆରୀରୁ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି କହିଛନ୍ତି। ଏଥିରେ ବି ସରକାର ନମାନନ୍ତି ତେବେ ସମସ୍ତ ଗ୍ରାମବାସୀ ରାଷ୍ଟ୍ରପତିଙ୍କ ନିକଟରେ ଇଛାମୃତ୍ୟୁ ପାଇଁ ନିବେଦନ କରିବେ ବୋଲି ଆଜି କ୍ଷୋଭର ସହ ସମାଜସେବୀ ବଳରାମ ପଣ୍ଡା,ଶଂକର ମାଝି,କାନ୍ତି ମାଝି ଓ ଟଂକଧର ସଲୁ କହିଛନ୍ତି ।

ଗ୍ରାମବାସୀଙ୍କ ମୁଖ୍ୟ ଦାବିଗୁଡିକ ହେଲା ଅଂଗନବାଡି କର୍ମୀ ଅନ୍ୟ ପଞ୍ଚାୟତର ହୋଇଥିବାରୁ କାମରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି। ଗ୍ରାମର ଜଣେ ଶିକ୍ଷିତ ମହିଳାଙ୍କୁ ଅଂଗନବାଡି କର୍ମୀ ରୂପେ ନିଯୁକ୍ତି ଦିଆଯାଉ। ଗ୍ରାମରେ ଦେଢ ଶହ ପରିବାର ବସବାସ କରୁଥିବାରୁ ସେମାନଙ୍କ ପାଇଁ ଦୁଇଟି ନଳକୂପ ଓ ବିଦ୍ୟାଳୟ ପାଇଁ ଗୋଟିଏ ନଳକୂପ ତିଆରି କରାଯାଉ। ଗ୍ରାମରେ ରହିଥିବା ବିଦ୍ୟାଳୟରେ ଅନ୍ତତଃ ଦୁଇଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ।ଗ୍ରାମରେ ରହିଥିବା ସ୍ବାସ୍ଥ୍ୟ କେନ୍ଦ୍ରଟିକୁ ଲୋକାର୍ପଣ କରି କାର୍ଯ୍ୟକ୍ଷମ କରାଯାଉ। ଜଣେ ନିୟମିତ ଏଏନଏମଙ୍କୁ ଦାୟୀତ୍ବ ଦିଆଯାଉ। ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯିବା ସହ ସତ୍ୟବତୀ ନଦୀରେ ବ୍ରିଜ ନିର୍ମାଣ କରାଯାଉ ବୋଲି କହିଛନ୍ତି। ଗ୍ରାମବାସୀ ସ୍ବାଧୀନତା,ସମାନତା ଓ ସମ୍ମାନଜନକ ଭାବେ ବଞ୍ଚିବାକୁ ଚାହାନ୍ତି। ଯାହା ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇରହିଛି।ଆଗକୁ ନିର୍ବାଚନ ଆସୁଥିବା ବେଳେ ଜଣେ ବି ନେତା ଗ୍ରାମରେ ପହଞ୍ଚିପାରିନାହାନ୍ତି। ଏହାର କାରଣ ହେଲା ଗ୍ରାମରେ ସରକାରୀ ଯୋଜନା ପହଞ୍ଚାଇବାରେ ନେତାଙ୍କର କୌଣସି ଭୁମିକା ନାହିଁ। ସମସ୍ତ ସୁବିଧା ପାଇଲେ ହିଁ ଆମେ ଆଗାମୀ ନିର୍ବାଚନରେ ଭୋଟ ଦେବୁ ବୋଲି ସଫା ସଫା ଗ୍ରାମବାସୀ କହିଥିଲେ। ନଚେତ ଭୋଟ ବର୍ଜନ କରି ସରକାରଙ୍କୁ ଟାର୍ଗେଟ କରିବୁ। ସମସ୍ତଙ୍କ ପରି ଆମ ପିଲାମାନେ ମଧ୍ୟ କମ୍ପ୍ୟୁଟର ଯୁଗରେ ବଞ୍ଚିବାକୁ ଚାହାନ୍ତି।କିନ୍ତୁ ଏଠି ସେସବୁ ସାତସପନ।

ସମ୍ବନ୍ଧିତ ଖବର