୨୫ ଦିନ ହେବ ନାହାନ୍ତି ସୁରକ୍ଷା କର୍ମୀ, ମୁକୁଳା ପଡ଼ିଛି ସତୀଗୁଡ଼ା ଡ୍ୟାମ୍

ଜୟପୁର : ଗତ ୨୫ଦିନ ହେବ ସତୀଗୁଡ଼ା ଡ୍ୟାମରେ ନାହାନ୍ତି ସୁରକ୍ଷା କର୍ମୀ। ଏହି ସ୍ଥିତିରେ ଏହି ଡ୍ୟାମର ସୁରକ୍ଷା ପ୍ରତି ପ୍ରଶ୍ନ ସୃଷ୍ଟି ହୋଇଛି। ଉପର କୋଲାବ ଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ପରେ ଛଡାଯାଉଥିବା ପାଣିକୁ ସତୀଗୁଡ଼ା ଡ୍ୟାମରେ ସଂରକ୍ଷିତ କରି ରଖାଯାଉଛି। ଏହି ପାଣିକୁ ଜୟପୁର ସହରବାସୀଙ୍କ ପିଇବା ପାଇଁ ‌ସଂଗ୍ରହ କରି ଯୋଗାଯିବା ସହ ମୁଖ୍ୟ କେନାଲରେ ଚାଷ ପାଇଁ ବି ପାଣି ଛଡାଯାଉଛି। ମାଟି ଡ୍ୟାମରେ ତିନୋଟି ସ୍ପିଲ୍ ୱେ ବି କରାଯାଇ ପାଣି ସଂରକ୍ଷଣ କରାଯାଉଛି। ଏତେ ସବୁ ଗୁରୁତ୍ବପୂର୍ଣ୍ଣ ଡ୍ୟାମ୍ର ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀ ମାନେ ଗତ ୨୫ଦିନ ହେବ ଦେଖାଦର୍ଶନ ମିଳୁନି।

ମିଳିଥିବା ସୂଚନାମୁତାବକ, ଏକ ଆଉଟସୋର୍ସିଂସଂସ୍ଥା ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଏମାନେ ପ୍ରବେଶ ଓ ପ୍ରସ୍ଥାନରେ ଜଗୁଥିଲେ। ତେବେ ଗତ ୨୫ଦିନ ହେବ କାହାର ଦେଖା ନଥିବାରୁ ଏବଂ ବର୍ଷ ଶେଷ ସମୟ ଥିବାରୁ ଏବଂ ସହରର ଅତି ନିକଟରେ ଥିବାରୁ ଏଠାରେ ସଂପ୍ରତି ଭୋଜିଭାତ ଏବଂ ପିକନିକର ଆସର ଖୁବ ଜମୁଛି। ସଂଧ୍ୟାରେ ହେଲେ ଅସାମାଜିକତତ୍ତ୍ବଙ୍କ ଭୀଡ ବି ଦେଖିବାକୁ ମିଳିଛି। ସେଭଳି ସବୁ ଦିନ ସକାଳୁ ଓ ସଂଧ୍ୟାରେ ୱାକିଂ କରୁଥିବା ଲୋକଙ୍କ ଭୀଡ ବି ପୁରା ଡ୍ୟାମର ଉପରେ ଦେଖିବାକୁ ମିଳିଛି । ଦିନ ତମାମ ବଲେରୋ, କାର, ଜିପ , ବାଇକ୍ ଆଦିରେ ଲୋକଙ୍କ ଯିବା ଆସିବା ଲାଗି ରହିଛି। ୩ଜଣ ସୁରକ୍ଷା କର୍ମୀଙ୍କୁ ଆଜି ଠାରୁ ନିଯୁକ୍ତି ଦିଆଯାଇଛି  ବୋଲି କହିଛନ୍ତି  ଉପରକୋଲାବ ଜଳସେଚନ ବିଭାଗର ସହାୟକ ନିର୍ବାହୀ ଯନ୍ତ୍ରୀ ସରୋଜ ସାହୁ କହିଛନ୍ତି। ଏମାନେ ୩ଟି ସିଫ୍ଟରେ କାମ କରିବେ ବୋଲି କହିଛନ୍ତି ।   ତେବେ ଆଜି ଆମ ପ୍ରତିନିଧି ଏହି ଅଂଚଳରେ ବୁଲି ଦେଖିବା ବେଳେ କୌଣସି ସୁରକ୍ଷା କର୍ମୀଙ୍କର ଦେଖା ମିଳି ନଥିଲା। ଏହା ସହ ଉଭୟ ଗେଟ୍ ଖୋଲାମେଲା ରହୁଥିବାରୁ ଏବଂ ଜାତୀୟ ରାଜପଥ ୨୬ର ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ କାମ ଚାଳିଥିବାରୁ ଲୋକେ ବି ଏହି ରାସ୍ତା ଦେଇ ଜୟପୁର, ମାଲାକାନଗିରି ଆଦି ଅଂଚଳକୁ ଯିବା ଆସିବା କରୁଛନ୍ତି । ତେବେ ସୁରକ୍ଷା କର୍ମୀ ନଥିବାରୁ ଡ୍ୟାମରେ ଯଦି କିଛି ଅଘଟଣ ହେବ ତେବେ କିଏ ଉତ୍ତରଦାୟୀ ରହିବ  ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର