ବଣ୍ଡା ଶିକ୍ଷିତ ବେକାରଙ୍କୁ ମିଳୁନି ଚାକିରି! କୁଲି କାମ ଏବଂ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଂଚଳ ଭାବେ ଖଇରପୁଟ ବ୍ଲକର ବଣ୍ଡାଘାଟି ଅନ୍ୟତମ। ଏହି ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ଜନଜାତି ଏବେ ଆଧୁନିକ ସଭ୍ୟତା ସହ ତାଳ ମିଳାଇ ଚାଲିବାକୁ ଆରମ୍ଭ କଲେଣି। କିନ୍ତୁ ଆଜି ବି ବଣ୍ଡାଘାଟିକୁ ମୌଳିକ ସୁବିଧା ଯଥା ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନରୁ ବଂଚିତ ହୋଇ ରହିଛନ୍ତି। ଏହି ବଣ୍ଡାଘାଟିକୁ ପୂର୍ବରୁ ବାଜାରାଙ୍ଗା ବୋଲି କୁହାଯାଉଥିବା ବେଳେ ୧୨ଟି ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏବେ ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ହୋଇଥିବା ବେଳେ ୩୨ଟି ଗ୍ରାମ ରହିଛି। ଏହି ଜନଜାତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ୭ ଲଜାରରୁ ଉର୍ଦ୍ଧ୍ବ ହେଲାଣି।

ଏହି ଜନଜାତିର ଛାତ୍ରଛାତ୍ରୀ ଆଉ ପଛରେ ପଡି ନାହାନ୍ତି। ବହୁ ପିଲା ପାଠ ପଢିବା ସହ ବହୁ ଉଚ୍ଚ ପଦପଦବୀରେ ମଧ୍ୟ ରହିଛନ୍ତି। ଏବେ ବହୁ ବଣ୍ଡା ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷିତ ହୋଇ ଚାକିରି ପାଇଁ ଅପେକ୍ଷା କରି ରହିଥିବା ବେଳେ ଆହୁରି ଅନେକ ପିଲା ପାଠ ପଢିବା ପାଇଁ ଅର୍ଥର ସନ୍ଧାନରେ ରହିଛନ୍ତି। ସେହିପରି ଆଉ କିଛି ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବିଭିନ୍ନ ସ୍ଥାନରେ କୁଲି କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହି ଜନଜାତି ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଏବଂ ପ୍ରଶାସନ କେତେ ସହଯୋଗ ଏବଂ ଏମାନଙ୍କର ଉନ୍ନତି କରୁଛନ୍ତି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଦିନ ଥିଲା ବଣ୍ଡାଘାଟି ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେଉଥିଲା। ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଥିଲେ। ତେବେ ଏହି ଜନଜାତିର ପିଲାମାନେ ଆଜି ଉଚ୍ଚ ଶିକ୍ଷିତ ହୋଇ ବେକାର ହୋଇ ପଡି ରହିଛନ୍ତି। ଦଶମ ପାଠ ସାରିବା ପରେ ଯୁକ୍ତ ଦୁଇ କିମ୍ବା ଯୁକ୍ତ ତିନି ପଢିବା ପାଇଁ ଅର୍ଥର ଅଭାବ ଦେଖାଦେଉଥିବାରୁ ବହୁ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି।

ମିଳିଥିବା ଏକ ରିପୋର୍ଟ ଅନୁସାରେ ଯୁକ୍ତ ଦୁଇରେ ୬୧ ଜଣ, ଯୁକ୍ତ ୩ରେ ୪୦ ଜଣ ପାଠ ପଢଇଥିବା ବେଳେ ଦଶମ ପାସ କରିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ। ସେହିପରି ଏମଏସଡବ୍ଲୁରେ ୫ ଜଣ ଏବଂ ଏମଏ ପାସ କରିଛନ୍ତି ୭ ଜଣ। ଏହି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଆଜି ବି ଚାକିରି ପାଇଁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଫେରାଦ ହେଉଥିଲେ ମଧ୍ୟ କେହି ସହଯୋଗର ହାତ ବଢାଉ ନାହାନ୍ତି। ଯାହାଫଳରେ ଏମାନେ ନିଜ ଅଂଚଳରେ ହେଉ ବା ବାହାରେ କୁଲି କାମ କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ବହୁ ଛାତ୍ରଛାତ୍ରୀ ବାହାର ରାଜ୍ୟ ଆନ୍ଦ୍ର ପ୍ରଦେଶ କିମ୍ବା ତେଲେଙ୍ଗାନାକୁ ଦାଦନ ଖଟିବାକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।

ବଣ୍ଡାଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା। ପୁଣି ଆଇଟିଡିଏ ଏବଂ ବିଡିଓ ଭଳି ସଂସ୍ଥା ଏମାନଙ୍କ ଦେଖାଶୁଣା କରିବା ସହ ଏହି ଜନଜାତିର ଉନ୍ନତି ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରୁଛି। ବଣ୍ଡା ଜନଜାତିର ଉନ୍ନତି ପାଇଁ ନାରୀ ସଶକ୍ତିକରଣ, ଶିକ୍ଷା, ଆତ୍ମନିର୍ଭରଶୀଳ ନୀତି ମଧ୍ୟ ପ୍ରଣୟନ କରାଯାଉଛି। ତେବେ ପ୍ରକୃତରେ ଯଦି ବଣ୍ଡାଘାଟିରେ କଣ ଚାଲିଛି ତାହା ନଦେଖିଲେ ସହଜରେ ହୃଦୟଙ୍ଗମ କରିହେବ ନାହିଁ। ବଣ୍ଡାଘାଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟରେ ଶିକ୍ଷିତ ବେକାର ମାନେ କୁଲି କାମ କରୁଥିବାର ଦେଖିବାକୁ ମିଳିଛି। ଯାହା ସ୍ପଷ୍ଟ କରୁଛି ସରକାରୀ କଳ ଏବଂ ପ୍ରଶାସନର ଉଦାସୀନତାକୁ। ଯଦି ସରକାର ଏତେ ସବୁ ଯୋଜନା ପ୍ରଣୟନ କରିଛନ୍ତି ତେବେ କାହିଁକି ଏହି ଶିକ୍ଷିତ ବଣ୍ଡା ଯୁବକଯୁବତୀ ବାହାରକୁ ଦାଦନ ଖଟୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ଏ ସଂପର୍କରେ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ମୋନହାସ ସେଠୀଙ୍କ କହିବା ହେଲା ଯାହା ଚାକିରି ବାହାରୁଛି ସେମାନଙ୍କୁ ଜଣାଇ ଦିଆଯାଉଛି। ଅନ୍ୟଦିଗରେ ସେମାନଙ୍କ ଉନ୍ନତି ପାଇଁ ଆଇଟିଡିଏ, ବିଡିଏ ଏବଂ ଓଏଲଏମ ମଧ୍ୟ କାମ କରୁଛି ବୋଲି କହନ୍ତି। ତେବେ ଏହି ଶିକ୍ଷିକ ବଣ୍ଡା ଯୁବକ ଯୁବତୀ କେବେ ଚାକିରି ପାଇବେ ଏବଂ କେବେ ନିଜ ଗୋଡରେ ଛିଡା ହେବେ ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର