ଡିଜିଟାଲ୍ ପ୍ରଚାରରେ ନେଟୱର୍କ ବାଧକ, ୬୯ ପଞ୍ଚାୟତର ୯୬୬ ଗାଁରେ ନାହିଁ ସିଗନାଲ୍

କୋଭିଡ଼୍ ଯୋଗୁ ସଭା-ସମିତି ଉପରେ ଲାଗିଛି କଟକଣା

ରାୟଗଡ଼ା : କୋଭିଡ଼୍ ମହାମାରୀ ଯୋଗୁ ପଞ୍ଚାୟତ ନିର୍ବାଚନ ପ୍ରଚାର ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ଦଳ ଦଳ ହୋଇ ପ୍ରଚାର ନ କରି ମୋଟ ୫ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ଅନୁମତି ରହିଛି। ସେହିପରି ସଭା, ସମିତି ଉପରେ ନିର୍ବାଚନ କମିଶନର କଟକଣା ଲଗାଇ ଡିଜିଟାଲ୍ ପ୍ରଚାର କରିବାକୁ ପରାମର୍ଶ ଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ରାୟଗଡ଼ା ଜିଲ୍ଲାର ୯୬୬ ଗାଁରେ ମୋବାଇଲ୍ ଟାୱାର୍ ନଥିବାରୁ ଡିଜିଟାଲ୍ ପ୍ରଚାରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ନେତା।

ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକର ୧୮୨ ପଞ୍ଚାୟତ ମଧ୍ୟରୁ ୬୯ଟି ପଞ୍ଚାୟତରେ ଆଜି ସୁଦ୍ଧା ମୋବାଇଲ୍ ସେବା ପହଞ୍ଚି ପାରିନି। ବାକି ୧୧୩ ପଞ୍ଚାୟତ ମୋବାଇଲ୍ ସେବାରେ ଯୋଡ଼ି ହୋଇଥିଲେ ମଧ୍ୟ ବହୁ ଗାଁକୁ ନେଟୱର୍କ ପହଞ୍ଚୁ ନଥିବାରୁ ଲୋକେ ଜରୁରି କାର୍ଯ୍ୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ନେଟୱର୍କ ଥିବା ପଞ୍ଚାୟତ ଏବଂ ଗ୍ରାମ ଗୁଡ଼ିକରେ ଲୋକେ କମ୍ ସଂଖ୍ୟାରେ ମୋବାଇଲ୍ ବ୍ୟବହାର କରୁଛନ୍ତି। ନେଟୱର୍କ ଥିବା ଅଧିକାଂଶ ପଞ୍ଚାୟତର ବହୁ ଗ୍ରାମରେ ୪-ଜି ସେବା ଉପଲବ୍ଧ ନଥିବାରୁ ଲୋକେ ସାଧାରଣ ମୋବାଇଲ୍ ବ୍ୟବହାର କରୁଛନ୍ତି। ଯାହା ଡିଜିଟାଲ୍ ନିର୍ବାଚନ ପ୍ରଚାର ଲାଗି ମୁଖ୍ୟ ସମସ୍ୟା ହୋଇଛି ରାଜନୈତିକ ଦଳ ପାଇଁ। ନିର୍ବାଚନ୍ କମିଶନଙ୍କ ନିର୍ଦେଶ ପରେ ୩ ପ୍ରମୁଖ ଦଳ ବିଜେଡ଼ି-କଂ‌ଗ୍ରେସ-ବିଜେପି ସମେତ ସ୍ବାଧୀନ ଓ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ସୋସିଆଲ୍ ମିଡିଆରେ ଜୋରଦାର୍ ପ୍ରଚାର ଆରମ୍ଭ କରିଛନ୍ତି। ସବୁ ଦଳ ମିଡିଆ ସେଲ୍ ଗଠନ କରି ଦଳର କାର୍ଯ୍ୟକ୍ରମ ପ୍ରାର୍ଥୀଙ୍କ ସଂପର୍କିତ ସୂଚନା, ନିର୍ବାଚନୀ ମୁଦ୍ଦା ସଂପର୍କରେ ପୋଷ୍ଟ୍ କରୁଛନ୍ତି। ସହରାଞ୍ଚଳ ସମେତ ପଞ୍ଚାୟତ ମୁଖ୍ୟାଳୟରେ ଡିଜିଟାଲ୍ ମିଡିଆ ପ୍ରଚାର ମାଧ୍ୟମରେ ନିର୍ବାଚନୀ ବାତାବରଣ ସରଗରମ ହୋଇଛି। କିନ୍ତୁ ନେଟୱର୍କ ନଥିବା ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିବା ନେତାଙ୍କ ପାଖରେ ସମ୍ଭବ ହୋଇପାରୁନି। ରାୟଗଡ଼ା ଜିଲ୍ଲାରେ କୋଭିଡ଼୍ ଦୈନିକ ସଂକ୍ରମଣ ଉପରମୁହାଁ ହେଉଥିବାରୁ ରାଜନୈତିକ ଦଳର ରାଲି, ସଭା କାର୍ଯ୍ୟକ୍ରମ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତୀକ୍ଷଣ୍ ଦୃଷ୍ଟି ରଖିଛନ୍ତି। ସହରରେ ଲାଗିଥିବା ରାଜନୈତିକ ଦଳର ହୋଡିଂ, ପୋଷ୍ଟରକୁ ହଟାଇ ଦିଆଯିବା ସହ ସରକାରୀ ଯୋଜନାର ବିଭିନ୍ନ ପୋଷ୍ଟର୍ ଗୁଡ଼ିକ କପଡାରେ ଢ଼ାଙ୍କି ଦିଆଯାଇଛି।

ସୂଚନାନୁଯାୟୀ, ରାୟଗଡ଼ା ସଦର ବ୍ଲକର ୮ଟି ଦୁର୍ଗାପାଡୁ, ବାଇସିଂ, ପିପିଳଗୁଡା, ଇରୁକୁବାଡ଼ି, ନାକଟି, ହାଲୁଆ, ଗାଜିଗାଁ, ମାଟିକଣା ପଞ୍ଚାୟତର କୌଣସି ଗ୍ରାମରେ ମୋବାଇଲ୍ ନେଟୱର୍କ ନାହିଁ। ସେହିପରି କୋଲନରା ବ୍ଲକର ୬ଟି ଭୋଇମଡ଼ା, କୈଳାସପୁର, କାଟିକଣା, ମୁକୁନ୍ଦପୁର, ଝୋରଡ଼ି, ବଡ଼ଖିଲାପଦର, ଚନ୍ଦ୍ରପୁରର ୪ଟି ବିଜାପୁର, ବୁଡ଼ୁବାଲି, ସାରିକିମା, ପିସକାସଙ୍ଗା, ମୁନିଗୁଡ଼ାର ୨ଟି ରଘୁବାରି, ଡିମିରିଗୁଡା, କଲ୍ୟାଣସିଂହପୁରର ୬ଟି ସିଙ୍ଗାରି, ସେରିଗୁମ୍ମା, ପୋଲମା, ପାର୍ସାଲି, ଧାମୁଣିପଙ୍ଗା, କନ୍ଧକତିପାଡୁ, ବିଷମକଟକର ରସିକଳା, ବେଥିପଡା, ସାହାଡା, ଡାଲିଆକୁଜି, କଣବାଇ, କୁର୍ଲି, କୁମ୍ଭାରଢ଼ାମୁଣି, ହଜାରିଡାଙ୍ଗ, ଡୁକୁମ, ଗୁଣପୁରର ୧୦ଟି ଭୀମପୁର, ଟଲଣା, ଟିଟିମିରି, ମରମା, ଶଗଡ଼ା, ଚିନାସାରି, ଅବଡା, କୁଲୁସିଂ, ଜଲତାର, ଗୋଠଲପଦର, କାଶୀପୁରର ୧୫ଟି ଅଡାଜର, ମାଇକଞ୍ଚ, ବାଙ୍କମ୍ବ, ମନୁସଗାଁ, ଚନ୍ଦ୍ରଗିରି, ନାକଟିଗୁଡା, ଦୁଡୁକାବାହଲ, ପୋଡାପାଡି, ହାଡିଗୁଡା, ରେଙ୍ଗା କଲୋନି, ଖୁରିଗାଁ, ସିନ୍ଦୁରଘାଟି, କୋଡିପାର, ସିରିପାଇ, ତଳଝିରି, ରାମନାଗୁଡା ବ୍ଲକର ୨ଟି ଗୋଗୁପାଡୁ, ଶୁଣ୍ଢିଢ଼ାମୁଣି, ଗୁଡାରିର ୪ଟି କର୍ଲାଘାଟି, ଖାରିଗୁଡା, ଢ଼େପଗୁଡା, କୋଡମା, ପଦ୍ମପୁରର ୩ଟି ଗୁଲୁଗୁଡା, ଜାତିଲି, ଲିକିଟିପଦର ପଞ୍ଚାୟତବାସୀ ମୋବାଇଲ୍ ସେବାରୁ ବଞ୍ଚିତ ଅଛନ୍ତି। କରୋନା ମହାମାରୀ ପାଇଁ ସ୍କୁଲ୍, କଲେଜ ବନ୍ଦ ହେବା ପରେ ଅନଲାଇନ୍ କ୍ଲାସ ଚାଲିଛି। ହେଲେ ନେଟୱର୍କ ନଥିବାରୁ ବହୁ ଛାତ୍ରଛାତ୍ରୀ ଅନଲାଇନ୍ ପଢ଼ାରୁ ବଞ୍ଚିତ ହେଉଛନ୍ତି।

 

ସମ୍ବନ୍ଧିତ ଖବର