ବ୍ୟାସନଗର: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହରରେ ମୌଳିକ ସୁବିଧା ମିଳୁନି। ରାସ୍ତାଘାଟ ଠାରୁ ଡ୍ରେନ୍, ଆଲୋକୀକରଣ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୌର କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ବିକାଶ ଅଭାବରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବ୍ୟାସନଗର ମାଟିରେ ବ୍ୟବସ୍ଥିତ ଢଙ୍ଗରେ ଶବ ସଂସ୍କାର ହୋଇପାରୁନି। ଏଥିପାଇଁ ସମ୍ପର୍କୀୟମାନଙ୍କୁ ୩୨ କିଲୋମିଟର ଦୂର ଯାଜପୁର ଯିବାକୁ ପଡ଼ୁଛି।
୨୬ ୱାର୍ଡ ବିଶିଷ୍ଟ ଏହି ସହରରେ ଲକ୍ଷାଧିକ ଲୋକ ବାସ କରୁଥିବା ବେଳେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ବ୍ୟବସ୍ଥା ନାହିଁ। ଆର୍ଥିକ ଦୁର୍ବଳ ଲୋକମାନେ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ଏକ ବିପର୍ଯ୍ୟସ୍ତ ସ୍ଥାନରେ ଶବଦାହ କରୁଥିବା ବେଳେ ସ୍ବଚ୍ଛଳ ଲୋକମାନେ ଯାଜପୁର ମହାବାରୁଣୀ ଶ୍ମଶାନ କିମ୍ବା ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ କରୁଛନ୍ତି। ବ୍ୟାସନଗର ସହରରେ ଏକ ଉନ୍ନତମାନର ଶ୍ମଶାନ ନିର୍ମାଣ ପାଇଁ ବହୁଦିନ ହେଲା ଦାବି ହୋଇଆସୁଥିଲା। ସହରରେ ଜାଗା ଅଭାବ ଯୋଗୁଁ ୨୦୧୫ ମସିହାରେ ବ୍ୟାସସରୋବର ଗୋଶାଳା ଜମିରୁ ଶ୍ମଶାନ ନିର୍ମାଣ ପାଇଁ ୨ଏକର ଜମି ପ୍ରଦାନ କରାଯାଇଛି। ଉକ୍ତ ଜମିରେ ଶ୍ମଶାନ ନିର୍ମାଣ ପାଇଁ ୨୦୧୭ ମସିହାରେ ପୌରସଂସ୍ଥା ପକ୍ଷରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ଏହି ଅର୍ଥରେ ପ୍ରସ୍ତାବିତ ଶ୍ମଶାନ ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ କରାଯାଇଥିଲା। ସମ୍ମୁଖରେ ଏକ ଫାଟକ ଲଗାଇ ୨୦ ଲକ୍ଷ ଟଙ୍କାର ବିଲ୍ କରାଯାଇଥିଲା। ଅବଶିଷ୍ଟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ଫେରିଯାଇଥିଲା। ଏବେ ଏହିସ୍ଥାନ ପରିତ୍ୟକ୍ତ ହୋଇ ପଡ଼ିରହିଛି। ଲଗାଯାଇଥିବା ଫାଟକକୁ ଦୁର୍ବୃତ୍ତ ଭାଙ୍ଗି ନେଇଯାଇଛନ୍ତି। ଘାସ ଓ କଣ୍ଟାଗଛରେ ଭର୍ତ୍ତି ଏହି ସ୍ଥାନ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହାର ପୁନରୁଦ୍ଧାର କରାନଯାଇ ଗତ ମାର୍ଚ୍ଚ ୩ ତାରିଖରେ କୋରେଇ ବିଧାୟକ ଅଶୋକ ବଳ ଚାନ୍ଦମା ମୌଜା ମଲାର ଗଡ଼ିଆ ଠାରେ ୧ ଏକର ୫୩ ଡିସିମିଲି ପରିମିତ ଜାଗାରେ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଶ୍ମଶାନର ଶିଳାନ୍ୟାସ କରିଛନ୍ତି। ତାହା ବି କେବଳ ପାଚେରି ନିର୍ମାଣରେ ସୀମିତ ରହିଛି।
ସୂଚନା ଅନୁଯାୟୀ, ପୌରାଞ୍ଚଳର ୨୬ଟି ୱାର୍ଡରେ ମୂଳ ବାସିନ୍ଦାଙ୍କ ସହ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କଳକାରଖାନାରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକ ଏଠାରେ ବସବାସ କରୁଛନ୍ତି। ସହରରେ ହାରାହାରି ପ୍ରତ୍ୟେକ ଦିନ ୨ରୁ ଅଧିକ ଲୋକଙ୍କ ସ୍ୱାଭାବିକ ମୃତ୍ୟୁ ହେଉଛି। ସେହିପରି ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଅଧିକାଂଶ ସମୟରେ ରୋଗୀମାନଙ୍କ ମୃତ୍ୟୁ ହେଉଛି। ଏହି ମୃତବ୍ୟକ୍ତିଙ୍କ ଶେଷକୃତ୍ୟ ପାଇଁ କୌଣସି ବ୍ୟବସ୍ଥିତ ଭିତ୍ତିଭୂମି ନିର୍ମାଣ କରାଯାଇନାହିଁ।
ସେମାନେ ଯାହା କୁହନ୍ତି:
ଲୋକମାନଙ୍କ ସୁବିଧା, ଅସୁବିଧା ପାଇଁ ସରକାର ଧ୍ୟାନଦେବା ଜରୁରୀ। ଦୁଖଃର ବିଷୟ ଶିଳ୍ପ ରାଜଧାନୀ କଳିଙ୍ଗନଗରର ମୁଖଶାଳା ବ୍ୟାସନଗରରେ ବ୍ୟବସ୍ଥିତ ଶ୍ମଶାନଟିଏ ନାହିଁ। ଫଳରେ ନିଜ ଜନ୍ମ ମାଟିରେ ଶବଦାହ ହୋଇପାରୁନାହିଁ।
ଜୟନ୍ତୀ ଜେନା,ନବଉତ୍କଳ ମହିଳା ସମିତି ସମ୍ପାଦିକା
ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଶବସଂସ୍କାର ପାଇଁ ବ୍ୟବସ୍ଥା ରହିଛି। ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଶବସଂସ୍କାର ପାଇଁ ବ୍ୟବସ୍ଥା ନାହିଁ। ଏହା ବିକାଶ ବାଟବଣା ହୋଇଥିବାର ଅଭିଯୋଗକୁ ପ୍ରମାଣିତ କରୁଛି।
ଚିନ୍ମୟ କୁମାର ପୃଷ୍ଟି,ପୃଷ୍ଟି ଅଳଙ୍କାର ପ୍ରୋପାଇଟର
କୌଣସି ଲୋକପ୍ରତିନିଧି ସହରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଲୋକଙ୍କୁ ଶ୍ମଶାନ ଭଳି ମୌଳିକ ଭିତ୍ତିଭୂମି ଯୋଗାଇବାରେ ପୌରକ ର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି।
ରାଜେନ୍ଦ୍ର ସାମଲ,ବଣିକ ସଂଘ ସଭାପତି
ଦିନକୁଦିନ ସହର ଯେଉଁଭଳି ଭାବେ ବଢ଼ୁଛି ସେହି ଅନୁପାତରେ ବିକାଶ ହେଉନାହିଁ। ମୃତ୍ୟୁ ପରେ ବି ନିଜ ମାଟିରେ ଶବଦାହ ପାଇଁ ଲୋକଙ୍କ ଶେଷଇଚ୍ଛା ପୂରଣ ହେଉନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp