କଳାହାଣ୍ଡିରେ ମଦ ଦୋକାନରେ ଭିଡ, ସାମାଜିକ ଦୁରତାକୁ କିଏ ପଚାରେ 

ଅନଲାଇନ ବିକ୍ରି ଆଇନକୁ ଉଲ୍ଲଙ୍ଘନ କରି ଖୁଲମଖୁଲା ଚାଲିଛି ମଦ ବିକ୍ରି 

ଭବାନୀପାଟଣା: ରାଜ୍ୟ ସରକାର ରାଜ୍ୟ ରେ ଥିବା ମଦୁଆଙ୍କୁ ଖୁସି କରିବା ଓ ରାଜସ୍ୱ ବଢ଼ାଇବା ପାଇଁ ଅନଲାଇନ ଜରିଆରେ ମଦ ମିଳିବ ବୋଲି  ଘୋଷଣା କରିଥିଲେ ।  ଏହି ଘୋଷଣା ପରେ ଏବେ କଳାହାଣ୍ଡି ଜିଲ୍ଲାରେ ମଦର ବନ୍ୟା ଦେଖିବାକୁ ମିଳିଛି । ଜିଲ୍ଲାରେ ସାମାଜିକ ଦୂରତା ନିୟମକୁ ମଦୁଆ ମାନୁଛନ୍ତି ନା ମଦ ଦୋକାନ ମାଲିକ ମାନୁଛନ୍ତି । ଅନଲାଇନ ବିକ୍ରି ଆଇନକୁ ଉଲ୍ଲଙ୍ଘନ କରି ଖୁଲମଖୁଲା ଚାଲିଛି ମଦ ବିକ୍ରି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ନିକଟରେ ଥିବା ବିଦେଶୀ ମଦ ଦୋକାନରେ ଖୁଲମଖୁଲା ଦୋକାନ ରେ ବିକ୍ରୀ ହୋଉଛି ମଦ । ନା ମାସ୍କ ଅଛି, ନା ସାମାଜିକ ଦୁରତା । ଲକଡାଉନର ସବୁ ନିତି ନିୟମ କୁ ଫୁ କରି ମଦ କିଣିବା ଲାଗି ଭିଡ ଜମାଇଛନ୍ତି ଗ୍ରାହକ । ଦୋକାନ ସଟର  ମଧ୍ୟ ଖୋଲା ଅଛି।
ତେବେ ବେଧଡକ ଭାବରେ  ଚାଲିଛି ମଦ ବ୍ୟାପାର । ହୋମ ଡେଲିଭରି ଚାର୍ଜ ନେଇ ଦୋକାନ ରେ ହିଁ ବିକ୍ରୀ ହୋଉଛି ମଦ । ଆଉ ମଦ୍ୟପଙ୍କ ମଦ ନିଶା ଏତେ ଯେ ଚଢା ଦର ରେ କିଣିବା ନେଇ ପ୍ରତିବାଦ ମଧ୍ୟ ନାହିଁ । କେହି କେହି ପ୍ରତିବାଦ ମଧ୍ୟ କରୁଛନ୍ତି ହେଲେ ବିଦେଶୀ ମଦ ଦୋକାନୀ ସୁଣୁନାହି ଯାହା ଫଳରେ ଚଢା ଦରରେ ମଧ୍ୟ ମଦ ନେଉଛନ୍ତି । ସରକାର ହୋମ୍‌ ଡେଲିଭେରି ଯୋଗେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ କଳାହାଣ୍ଡି ରେ କିନ୍ତୁ  ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ।
ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଲୋକମାନଙ୍କୁ ସିଧାସଲଖ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଏପରିକି ସାମାଜିକ ଦୂରତା ବି ରକ୍ଷା କରାଯାଇ ନାହିଁ । ଅଧିକାଂଶ ଲୋକ ମାସ୍କ ମଧ୍ୟ ପିନ୍ଧିନଥିଲେ । ପୁଲିସ ଓ ଅବକାରୀ ବିଭାଗର ଅଧିକାରୀମାନେ ଜାଣିବା ପରେ ବି ନିରବ ରହିବା ଘଟଣା ସାଧାରଣ ରେ ଭୃକୁଞ୍ଚନ ସୃଷ୍ଟି ହୋଇଛି । ଏସମ୍ପର୍କରେ ମଦ ଦୋକାନୀ ଙ୍କୁ ପଚାରିଲେ ଆମେ ଭିଡ କରୁନାହୁ କି କାଉଣ୍ଟର ରୁ ମଦ ବିକୁନାହୁ ବୋଲି ଯୁକ୍ତି ବାଢୁଛନ୍ତି। ସେହିଭଳି ଗ୍ରାମାଞ୍ଚଳରେ ଶହ ଶହ ବେଆଇନ ଭାବେ ହାତ ରନ୍ଧା ମଦ ଚଢ଼ା ଦରରେ ବିକ୍ରି ହେଉଛି । ଅବକାରୀ ବିଭାଗ, ପୁଲିସ ଓ ମଦ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧରପଗଡ଼ ଧର୍ମକୁ ଆଖିଠାର ଭଳି ହେଉଛି ।
ଗୋଟିଏ ଗୋଟିଏ ଗାଁ ରେ ୨୦ ରୁ ଅଧିକ ବେଆଇନ ମଦ କୋଠି  ଥିବା ବେଳେ ଏହି ମଦ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସେହିଭଳି ଲକଡାଉନ ଯୋଗୁଁ ମଦଭାଟି ଗୁଡିକ ବନ୍ଦ ଥିବା ବେଳେ ଏହି ଭାଟି ମାଲିକ ମନେ ହିଁ ଜଙ୍ଗଲ କିମ୍ବା କୌଣସି ଜାଗାରେ ଲୁଚାଛୁପା ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି ।  ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉନ ଥିବାରୁ ବେଆଇନ ମଦ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।  ତୁରନ୍ତ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି ।
ସମ୍ବନ୍ଧିତ ଖବର