ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଂଚାୟତରେ କୁଣ୍ଡକୁଣ୍ଡି ପାହାଡ଼କୁ ଖଣିନିଗମକୁ ନଦେବା ଜିଦ୍ରେ ଗାଁବାସୀ ଅଟଳ ରହିବାରୁ ଆଜିର ଜିଲ୍ଲା ପ୍ରଶାସନ, ଓଏମ୍ସି, ଶ୍ରୀମନ୍ଦିର ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ବୈଠକ ଅସମାହିତ ରହିଛି ।
ପୂର୍ବ କାର୍ଯ୍ୟସୂଚୀ ଅନୁସାରେ, ଆଜି ନରଣଗଡ଼ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ଆଲୋଚନାରେ ନରଣଗଡ଼ ଭିଟାମାଟି ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ୯ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଆଲୋଚନାରେ ସେମାନଙ୍କ ଭୋଗଦଖଲରେ ଥିବା ଜମିର ମାର୍ଫତଦାର ଶ୍ରୀଜଗନ୍ନାଥଙ୍କ ବଦଳରେ ରାଜ୍ୟ ସରକାର ଲେଖିବା ଓ କୁଣ୍ଡକୁଣ୍ଡି ପାହାଡ଼କୁ ଓଡ଼ିଶା ଖଣି ନିଗମକୁ ହସ୍ତାନ୍ତର ନକରିବା ଦାବିରେ ଗ୍ରାମବାସୀମାନେ ଅଟଳ ରହିଥିଲେ । ଏନେଇ ସଂଗ୍ରାମ ସମିତିର ସଭାପତି ଗୋଦାବରୀଶ ଗୁମାନ ସିଂହ କହିଥିଲେ ଯେ ସେମାନଙ୍କ ବାସ ଜମି ଓ ଚାଷ ଜମି ସ୍ଥିତିବାନ ଥିବା ସତ୍ୱେ ଏହାର ଜମିଦାର ଖେୱାଟ ନଂ-୧ରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ନାମ ଲେଖାଯାଇଛି । ଏହି ଲେଖା ୧୮୦୩ ମସିହାରେ ବ୍ରିଟିଶ୍ ସରକାର ଓଡ଼ିଶା ଦଖଲ କରିବା ପରେ କର ଆଦାୟ ପାଇଁ ପ୍ରଣୟନ ହୋଇଥିଲା । ପରବର୍ତୀ ସମୟରେ ୧୯୭୪ ସତ୍ୱ ଅଧିକାର ଉଚ୍ଛେଦ ଆଇନରେ ଜମି ବାବଦକୁ ରାଜ୍ୟ ସରକାରଙ୍କୁ କର ଦେଇ ଆସୁଛନ୍ତି । ୧୯୮୪ରେ ସତ୍ୱାଧିକାର ଲୋପ ଆଇନ ବଳରେ ୨୦୦୨ରେ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । କିନ୍ତୁ ୧୯୯୮ରେ ବନେ୍ଦାବସ୍ତ କ୍ୟାମ୍ପ୍ ହୋଇନପାରିବାରୁ ସେମାନଙ୍କ ପଟ୍ଟା ସଂଶୋଧନ ହୋଇନାହିଁ । ଏଣୁ ସେମାନେ ନିଜର ସ୍ଥିତିବାନ ଜମି କିଣାବିକା କରିପାରୁନାହାନ୍ତି କିମ୍ବା ଅନ୍ୟ ସରକାରୀ ସହାୟତା, ବ୍ୟାଙ୍କ ଋଣ ଆଦି ପାଇପାରୁନାହାନ୍ତି ।
ଯଦିଓ ଆଲୋଚନାରେ ଓଏମ୍ସିକୁ ଖଣି ଦେବାରେ ଗ୍ରାମବାସୀ କୋହଳ ମତ ପୋଷଣ କରିଥିଲେ ତେବେ ସେମାନଙ୍କ ଜମି ରେକର୍ଡ ପରିବର୍ତନ ନହେବା ଯାଏଁ ଓଏମ୍ସି ଦ୍ୱାରା ପାହାଡ଼ ଖୋଳା ବନ୍ଦ କରିବାକୁ ଜିଦ୍ ଧରିଥିଲେ । ଫଳରେ ଆଜିର ଆଲୋଚନାରେ କୌଣସି ସମାଧାନ ହୋଇପାରିନଥିଲା ।
ଆଜିର ଆଲୋଚନାରେ ଶ୍ରୀମନ୍ଦିର ପ୍ରଶାସନର ଉପପ୍ରଶାସକ (ରାଜସ୍ୱ) ସୁବ୍ରତ କୁମାର ବେହେରା, ଓଏମ୍ସିର ଆଂଚଳିକ ପରିଚାଳନ ଗଙ୍ଗାଧର ନାୟକ, ଖୋର୍ଦ୍ଧା ଉପଜିଲ୍ଲା ଅଶୋକ କୁମାର ବେହୁରିଆ, ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ବନେ୍ଦାବସ୍ତ ଅଧିକାରୀ ଅନୀଲ କୁମାର ପାଣିଗ୍ରାହୀ, ଜଙ୍କିଆ ଆଇଆଇସି ସତ୍ୟବ୍ରତ ଲେଙ୍କା, ଶିକ୍ଷାବିତ୍ ଯୁଧିଷ୍ଠିର ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ଭାସ୍କର ବେହେରା, ସରପଂଚ ବୈକୁଣ୍ଠ ମାର୍ଥା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରୁଦ୍ରଭାନୁ ନରେନ୍ଦ୍ରସିଂହ, ସମିତି ସଭ୍ୟ ଅମରେନ୍ଦ୍ର ବଳିଆରସିଂହ, ପୂର୍ବତନ ସରପଂଚ ଅବକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଏହାର ଅଧ୍ୟକ୍ଷତା କରିଥିଲେ ।
ଏନେଇ ଉପଜିଲ୍ଲାପାଳ ଶ୍ରୀ ବେହୁରିଆ କହିଛନ୍ତି ଯେ ଗାଁ ଲୋକମାନେ ସେମାନଙ୍କ ରେକର୍ଡ ପରିବର୍ତନ ପାଇଁ ଦାବି ରଖିଛନ୍ତି । ଅନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଗାଁ ଲୋକଙ୍କ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏନେଇ ପୁଂଖାନୁପୁଂଖ ଆଲୋଚନା ହେବା ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ । ତେବେ ଖଣି ଖନନ ଚାଲିବ କି ନାହିଁ ସେନେଇ ଉପଜିଲ୍ଲାପାଳ କିଛି ସ୍ପଷ୍ଟ କରିନାହାନ୍ତି ।