ବିନା ବିଶେଷଜ୍ଞ ଡାକ୍ତରରେ ଚାଲିଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଘୁ.ଉଦୟଗିରି:  ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଇ କୋଟି କୋଟି ଟଙ୍କା ବ୍ୟୟ କରିଚାଲି ଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଘୁ.ଉଦୟଗିରି ଅଂଚଳରେ ଏହା ପ୍ରଭାବ ଶୂନ୍ୟ ଭଳି ଦୃଶ୍ୟମାନ ହେଉଛି।

କୋଟି କୋଟି ଟଙ୍କା ବ୍ୟୟରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି ହେଲେ ରୋଗୀ ସେବା କରିବା ନିମନ୍ତେ ଡାକ୍ତର ନାହାନ୍ତି । ପ୍ରସୂତି ଗୃହ ଅଛି ହେଲେ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ଥିବା ବେଳେ ସବୁ ଖାଲି ପଡ଼ିଛି। ରାଜ୍ୟ ସରକାର ଏମବିବିଏସ ଡାକ୍ତରଙ୍କୁ ନେଇ କାମ ଚଳାଉଛନ୍ତି।

ଦୀର୍ଘ ୧୨ବର୍ଷ ହେଲା ୯୦ଲକ୍ଷ ବ୍ୟୟରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ନିମନ୍ତେ ସରକାରୀ ବାସ ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିଛି। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସ୍ଥାନୀୟ ଅଞ୍ଚଳରେ ସିକଳସେଲ ରୋଗୀଙ୍କ ସଂଖ୍ୟା ଅଧିକ। ଏଭଳି ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥାଏ। କିନ୍ତୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ଭଣ୍ଡାର ନଥିବା ଯୋଗୁଁ ରୋଗୀ ଫୁଲବାଣୀ,ବ୍ରହ୍ମପୁରକୁ ଯିବାକୁ ପଡ଼ୁଛି।

ସେଇଭଳି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମାନ୍ୟ ରୋଗ ଜ୍ୱର,ଝାଡା,ବାନ୍ତି ନିମନ୍ତେ ଚିକିତ୍ସା ହୋଇଥାଏ। ଅନ୍ୟ କୌଣସି ରୋଗ ହେଲେ ସଂଗେ ସଂଗେ ବ୍ରହ୍ମପୁର କିମ୍ବା ଫୁଲବାଣୀ ସ୍ଥାନାନ୍ତ କରି ଦିଆଯାଇଥାଏ।

ସମ୍ବନ୍ଧିତ ଖବର