ପଣ୍ଡାପଡ଼ା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବିନିଦା ପଞ୍ଚାୟତ ଅନ୍ତର୍ଗତ ମସିଣାଯୋଡ଼ି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଶିକ୍ଷାଦାନ କରିବାକୁ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଫଳରେ ଶିକ୍ଷକ ଜଣକ ପାଠ ପଢ଼ାଇବା ପରିବର୍ତ୍ତେ ପିଲାଙ୍କୁ କେବଳ ଜଗି ରହୁଥିବା ଦେଖିବାକୁ ମିଳୁଛି।
ପୂର୍ବରୁ ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଥିଲେ। ଶିକ୍ଷୟିତ୍ରୀ ଜଣକ ମାସେ ହେଲା ପ୍ରସବକାଳୀନ ଛୁଟିରେ ଅଛନ୍ତି। ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିସାରିଛନ୍ତି। ସ୍କୁଲରେ ବର୍ତ୍ତମାନ ଜଣେମାତ୍ର ଶିକ୍ଷକ କାର୍ଯ୍ୟ କରୁଛନ୍ତି। ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀଗୃହରେ ଏବଂ ଷଷ୍ଠଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆଉ ଏକ ଶ୍ରେଣୀଗୃହରେ ବସାଇ ପାଠ ପଢ଼ାଉଛନ୍ତି।
ଗୋଟିଏ ଶ୍ରେଣୀଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାରେ ସମସ୍ୟା ହେଉଛି। ଏହାଛଡ଼ା ପର୍ଯ୍ୟାୟକ୍ରମେ ସମସ୍ତ ଶ୍ରେଣୀର ପିଲାଙ୍କ ଉପସ୍ଥାନ ନେବା, ମଧ୍ୟାହ୍ନଭୋଜନ ପରିଚାଳନା କରିବା ଏବଂ ଅଫିସ କାମ କରିବାରେ ସମସ୍ୟା ହେଉଥିବା ଶିକ୍ଷକ ଜଣକ କହିଛନ୍ତି। ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉଛି। ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ ପୂର୍ବତନ ସମିତିସଭ୍ୟ ଜଗନ୍ନାଥ ବାରିକ, ସମାଜସେବୀ ନିରଞ୍ଜନ ମହାନ୍ତ, କ୍ଷୀରୋଦ କୁମାର ପରିଡ଼ା, ଭାଗବତ ପରିଡ଼ାଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/aa2af54d-bbb7-4bbf-bf99-6e789fe72f08.jpeg)