କରୋନା ଛଡାଇ ନେଲା ପର୍ଯ୍ୟଟନ ଋତୁର ଖୁସି: ଖାଁ ଖାଁ ସବୁ ପିକ୍‌ନିକ୍‌ ସ୍ପଟ୍‌ 

ରାଉରକେଲା: ମହାମାରୀ କରୋନାର କୋପରେ ଦୋହଲି ଯାଇଛି ପର୍ଯ୍ୟଟନ ଶିଳ୍ପର ଆର୍ଥିକ ସ୍ଥିତି। କିଛି ମାତ୍ରାରେ କରୋନା କଟକଣା କୋହଳ ହୋଇଛି। ମାତ୍ର ସଂକ୍ରମଣ ଭୟକୁ ନେଇ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ପର୍ଯ୍ୟଟନ ସ୍ଥଳୀ (ସ୍ପଟ୍‌) ଭ୍ରମଣ ଉପରେ ସେତେଟା କଟକଣା ନାହିଁ। କିନ୍ତୁ ବଣଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିପାଇଁ ପର୍ଯ୍ୟଟନସ୍ଥଳୀ ବୁଲିଯିବାକୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ସେତେଟା ସରାଗ ନାହିଁ। ଏହାର ବାସ୍ତବଚିତ୍ର ଦେଖିବାକୁ ମିଳିଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁନ୍ଦରଗଡ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ।

ପର୍ଯ୍ୟଟନ ଋତୁ ଆସିବା ମାତ୍ରେ ଅର୍ଥାତ୍‌ ନଭେମ୍ବର ମାସରୁ ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀରେ ଜମିଥାଏ ନାହିଁ ନଥିବା ଭିଡ । ଯେଉଁଠି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଡିଜେ, ନାଚ, ଗୀତରେ କମ୍ପୁଥାଏ, ସେଠି ଏବେ ନିସ୍ତବ୍ଧର ରାଜୁତି। ଯେଉଁଠି ରାଜ୍ୟ ଏବଂ ରାଜ୍ୟ ବାହାରର ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମେ, ସେଠି ଏବେ ଖାଁ ଖାଁ। ବାଜୁନି ଡିଜେ କି ଶୁଣିବାକୁ ମିଳୁନି ସମ୍ବଲପୁରୀ, ଅତ୍ୟାଧୁନିକ ଗୀତର ସ୍ବର। କାଁ ଭାଁ କେତୋଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଛାଡି ଦେଲେ ଅନ୍ୟ ସବୁଠି ଶୁନ୍‌ଶାନ୍।

ସେପଟେ ଭଲ ଦି’ ପଇସା ରୋଜଗାର କରିବାକୁ ଆଶା ବାନ୍ଧିଥିବା ସ୍ଥାନୀୟ ଅଞ୍ଚଳବାସୀନ୍ଦା ବି ନିରାଶ। ଜିଲ୍ଲାର ବଣାଇଁ ବ୍ଲକ ଅନ୍ତର୍ଗତ ଖଣ୍ଡାଧାର, ରାଜଗାଙ୍ଗପୁର ବ୍ଳକର ମନ୍ଦିରା ଡ୍ୟାମ୍‌, ଲାଠିକଟା ବ୍ଲକର ପିତାମହଲ ଡ୍ୟାମ୍‌, ଦର୍ଜିଂ ଓ ଅନ୍ୟ ବ୍ଲକର ଥିବା ଦେଓଧରହ ପିକ୍‌ନିକ୍‌ ସ୍ଥଳୀକୁ ପର୍ଯ୍ୟଟକମାନେ ବୁଲି ଆସୁଛନ୍ତି। ବିନା ବଣଭୋଜିରେ ପର୍ଯ୍ୟଟନସ୍ଥଳୀର ମନୋରମ ଦୃଶ୍ୟର ମଜା ଉଠାଇ ଫେରି ଯାଉଛନ୍ତି। ଅନ୍ୟ ପର୍ଯ୍ୟଟନସ୍ଥଳୀ ଜୁନାଗଡ, ଉଷାକ‌ୋଠୀ, ମିରିଗଟୋଲା, ଛତ୍ରୀହିଲ୍‌, ଆମ୍‌କୋ ସିମ୍‌କୋ କୁ ହାତ ଗଣତି କେଇଜଣ ପର୍ଯ୍ୟଟକ ବୁଲି ଆସୁଛନ୍ତି। କାଂଶବାହାଲ ନିକଟସ୍ଥ ଧାର୍ମିକ ଅନୁଷ୍ଠାନ ଘୋଘର ଧାମ, ବେଦବ୍ୟାସ ନିକଟ ପ୍ରସିଦ୍ଧ‌ ଶୈପପୀଠ ବନ୍ଦ ଥିବାରୁ ପର୍ଯ୍ୟଟକ ଆଦୌ ଆସୁ ନାହାନ୍ତି।

ସବୁଠାରୁ କ୍ଷତି ସହିବାକୁ ପଡିଛି ପର୍ଯ୍ୟଟକ ଉପରେ ନିର୍ଭରଶୀଳ ରାଉରକେଲାର ଓ ସୁନ୍ଦରଗଡ ହୋଟେଲ ଶିଳ୍ପ। ଜିଲ୍ଲାର ଦୁଇ ପ୍ରମୁଖ ସହର ରାଉରକେଲା ଓ ସୁନ୍ଦରଗଡ ଶତାଧିକ ହୋଟେଲ ବେଶ୍‌ ଦି‘ ପଇସା ରୋଜଗାର କରିବାକୁ ପର୍ଯ୍ୟଟନ ଋତୁକୁ ଅପେକ୍ଷା କରିଥାନ୍ତି। ଏମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ଗତ ୨୦୧୯ରେ ରାଉରକେଲା ସହରକୁ ୯ ଲକ୍ଷ ୯୧ ହଜାର ୮୯୦ ପର୍ଯ୍ୟଟକ ବୁଲି ଆସିଥିଲେ। ଚଳିତ ଥର ଆଜି ପର୍ଯ୍ୟନ୍ତ ହାତ ଗଣତି କେ‌ଇ ଜଣ ପର୍ଯ୍ୟଟକ ଆସିଛନ୍ତି। ସେମିତି ଗତ ବର୍ଷ ୩ ହଜାର ୬୫୫ ବିଦେଶୀ ପର୍ଯ୍ୟଟକ ରାଉରକେଲାକୁ ଆସିଥିଲେ। ମାର୍ଚ୍ଚ ପୂର୍ବରୁ ୫୦ରୁ ୧୦୦ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ମାର୍ଚ୍ଚ ପର ଠାରୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ ବିଦେଶୀଙ୍କ ରାଉରକେଲାରେ ସହରରେ ପାଦ ପଡି ନଥିବା ହୋଟେଲ ମାଲିକମାନେ କହିଛନ୍ତି। ୬ଟି ପର୍ଯ୍ୟଟନସ୍ଥଳୀ କିଛିଟା ବିକାଶ ଦେଖିଛି। ବାକି ୯ଟି ବିକାଶ ଠାରୁ ବହୁ ଦୂରରେ। ବିକାଶ ପାଇଁ ରହିଥିବା ପ୍ରସ୍ତାବଗୁଡ଼ିକ ସରକାରଙ୍କ ନାଲିଫିତା ତଳେ ସେମିତି ଚାପି ହୋଇ ରହି ଯାଇଛି। ସ୍ଥାନ ପାଇଥିବା କେତେକ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ଆଜି ଯାଏଁ ଭଲ ରାସ୍ତାଟିଏ ବି ହୋଇ ପାରିଲା ନାହିଁ। ପ୍ରଚାର ପ୍ରସାର ଏତେ ନଗଣ୍ୟ ଯେ, ବାହାର ପର୍ଯ୍ୟଟକ ତ ଦୂରର କଥା ଜିଲ୍ଲାବାସୀ ଏସବୁ ସ୍ଥାନ କେଉଁଠି ରହିଛି ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି। ଯାହା ସିଧାସଳଖ ପ୍ରଭାବ ପଡିଛି ଦେଶ ବିଦେଶ ପର୍ଯ୍ୟଟକଙ୍କ ଉପରେ। ଦର୍ଜିଂ, ଦେଓଧରହ, ଜୁନାଗଡ, ଛତ୍ରୀହିଲ ଏବଂ ଉଷାକୋଠୀ ଭିତ୍ତିଭୂମି ଓ ପାରିପାର୍ଶ୍ବିକ ବିକାଶ ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଆଯାଇଥିବା ୧ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ଅଦ୍ୟାବଧି କେତେ ଟଙ୍କା ଆସିଛି, ଯଦି ଆସିଛି ଖର୍ଚ୍ଚ ହୋଇଛି କି ନାହିଁ, କାହାରି ପାଖରେ ଉତ୍ତର ନାହିଁ। ସେପଟେ ଏସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ପର୍ଯ୍ୟଟନ ବିକାଶ ହେଉ ନଥିବାରୁ ଘରୋଇ ପର୍ଯ୍ୟଟନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଯେତିକି ବିଦେଶୀ ପର୍ଯ୍ୟଟକ ରାଉରକେଲା ଆସୁଛନ୍ତି, କେହି ଜଣେ ହେଲେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଅନ୍ୟପଟେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ‌ସୁନ୍ଦରଗଡ ଜିଲ୍ଲା ବିଶେଷ କରି ସ୍ମାର୍ଟ ସିଟି ରାଉରକେଲାରେ ହୋଟେଲ ହୋଟେଲ ଶିଳ୍ପ ରୁଗ୍‌ଣ ହୋଇ ପଡିଛି। ଚଳିତ ଥର ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଟୁରିଷ୍ଟ ବସ୍‌ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। କରୋନା କଟକଣା ଯୋଗୁଁ ଶେଷ ମୂହୂର୍ତ୍ତରେ ଟୁରିଷ୍ଟ ବସ୍‌ ସେବାକୁ ବାତିଲ କରି ଦେଇଛନ୍ତି। ଆସନ୍ତା ଜାନୁଆରୀ ପରେ ଟୁରିଷ୍ଟ ବସ୍‌ ଚଳାଚଳ କରିବାକୁ ସଂଘ ନିଷ୍ପତ୍ତି ନେଇଛି। କରୋନା ଯୋଗୁଁ ପର୍ଯ୍ୟଟନ ସ୍ପଷ୍ଟ ଗୁଡ଼ିକ ବନ୍ଦ ପଡିଛି ସତ। ପ୍ରତିବର୍ଷ ପ୍ରମୁଖ ପର୍ଯ୍ୟଟନ ସ୍ପଷ୍ଟ ବ୍ୟତୀତ ଅନ୍ୟ ଗୁଡ଼ିକର ବିକାଶ ହେଉନଥିବାରୁ ଖୁବ୍‌ କମ୍‌ ପର୍ଯ୍ୟଟକ ଆସୁଛନ୍ତି। ଏସବୁସବୁ ଦୃଷ୍ଟିକୋଣରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରର ସ୍ଥାନ ପାଇଗଲେ ହେବ ନାହିଁ, ଏହାର‌ ସୌନ୍ଦର୍ଯ୍ୟକରଣ ଆବଶ୍ୟକତା ରହିଛି। ନ ହେଲେ ଜିଲ୍ଲାର ହାତ ଗଣତି ୨/୩ଟି ପର୍ଯ୍ୟଟନସ୍ଥଳୀକୁ ଛାଡିଦେଲେ ଅନ୍ୟଗୁଡ଼ିକ ସେମିତି ରାଜ୍ୟ ପର୍ଯ୍ୟଟନ ତାଲିକାରେ ହିଁ ରହିଯିବ, ଏଥିରେ ଦ୍ବିମତ ନାହିଁ। ଜିଲ୍ଲା ପର୍ଯଟନ ଅଧିକାରୀ ନିରଞ୍ଜନ ମହାପାତ୍ର କହିଛନ୍ତି, ପର୍ଯ୍ୟଟନସ୍ଥଳୀ ବୁଲିବାକୁ ବିଭାଗ ପକ୍ଷରୁ ସେମିତି ‌କୌଣସି ଗାଇଡ୍‌ ଲାଇନ୍‌ ଆସି ନାହିଁ। କିନ୍ତୁ ବଣଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସ୍ଥାନୀୟ ଲୋକଙ୍କୁ ଛାଡିଦେଲେ ବାହାରର ପର୍ଯ୍ୟଟକ ଏତେଟା ଆସୁ ନାହାନ୍ତି।

୨୦୨୯ ଜିଲ୍ଲାକୁ ଆସିଥିବା ପର୍ଯ୍ୟଟକ
ପର୍ଯ୍ୟଟନସ୍ଥଳୀ ଘରୋଇ ବିଦେଶୀ ମୋଟ
ରାଉରକେଲା ୯,୮୮,୨୩୫ ୩,୬୫୫ ୯,୯୧,୮୯୦
ଜୁନାଗଡ ୫୯,୮୧୫ —– ୫୯,୮୧୫
ବେଦବ୍ୟାସ ୮,୦୧,୪୬୩ —– ୮,୦୧,୪୬୩
ଉଷାକୋଠୀ ୪୯,୩୩୫ —– ୪୯,୩୩୫
ମନ୍ଦିରା ଡ୍ୟାମ୍‌ ୧,୯୧,୧୫୫ —– ୧,୯୧,୧୫୫
ଖଣ୍ଡାଧାର ୨,୭୭,୧୫୩ —– ୨,୭୭,୧୫୩
ଦେଓଧରହ ୯୦,୫୫୭ —– ୯୦,୫୫୭
ଘୋଘର ଧାମ ୩,୧୧,୮୬୫ —– ୩,୧୧,୮୬୫
ଦର୍ଜିଂ ୯୯,୭୫୪ —– ୯୯,୭୫୪
ମିରିଗ୍‌ଲୋଟା ୫୯,୪୪୯ —– ୫୯,୪୪୯
ଛତ୍ରୀହିଲ୍‌ ୩୬,୩୪୬ —– ୩୬,୩୪୬
ସୁନ୍ଦରଗଡ ୭୧,୯୫୧ ୭୩ ୭୨,୦୨୪
ଆମ୍‌କୋ ସିମ୍‌କୋ ୧୫,୬୪୯ —- ୧୫,୬୪୯

ସମ୍ବନ୍ଧିତ ଖବର