୪ ପ୍ରମୁଖ ଷ୍ଟେସନରେ ରହୁନି ଟ୍ରେନ୍, ସଂସଦରେ ପ୍ରସଙ୍ଗ ଉଠାଇଲେ ସପ୍ତଗିରି

ରାୟଗଡ଼ା : କୋଭିଡ଼୍ ମହାମାରୀ ପରଠୁ ରାୟଗଡ଼ା, କୋରାପୁଟ ଜିଲ୍ଲାର ୪ଟି ପ୍ରମୁଖ ଷ୍ଟେସନରେ ରହୁନି ଟ୍ରେନ୍ । ଫଳରେ ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବିଶାଖାପାଟଣା ସମେତ କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ୍ ଭଳି ବହୁ ପ୍ରମୁଖ ରାଜ୍ୟକୁ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଟ୍ରେନ୍ ରହଣି ପାଇଁ ସଂସଦ ବଜେଟ୍ ଅଧିବେଶନରେ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ରାୟଗଡ଼ା ଜିଲ୍ଲାର ଥେରୁବାଲି, ବିଷମକଟକ, ଜେମାଦେଇପେଣ୍ଠ ଷ୍ଟେସନରେ ଗତ ୨ ବର୍ଷ ହେଲା ଟ୍ରେନ୍ ରହଣି ପାଇଁ ବିଭାଗ ଅନୁମତି ଦେଉନି। କୋଭିଡ଼୍ କଟକଣା ପାଇଁ ରେଳ ବିଭାଗ ଏହି ପଦକ୍ଷେପ ନେଇଥିଲା। ବର୍ତ୍ତମାନ କୋଭିଡ଼୍ ସ୍ଥିତିରେ ସୁଧାର ଆସିବା ସହ ବନ୍ଦ ଥିବା ସମସ୍ତ ଟ୍ରେନ୍ ଏହି ରୁଟରେ ଚଳାଚଳ କରୁଛନ୍ତି। କିନ୍ତୁ ପୂର୍ବବତ୍ କୋରାପୁଟ-ରାୟଗଡ଼ା, ରାୟଗଡ଼ା-ସମ୍ବଲପୁର, ରାୟଗଡ଼ା-ବିଜୟନଗରମ ରୁଟରେ ଚଳାଚଳ କରୁଥିବା ବହୁ ପ୍ରମୁଖ ଟ୍ରେନ୍ ଏହି ୪ଟି ଷ୍ଟେସନରେ ରହୁନି। କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ଷ୍ଟେସନ ଭାବେ ଲକ୍ଷ୍ମୀପୁର ପରିଚିତ। କିନ୍ତୁ ଲକ୍ଷ୍ମୀପୁରରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ, ଜଗଦଲପୁର-ରାଉରକେଲା, ଜଗଦଲପୁର-ହାୱଡା ସମଲେଶ୍ବରୀ ଟ୍ରେନ୍ ରହୁନି। କେବଳ ବିଶାଖାପାଟଣା ଇଣ୍ଟରସିଟି ଏବଂ ଡିଏମୟୁ ଟ୍ରେନ୍ ରହଣି କରୁଛି। କୋରାପୁଟ-ରାୟଗଡ଼ା ରୁଟରେ ଚଳାଚଳ କରୁଥିବା ଟ୍ରେନ୍ କେବଳ ଦାମନଯୋଡ଼ି ଏବଂ ଟିକିରି ଷ୍ଟେସନରେ ରହଣି କରୁଛି। ସେହିପରି ରାୟଗଡ଼ା-ସମ୍ବଲପୁର ରୁଟରେ ଚଳାଚଳ କରୁଥିବା ଜୁନାଗଡ଼-ଭୁବନେଶ୍ବର, ବିଳାଶପୁର-ତିରୁପତି, ବିଶାଖାପାଟଣା-ନିଜାମୁଦ୍ଦିନ ନ୍ୟୁ ଦିଲ୍ଲୀ, ଧାନବାଦ-ଆଲେପି, ବୋକାରୋ ଏକ୍ସପ୍ରେସ୍, ଜଗଦଲପୁର-ରାଉରକେଲା, ଜଗଦଲପୁର-ହାୱଡା, ପୁରୀ-ଅହମ୍ମଦାବାଦ, ଗାନ୍ଧୀଧାମ-ପୁରୀ ଭଳି ୨୩ ଯୋଡ଼ା ଟ୍ରେନ୍ ଥେରୁବାଲି ଷ୍ଟେସନରେ ରହଣି କରୁନି। ଶିଳ୍ପ ସମୃଦ୍ଧ ଥେରୁବାଲି ଷ୍ଟେସନରେ ଏହି ଟ୍ରେନ୍ ଗୁଡ଼ିକ ରହୁନଥିବାରୁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଲୋକେ ରାୟଗଡ଼ାକୁ ଆସି ଟ୍ରେନ୍ ଯାତ୍ରା କରିବାକୁ ପଡୁଛି। ଥେରୁବାଲିରୁ ୨୫ କିମି ଦୂରରେ ରହିଛି ରାୟଗଡ଼ା ଷ୍ଟେସନ। ଉଭୟ ସ୍ଥାନ ମଧ୍ୟରେ ନିୟମିତ ବସ୍ ଚଳାଚଳ କରୁନଥିବାରୁ ଅଟୋ, କାର ଭଡ଼ା କରି ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ବିଷମକଟକ ଷ୍ଟେସନରେ ମଧ୍ୟ ଜୁନାଗଡ଼-ଭୁବନେଶ୍ବର ଟ୍ରେନକୁ ଛାଡ଼ିଲେ ଅନ୍ୟ କୌଣସି ଏକ୍ସପ୍ରେସ୍ ଟ୍ରେନ୍ ରହୁନି। ରାୟଗଡ଼ା-ବିଜୟନଗରମ ରୁଟରେ ଚଳାଚଳ କରୁଥିବା ୨୩ ଯୋଡ଼ା ଟ୍ରେନ୍ ମଧ୍ୟରୁ ଗୋଟିଏ ବି ଟ୍ରେନ୍ ଜେମାଦେଇପେଣ୍ଠ ଷ୍ଟେସନରେ ରହୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବବତ୍ ଟ୍ରେନ୍ ରହଣି ସହ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରିବା ପାଇଁ ଦୁଇ ଜିଲ୍ଲାବାସୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଇଷ୍ଟକୋଷ୍ଟ୍ ରେଲୱେ ଜେନେରାଲ୍ ମ୍ୟାନେଜର, ବିଶାଖାପାଟଣା ଡିଆରଏମଙ୍କୁ ନିବେଦନ କରିଛନ୍ତି। ହେଲେ କୌଣସି ସୁଫଳ ମିଳିପାରୁନି। ଯାହାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ସାଂସଦ ଶ୍ରୀ ଉଲାକା। ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଟ୍ରାଫିକ୍ ପରିଚାଳନା ସମ୍ଭାବ୍ୟତା, ବାଣିଜ୍ୟିକ ସୁବିଧାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ଟ୍ରେନ୍ ରହଣି ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର