ଖୋର୍ଦ୍ଧା: ଖୋର୍ଦ୍ଧା ବନ ଡିଭିଜନରେ ୨ ବର୍ଷରେ ପ୍ରାୟ ୨୦ ଲକ୍ଷ ଚାରା ଲାଗିଛି, କିନ୍ତୁ ଜିଲ୍ଲାରେ ଜଙ୍ଗଲର ଆୟତନ କିମ୍ବା ଜିଲ୍ଲାର ସବୁଜିମା ବଢ଼ୁନାହିଁ। ୨୦୨୦ ବନ ବିଭାଗର ରିପୋର୍ଟ ଅନୁସାରେ, କଟକର ବାଙ୍କି, ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ୱର ସିଟି, ଚନ୍ଦକା, ଚିଲିକା ୱାଇଲଡ ଲାଇଫ୍ ଡିଭିଜନ ବ୍ୟତୀତ) ପୁରୀର ଡେଲାଙ୍ଗ, ନୟାଗଡ଼ର ରଣପୁରକୁ ନେଇ ଖୋର୍ଦ୍ଧା ବନ ଡିଭିଜନ ଗଠିତ। ବନ ଡିଭିଜନର ମୋଟ୍‌ ୩୫୧୪.୬୯୪ ବର୍ଗ କିମି ଅଂଚଳ ମଧ୍ୟରେ ବିଭିନ୍ନ କିସମର ଜଙ୍ଗଲର ପରିସୀମା ୫୭୭.୩୦ ବର୍ଗ କିମି। ଅର୍ଥାତ୍ ମୋଟ ଅଂଚଳର ମାତ୍ର ୧୭ ପ୍ରତିଶତ ଅଂଚଳରେ ଜଙ୍ଗଲ ରହିଛି। ଯଦି କେବଳ ଖୋର୍ଦ୍ଧା ଜିଲ୍ଲାର ଜଙ୍ଗଲ ସ୍ଥିତି ନେଇ ଆକଳନ କରାଯାଏ, ତେବେ ଜିଲ୍ଲାର ମୋଟ କ୍ଷେତ୍ରଫଳ ୨୮୧୩ ବର୍ଗ କିମି ମଧ୍ୟରେ ୨୩ ବର୍ଗ କିମି ଘଂଚ ଜଙ୍ଗଲ, ୧୯୧ ବର୍ଗ କିମି ମଧ୍ୟମ ଧରଣର ଘଂଚ ଜଙ୍ଗଲ ଓ ୧୮୦ ବର୍ଗ କିମି ଅନ୍ୟାନ୍ୟ ଜଙ୍ଗଲ ରହିଛି। ଜିଲ୍ଲାରେ ମୋଟ ଜଙ୍ଗଲର ପରିମାଣ ୩୯୪ ବର୍ଗ କିମି, ଅର୍ଥାତ୍ ୧୩ ପ୍ରତିଶତ ଜଙ୍ଗଲ ରହିଛି।

Advertisment

୨୦୧୪-୧୫ ଜିଲ୍ଲାରେ ୬୪୮୬୭ ହେକ୍ଟର ଅର୍ଥାତ୍ ୬୪୮ ବର୍ଗ କିମି ଜଙ୍ଗଲ ଥିଲା ୨୦୨୦-୨୧ରେ ଏହା ୩୯୪ ବର୍ଗ କିମିକୁ ହ୍ରାସ ପାଇଛି। ଗତ ଦୁଇବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଜଙ୍ଗଲ ଓ ସବୁଜିମା କ୍ରମାଗତ ଭାବେ କ୍ଷୟ ହେଉଥିବା ଓ ଏହାଦ୍ୱାରା ଜଙ୍ଗଲରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିବା ନେଇ ପ୍ରକୃତି ପ୍ରେମୀମାନେ ଚିନ୍ତାପ୍ରକଟ କରିଛନ୍ତି। କିନ୍ତୁ ବନ ବିଭାଗର ତଥ୍ୟରେ ଏହି ୨ ବର୍ଷ ମଧ୍ୟରେ ଜିଲ୍ଲାରେ ୨୦ ଲକ୍ଷ ଚାରା ରୋପଣ କରାଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ଚାରା ଯାଉଛି କୁଆଡ଼େ? ଖୋଦ୍ ବନ ବିଭାଗର ଆକଳନ ଅନୁସାରେ, ୧ ବର୍ଗ କିମି ଅର୍ଥା ୧୦୦ ହେକ୍ଟର ଅଂଚଳରେ ୫୦ ହଜାରରୁ ୬୦ ହଜାର ଗଛ ଲାଗିପାରିବ। ଏକ ଆନୁମାନିକ ଆକଳନରେ, ୨୦ ଲକ୍ଷ ଚାରା ମଧ୍ୟରୁ ମାତ୍ର ୧୫ ପ୍ରତିଶତ ଅର୍ଥାତ୍ ୩ ଲକ୍ଷ ଚାରା ଯଦି ବଂଚି ରହେ ତେବେ ଜିଲ୍ଲାର ଜଙ୍ଗଲ ପରିସୀମା ୬ ରୁ ୭ ପ୍ରତିଶତ ବୃଦ୍ଧି ପାଇବା କଥା।

କିନ୍ତୁ ୨ ବର୍ଷ ମଧ୍ୟରେ ଜିଲ୍ଲାରେ ଜଙ୍ଗଲର ଘନତା କିମ୍ବା ପରିସୀମା ସେଭଳି ବୃଦ୍ଧି ପାଇନାହିଁ। ଖୋର୍ଦ୍ଧା ବନ ଡିଭିଜନ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ, ଚଳିତବର୍ଷ ସେପ୍ଟମ୍ବର ଶେଷ ସୁଦ୍ଧା ବନ ବିଭାଗ ଦ୍ୱାରା ୧ ଲକ୍ଷ ୪୨ ହଜାର ୪୭୦ ଚାରା ରୋପଣ କରାଯାଇଥିଲା। ଏହା ମଧ୍ୟରୁ ରାସ୍ତାକଡ଼ ବନୀକରଣରେ ୩୧ ହଜାର ୪୭୦ ଚାରା ରୋପଣ କରାଯାଇଛି। ବିଭିନ୍ନ ସଂଗଠନ ଓ ବ୍ୟକ୍ତିଙ୍କୁ ବୃକ୍ଷ ରୋପଣ ପାଇଁ ୬ ଲକ୍ଷ ୧୭ହଜାର ୧୦୯ଟି ଚାରା ଦିଆଯାଇଛି। ଏଭଳି ଚଳିତବର୍ଷ ମୋଟ ୭ ଲକ୍ଷ ୫୯ ହଜାର ଚାରା ରୋପଣ କରାଯାଇଛି। ବନ ବିଭାଗ ରୋପଣ କରିଥିବା ଚାରା ମଧ୍ୟରୁ ଖୋର୍ଦ୍ଧା ରେଂଜରେ ସର୍ବାଧିକ ୬୪ ହଜାର ୬୦୦, ଟାଙ୍ଗୀ ରେଂଜ୍‌ରେ ୧୦ ହଜାର, ବାଲିପାଟଣା ୧୫,୫୦୦, ରଣପୁର ୪୯,୦୦୦ ଓ ଡେଲାଙ୍ଗ ରେଂଜରେ ୩,୩୭୦ ଚାରା ରୋପଣ କରାଯାଇଛି। ୨୦୨୦ ବର୍ଷରେ ଅକ୍ଟୋବର ଶେଷ ସୁଦ୍ଧା ବନ ବିଭାଗ ପକ୍ଷରୁ ୪ ଲକ୍ଷ ୭୭ ହଜାର ୮୫୬ ଟି ଚାରା ରୋପଣ କରାଯାଇଥିବା ବେଳେ ବିଭିନ୍ନ ସଂଗଠନ, ସାଧାରଣ ବ୍ୟକ୍ତି ଓ ଗୋଷ୍ଠୀ ଆଦିଙ୍କ ଦ୍ୱାରା ୯ ଲକ୍ଷ ୩୬ ହଜାର ୧୪୦ ଚାରା ରୋପଣ କରାଯାଇଛି।