ଘୁ.ଉଦୟଗିରି: ରାଜ୍ୟ ଏବଂ କେନ୍ଦ୍ର ସରକାର କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ କୃଷକ କିଭଳି କୃଷି ପ୍ରତି ଆଗ୍ରହ ପ୍ରକାଶ କରି ଚାଷ କରି ଲାଭବାନ ହେବେ ତା ଉପରେ ଗୁରୁତ୍ୱ ଦେଇ କୃଷକମାନଙ୍କ ହିତ କୁ ଦୃଷ୍ଟି ରେ ରଖି ମାଳ ମାଳ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଯୋଜନା ଗୁଡିକ କିଭଳି ଖତ ଖାଉଛି ତାର ଜ୍ଵଳନ୍ତ ଉଦାହରଣ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ରାଜ୍ୟ ଏବଂ କେନ୍ଦ୍ର ସରକାର କୃଷକ କଲ୍ୟାଣ ନିମନ୍ତେ ବହୁବିଧ ଯୋଜନା କରି ଅର୍ଥ ବ୍ୟୟ ବରାଦ କରିବା ପରେ ମଧ୍ୟ କୌଣସି ଯୋଜନା କୃଷକ ମାନଙ୍କ କାର୍ଯ୍ୟରେ ଲାଗୁନଥିବା ପରିତାପର ବିଷୟ। ଏହାର ଏକ ନଗ୍ନ ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ରେ ନିର୍ମିତ କୃଷକ ପରାମର୍ଶ କେନ୍ଦ୍ର।
କେବଳ ନାମ କୁ ମାତ୍ର ରହିଛି ଏହି ଗୃହ। ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତରେ ଥିବା କୃଷକ ପରାମର୍ଶ କେନ୍ଦ୍ର ଏହା ୨୦୧୯-୨୦ ବର୍ଷ ଠାରୁ ନିର୍ମାଣ କାର୍ଯ୍ୟ ସରିଲାଣି କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ପାଇଁ ମଧ୍ୟ ଏହା ଖୋଲା ଯାଇନାହିଁ। ଏତେ ଟଙ୍କା ଖର୍ଚ୍ଚ କରି ସରକାର ଏହାକୁ ତିଆରି କରିଛନ୍ତି କିନ୍ତୁ ଏହାର କାମ କଣ ? ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ଜାଣି ନାହାନ୍ତି।ଲକ୍ଷାଧିକ ଟଙ୍କା ବ୍ୟୟରେ କୃଷକ ପରାମର୍ଶ କେନ୍ଦ୍ର ଗୃହ ନିର୍ମାଣ କରାଗଲା। କୃଷକଙ୍କ କଲ୍ୟାଣ ପାଇଁ।କୃଷି ସମ୍ୱନ୍ଧୀୟ ସୂଚନା ଏବଂ ପରାମର୍ଶ ପାଇଁ ବ୍ୟୟ ହେଲା। ଗୃହ ନିର୍ମାଣକୁ ୪ବର୍ଷ ବିତିଗଲାଣି ଗୋଟିଏ ଦିନ ବି ଗୃହ କବାଟ ଖୋଲିନି। ଏହି ଗୃହଟି କେଉଁ ବିଭାଗ ନିର୍ମାଣ କରିଛି କାହିଁକି କରିଛି ଏହାର କୌଣସି ସୂଚନା ନାହିଁ।
ନୂତନ ଗୃହଟି ଲଟାବୁଦାରେ ଭରି ହୋଇଗଲାଣି। କବାଟ ଝରକା କଳଙ୍କି ଲାଗିବା ସହ ଗୃହଟି ନଷ୍ଟ ହେବାକୁ ଲାଗିଲାଣି। ସରକାର କା ମାଲ ଦରିଆ ମେ ଡାଲ ନ୍ୟାୟରେ ଏହି ଗୃହଟି ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ସରକାର ଅର୍ଥ ଦେଇଛନ୍ତି କାମ କରି ନିଜ ନିଜ ପ୍ରାପ୍ୟ ପାଇଗଲେ ଗଲା ସେ ଘର କାହାର କାମରେ ଲାଗୁ କି ନ ଲାଗୁ କାହାର ଯାଏ କେତେ? ପ୍ରଶ୍ନ ଉଠୁଛି ଏହିଭଳି କାର୍ଯ୍ୟ ପ୍ରଶାସନ ପକ୍ଷରୁ କରାଯାଉଛି କାହିଁକି? କୃଷି ବିଭାଗ ପକ୍ଷରୁ କଣ କରାଯାଉଛି। କୃଷକ ପରାମର୍ଶ କେନ୍ଦ୍ର ନାମରେ କୃଷି ବିଭାଗ ଏକ ପ୍ରକାର ପ୍ରହସନ ଚଳେଇଥିବା କୃଷକମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର କୃଷକମାନେ ନା କୌଣସି କୃଷି ସମ୍ୱନ୍ଧୀୟ ସୂଚନା ପାଉଛନ୍ତି ନା କୌଣସି ପରାମର୍ଶ ପାଉଛନ୍ତି। ନାକୁ ଅଛି କୃଷି ପରାମର୍ଶ କେନ୍ଦ୍ର।କନ୍ଧମାଳ ଜିଲ୍ଲାରେ ଏମିତି ଚାଲିଛି କୃଷକ କଲ୍ୟାଣ ଯୋଜନା ଚାଷ ଏବଂ ଚାଷୀଙ୍କୁ ପ୍ରୋତ୍ସାହନ ଯାହାର ପରିଣାମ ସ୍ଥାନୀୟ ଅଞ୍ଚଳର ଯୁବପିଢି ଚାଷରୁ ମୁଁହ ଫେରେଇ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। ରେଳ ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ ଦିନକୁଦିନ କୃଷି ଜାତ ଦ୍ରବ୍ୟ ଚାଷ କମିବା ସହ ଯୁବ ପିଢ଼ି ଚାଷ ପ୍ରତି ବିମୁଖ ହେବାରେ ଲାଗିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନମିଳିବା, ସାମଗ୍ରୀ ବିକ୍ରି କରିବା ନିମନ୍ତେ ବଜାର ଅଭାବ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେବା ସହ ନିଜ ପାରମ୍ପରିକ ଚାଷକୁ ଛାଡି ଦାଦନ ମୁଁହା ହେଉଛି। ସରକାରଙ୍କ କୃଷକ କଲ୍ୟାଣ ଯୋଜନା କୃଷକଙ୍କ ପାଖରେ ପହଁଚିଲେ ସ୍ଥାନୀୟ ଅଞ୍ଚଳର କୃଷକ ଲାଭବାନ ହେବା ସହ କୃଷି କ୍ଷେତ୍ରରେ ଅଗ୍ରଗତି କରିପାରିବ।