ବଣାଇଗଡ଼: ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ବିଛଣାପଟିରେ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ କୋଟିକୋଟି ଟଙ୍କାର ୪ଟି ନିର୍ମାଣାଧୀନ କୋଠାଘର ଭୂତକୋଠି ପାଲଟିଛି। ଏହି ଦୁଇମହଲାବିଶିଷ୍ଟ କୋଠାଘରଗୁଡ଼ିକ ମଡେଲ୍ ସ୍କୁଲ ଉଦ୍ଦେଶ୍ୟରେ ତିଆରି ହୋଇଛି ନା ଆଦିବାସୀ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ନିର୍ମାଣ ହୋଇଛି ତାହା ଜଣାପଡୁନାହିଁ। ତେବେ ୨୦୧୩ ମସିହାରେ ସେହି କୋଠାଗୁଡ଼ିକ ନିର୍ମାଣ ଆରମ୍ଭ ହୋଇଥିଲା ଓ ୪ ଜଣ ଠିକାଦାର ଏହାକୁ ନିର୍ମାଣ କରିଛନ୍ତି ବୋଲି ସ୍ଥାନୀୟଲୋକେ ପ୍ରକାଶ କରିଛନ୍ତି। ତେବେ ଏଠାରେ ୪ଟି କୋଠାଘର ନିର୍ମାଣ ହୋଇଛି ସତ, କିନ୍ତୁ ଗୋଟାଏ କୋଠାଘର ଏ ଯାଏଁ ଅଧପନ୍ତରିଆ ଭାବେ ପଡ଼ିରହିଛି। ଯେଉଁଗୁଡ଼ିକ ସମ୍ପୂର୍ଣ୍ଣ ହୋଇଛି ସେହି କୋଠାର ଉପରଘର କାନ୍ଥ ଫାଟିବାକୁ ବସିଲାଣି।
ଅତି ନିମ୍ନମାନର କାମ ଯୋଗୁ ଏଭଳି ଅବସ୍ଥା ହୋଇଛି ବୋଲି ସ୍ଥାନୀୟଲୋକେ କହିଛନ୍ତି। ତେବେ ସେହି କୋଠାଗୁଡ଼ିକ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ହୋଇଥିବାବେଳେ ଦାୟିତ୍ବରେ ଥିବା କନିଷ୍ଠଯନ୍ତ୍ରୀ ଠିକ୍ ଭାବେ ତଦାରଖ କରିନାହାଁନ୍ତି କି ଠିକାଦାରଙ୍କ ସହିତ ମଧୁଚନ୍ଦ୍ରିକାରେ ତିଆରି ହୋଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। କୋଠାଗୁଡ଼ିକର ବାହାର ଅବସ୍ଥାରୁ ଭିତରେ ଆହୁରି ଖରାପ ହୋଇଥିବ ବୋଲି ଆଶଙ୍କା କରାଯାଉଛି। ଉଚ୍ଚକର୍ତ୍ତୃପକ୍ଷ ଏହାର ତଦନ୍ତକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଗାଁଲୋକେ ଦାବି କରିଛନ୍ତି।